ସମ୍ବଲପୁର, ୨୧।୩(ଯଜ୍ଞଦତ୍ତ ଜ୍ୟୋତିଷ): ଘଞ୍ଚ ଜଙ୍ଗଲ । ତଳେ ଛାଇ ପଡିବାକୁ ବି ଜାଗା ନାହିଁ । ଗଛକୁ ଗଛ ଲାଗି ସୃଷ୍ଟି ହୋଇଛି ବିରାଟ ସବୁଜ ବନାନୀ । ମାତ୍ର କିଛି ବର୍ଷରେ ସୃଷ୍ଟି ହୋଇଛି ୨ ହେକ୍ଟର ଘଞ୍ଚ ଜଙ୍ଗଲ । ଜାପାନର ଉଦ୍ଭିଦ ବିଜ୍ଞାନର ଜ୍ଞାନକୌଶଳ ‘ମିଆୱାକି’ ପଦ୍ଧତିରେ ଏହି ଜଙ୍ଗଲ ସୃଷ୍ଟି କରାଯାଇଛି । ସମ୍ବଲପୁର ସହର ଚାଉଁରପୁର ଅଞ୍ଚଳରେ ଥିବା ପୋତାପାଲି ଗ୍ରାମ୍ୟ ଜଙ୍ଗଲରେ ଏଭଳି ସଫଳ ଭାବେ ବନୀକରଣ କରିଛି ସମ୍ବଲପୁର ବନ ବିଭାଗ । ଯେଉଁଥିରେ ପ୍ରାୟ ଦଶ ହଜାର ଗଛ ଲଗାଯାଇଛି । ଚାଉଁରପୁର ନିକଟ ପୋତାପାଲି ଗ୍ରାମ୍ୟ ଜଙ୍ଗଲ ପୂର୍ବରୁ ପଦା ହୋଇ ପଡ଼ିଥିବା ବେଳେ ଏବେ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି । ଯେଉଁଥିରେ ଆମ୍ବ, ଅର୍ଜୁନ, ଅସନ, ଅଶୋକ, ଡିମ୍ବିରି, ବାଉଁଶ, ବିଜା, ନିମ୍ବ, ଶିଶୁ, ପିଜୁଳି, ଚନ୍ଦନ, ଶାଳ ଭଳି ଶହେ ପ୍ରଜାତିର ଗଛ ଲାଗିଛି । ଦେଶୀ ସହ ପରିବେଶକୁ ଖାପଖୁଆଇ ପାରୁଥିବା ଏହି ଗଛଗୁଡିକ ଗୋଟିଏ ବର୍ଷ ମଧ୍ୟରେ ଜଙ୍ଗଲର ଘନତ୍ୱ ବୃଦ୍ଧି କରିଥାନ୍ତି । ଜାପାନର ଉଦ୍ଭିଦ ବିଜ୍ଞାନର ଜ୍ଞାନକୌଶଳ ‘ମିଆୱାକି’କୁ ଦେଶୀ ପଦ୍ଧତିରେ ବ୍ୟବହାର କରି ଏହି ବନୀକରଣ କରାଯାଇଛି । ଯାହାର ନାଁ ରଖାଯାଇଛି ‘ବୀର ସୁରେନ୍ଦ୍ର ସାଏ ବନୀକରଣ’ ।

ଏହା ବି ପଢ଼ନ୍ତୁ... ବିକାଶର ‘ଡିଜିଟାଲ’ ଓଡ଼ିଶାରେ ଅନ୍ଧାରରେ ୧୨୨ ବର୍ଷର ସ୍କୁଲ୍ ! ପିଲାଙ୍କ ଭାଗ୍ୟରେ ନାହିଁ ବିଜୁଳି-ପାଣି !

ଗୋଟିଏ ସ୍ଥାନରେ ୨ଟି ଭିନ୍ନ ଜଙ୍ଗଲ ସୃଷ୍ଟି କରାଯାଇଛି । ଗତ ୫ ବର୍ଷ ପୂର୍ବରୁ ମାତ୍ର ଗୋଟିଏ ହେକ୍ଟର ଜାଗାରେ ୭୦ ପ୍ରଜାତିର ୮ ହଜାର ଚାରା ଲଗାଯାଇଥିଲା । ଯାହାକି ଏବେ ସବୁ ବଡ଼ ହୋଇ ଘଞ୍ଚ ହୋଇସାରିଛି । ଏହା ସଫଳ ହେବାରୁ ଆଉ ୨ ବର୍ଷ ପରେ ଏହାକୁ ଲାଗି ଆଉ ଏକ ହେକ୍ଟର ଗ୍ରାମ୍ୟ ଜଙ୍ଗଲରେ ୮ ହଜାର ଚାରା ଲଗାଯାଇଛି । ଏହା ମଧ୍ୟ ଏବେ ବିରାଟ ଆକାର ନେଇସାରିଛି । ପ୍ରଥମ ଜଙ୍ଗଲରେ ୭୦ ପଜାତିର ଚାରା ଲଗାଯାଇଥିବାବେଳେ ଦ୍ୱିତୀୟ ଜଙ୍ଗଲରେ ଶହେ ପ୍ରଜାତିର ଚାରା ରହିଥିଲା । ଏନେଇ ସ୍ଥାନୀୟ ରେଞ୍ଜର ଅମିତ କୁମାର ସାହୁ କହିଛନ୍ତି, ପୂର୍ବରୁ ବନୀକରଣ ପାଇଁ ପ୍ରାୟ ୧୦ରୁ ୨୦ ବର୍ଷ ଲାଗି ଯାଉଥିଲା । ହେଲେ ଏହି ପ୍ରଣାଳୀ ଦ୍ୱାରା ଗୋଟିଏ ବର୍ଷରେ ଜଙ୍ଗଲ ଘଞ୍ଚ ହୋଇଯଏ । ମାତ୍ର ୪/୫ ବର୍ଷ ମଧ୍ୟରେ ବିଶାଳ ଜଙ୍ଗଲ ସୃଷ୍ଟି ହୋଇପାରିଛି । ଏହା କେବଳ ବନୀକରଣ ହୋଇନି, ଏହା ଦ୍ୱାରା ମୃତ୍ତିକା ସଂରକ୍ଷଣ ମଧ୍ୟ ହୋଇପାରୁଛି । ଏହି ଅଞ୍ଚଳରେ ମୃତ୍ତିକା ନଷ୍ଟ ହେବାର ସମ୍ଭାବନା ଯଥେଷ୍ଟ କମ୍ । ଏହାସହ ପଶୁ, ପକ୍ଷୀ ଏବଂ ସରୀସୃପଙ୍କ ପାଇଁ ମଧ୍ୟ ଉପଯୁକ୍ତ ପରିବେଶ ସୃଷ୍ଟି କରିପାରିବ । ଯାହାକି ଏବେଠୁ ଦେଖାବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର ପାଣିପବନକୁ ସୁହାଇବା ଭଳି ଚିରହରିତ ବୃକ୍ଷ ଲଗାଯାଇଛି ।

ଫଳରେ ଗୋଟିଏ ସମୟରେ ପତ୍ରଝଡ଼ା ହେବ ନାହିଁ । ତେଣୁ ନିଆଁ ମଧ୍ୟ ଲାଗିବାର ସମ୍ଭାବନା ବହୁତ କମ୍ । ମହୁଲ ଫୁଲ ଓ କେନ୍ଦୁ ପତ୍ର ଯୋଗାଡ଼ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଯାଇଥାଏ । ହେଲେ ଏହି ଜଙ୍ଗଲରେ ମହୁଲ କିମ୍ବା କେନ୍ଦୁ ଗଛ ଅଳ୍ପ ସଂଖ୍ୟାରେ ରହିଛି । ଯାହାକି ଅସାଧୁ ଲୋକଙ୍କ ନଜରରୁ ଜଙ୍ଗଲଟି ବର୍ତ୍ତି ପାରିବ ବୋଲି ସେ କହିଛନ୍ତି । ଜଙ୍ଗଲ ବୃଦ୍ଧି କରିବା ପାଇଁ ଜାପାନର ଉଦ୍ଭିଦ ବିଜ୍ଞାନୀ ଅକିରା ମିଆୱାକି ୧୯୭୦ରେ ଏହି ପଦ୍ଧତିକୁ ଗ୍ରହଣ କରିଥିଲେ । ଗଛଗୁଡ଼ିକୁ ଏତେ ପାଖରେ ଲଗାଇଥିଲେ ଯେମିତି ସୂର୍ଯ୍ୟାଲୋକ ପାଇବାକୁ ଗଛ ମଧ୍ୟରେ ପ୍ରତିଯୋଗିତା ହେବ । ଫଳରେ ଗଛଗୁଡିକ ଦୃତ ଗତିରେ ବଢ଼ିପାରିବେ । ତେଣୁ ମାତ୍ର ୩ରୁ୪ ବର୍ଷ ମଧ୍ୟରେ ଘଞ୍ଚ ଜଙ୍ଗଲ ସୃଷ୍ଟି ହେବାରେ ସଫଳ ହୋଇଥାଏ । ୧୫-୨୦ ବର୍ଷ ମଧ୍ୟରେ ଏହାର ଘନତା ଯଥେଷ୍ଟ ବୃଦ୍ଧି ପାଇବ । ଏହି ପଦ୍ଧତିରେ ସେ ଅନେକ ଖୋଲା ସ୍ଥାନକୁ ବିଶାଳ ଜଙ୍ଗଲରେ ପରିଣତ କରିପାରିଥିଲେ । ଜାପାନ ପରେ ଦକ୍ଷିଣ ଏସିଆ, ବ୍ରାଜିଲ୍ ସହ ଭାତରରେ ମଧ୍ୟ ଏହି ପଦ୍ଧତିରେ ଜଙ୍ଗଲ ବୃଦ୍ଧି କରାଯାଉଛି । ହେଲେ ସମ୍ବଲପୁରରେ ପ୍ରଥମ ଥର ଏହି ପଦ୍ଧତିରେ ବୃକ୍ଷରୋପଣ କରାଯାଇ ବନୀକରଣ କରାଯାଇଛି ।