ମୁମ୍ବାଇ,୨୦\୭ : ଅର୍ଜୁନ କପୁରଙ୍କ ବ୍ୟକ୍ତିଗତ ଲାଇଫ୍ ସବୁବେଳେ ଚର୍ଚାରେ ରହି ଆସିଛି । ପ୍ରଥମେ ମଲାଇକା ଆରୋରାଙ୍କ ସହ ତାଙ୍କ ରିଲେସନ୍ ଖୁବ୍ ଚର୍ଚ୍ଚାରେ ଥିଲା, କିନ୍ତୁ ପରେ ଏହି ଯୋଡ଼ି ଭାଙ୍ଗି ଯାଇଥିଲା । ଏବେ ଅର୍ଜୁନ କପୁରଙ୍କ ନାମ ଅଭିନେତ୍ରୀ ସାହିବା ବାଲିଙ୍କ ସହ ଯୋଡା ହେଉଛି । ଗତ କିଛି ଦିନ ଧରି ଅର୍ଜୁନ ଏବଂ ସାହିବାଙ୍କ ଡେଟିଂର ଗୁଜବ ଶୁଣିବାକୁ ମିଳୁଛି । କିନ୍ତୁ ଗତକାଲି ଯେତେବେଳେ ଅର୍ଜୁନ କପୁରଙ୍କ ସହ ସାହିବା ବାଲିଙ୍କ ଏକ ଫଟୋ ଭାଇରାଲ ହେଲା, ସେତେବେଳେ ଏହି ଗୁଜବ ଦ୍ରୁତ ଗତିରେ ବଢିଗଲା । ଏହି କଳ୍ପନାଜଳ୍ପନା ମଧ୍ୟରେ, ସାହିବା ବାଲିଙ୍କ ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି ।
ଲଣ୍ଡନର ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଅର୍ଜୁନ କପୁର ଏବଂ ସାହିବା ବାଲିଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ସେମାନେ ମ୍ୟାଚିଂ ପୋଷାକ ସହିତ ମ୍ୟାଚ୍ ଉପଭୋଗ କରୁଥିବାର ନଜର ଆସିଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ, ଉଭୟଙ୍କ ଡେଟିଂ ରିମ୍ୟୁର ଘୁରି ବୁଲିଥିଲା । ଏବେ ସାହିବା ନିଜେ ଏହି ଗୁଜବ ଉପରେ ନୀରବତା ଭାଙ୍ଗିଛନ୍ତି ।
ସାହିବା ବାଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅର୍ଜୁନଙ୍କ ସହ ଭାଇରାଲ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ସବୁ କଥାରେ ବିଶ୍ୱାସ କରନାହିଁ ।" ଅଭିନେତ୍ରୀଙ୍କ ପ୍ରତିକ୍ରିୟା ସ୍ପଷ୍ଟ ଯେ ଉଭୟଙ୍କ ମଧ୍ୟରେ କୌଣସି ଡେଟିଂ ନାହିଁ ଏବଂ ସେମାନେ କେବଳ ଭଲ ବନ୍ଧୁ । ଏହା ସହିତ ସାହିବା ଅର୍ଜୁନ କପୁରଙ୍କ ସହ ଆଉ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେମାନେ ମ୍ୟାଚ୍ କରୁଥିବା ପୋଷାକ ପିନ୍ଧି ପୋଜ୍ ଦେଉଛନ୍ତି । ଅଭିନେତ୍ରୀଙ୍କ ଏହି ଫଟୋ ଅର୍ଜୁନ ଏବଂ ସାହିବାଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ଅନୁମାନ କରୁଥିବା ଲୋକଙ୍କ ପ୍ରତି ଏକ କଡ଼ା ଜବାବ।
ସାହିବା ବାଲି କିଏ?
ସାହିବା ବାଲି କାଶ୍ମୀରର ଝିଅ । ସେ ଜଣେ ଅଭିନେତ୍ରୀ, କ୍ରୀଡା ପ୍ରସାରକ ଏବଂ କଣ୍ଟେଣ୍ଟ କ୍ରିଏଟର୍ । ସେ "ଲୈଲା ମଜନୁ" (୨୦୧୮), "ବାର୍ଡ ଅଫ୍ ବ୍ଲଡ୍" (୨୦୧୯), "ତନାବ" (୨୦୨୨), ଏବଂ "ଅମର ସିଂହ ଚମକିଲା" (୨୦୨୪) ଭଳି ଚଳଚ୍ଚିତ୍ର ଏବଂ ଧାରାବାହିକରେ ଅଭିନୟ କରିଛନ୍ତି । ଅଭିନୟ ବ୍ୟତୀତ, ସାହିବା ଜୋମାଟୋର ବ୍ରାଣ୍ଡ ପରିଚାଳିକା ଏବଂ ଡିଜନି ଷ୍ଟାରର ଜଣେ କ୍ରୀଡା ଉପସ୍ଥାପିକା ଥିଲେ । ସାହିବାଙ୍କର ଇନଷ୍ଟାଗ୍ରାମରେ ୮ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ।