କଟକ, ୨୧।୩: ଗରମ ଧୀରେ ଧୀରେ ବଢ଼ିଲାଣି, ହଇରାଣ ହେଉଛନ୍ତି କୁନିକୁନି ଛାତ୍ରଛାତ୍ରୀ । ଶ୍ରେଣୀ ଗୃହରେ ଫ୍ୟାନ୍ ବୁଲୁନି, ଲାଇଟ୍ ଜଳୁନି । ଟାଙ୍କିରେ ପାଣି ନାହିଁ, ପିଇବାକୁ ଟୋପେ ମିଳୁନି । ଗତ ୧୦ ଦିନ ଧରି ବିଦ୍ୟୁତ୍ କାଟ୍ ଯୋଗୁଁ ଗରମରେ ଛଟପଟ ହେଉଛନ୍ତି ଡଗରପଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ । ସ୍ଥିତି ଏମିତି ହେଲାଣି ଯେ, ଅଭିଭାବକମାନେ ପିଲାଙ୍କୁ ସ୍କୁଲ୍ ଛାଡ଼ୁନାହାନ୍ତି । ଟିସି ନେଇ ଘରୋଇ ସ୍କୁଲ୍ରେ ନାମଲେଖାଇବାକୁ ଆବେଦନ କରିଲେଣି । ସ୍କୁଲ୍ ବିଜୁଳି ବିଲ୍ ବକେୟା ରହିଯାଇଥିବାରୁ ଟାଟା ପାୱାର୍ ପକ୍ଷରୁ ଲାଇନ୍ ସଂଯୋଗ କାଟି ଦିଆଯିବା ସହ ତାର ମଧ୍ୟ ନେଇ ପଳାଇଛନ୍ତି କର୍ମଚାରୀ । ଏହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶାସନ, ବିଧାୟିକା ସମସ୍ତଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ୧୯୦୪ ମସିହାରେ ପ୍ରତିଷ୍ଠିତ ଏହି ସ୍କୁଲ୍ ୧୨୨ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ଏଠାରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଶ୍ରେଣୀରେ ୧୬୪ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି । କଟକ ସହରର ସର୍ବପୁରାତନ ସ୍କୁଲ୍ ମଧ୍ୟରୁ ଏହି ଉପ୍ରା ବିଦ୍ୟାଳୟ ଅନ୍ୟତମ ।
ଏହା ବି ପଢ଼ନ୍ତୁ... ବସ୍ରେ ମଦ କାରବାର: ନାବାଳକ ହାତରେ ଚାଲାଣ ହେଉଛି ଦେଶୀ ମଦ
କଟକ ମହାନଗର ନିଗମ(ସିଏମ୍ସି)ର ୧୨ ନମ୍ବର ୱାର୍ଡରେ ଏ ସ୍କୁଲ୍ ରହିଥିବାବେଳେ ଏହାର ପରିଚାଳନା ପ୍ରଶାସନ ତରଫରୁ କରାଯାଉଛି । କିନ୍ତୁ ସ୍କୁଲ୍ରେ ବିଦ୍ୟୁତ ସଂଯୋଗ ନରହିବା ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଛି । ସ୍କୁଲ୍ କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ, ୨୦୦୯ ମସିହାରୁ ଏଠାରେ ସ୍ଥାୟୀ ବିଦ୍ୟୁତ ସଂଯୋଗ ନାହିଁ । ଏହାର କାରଣ ହେଉଛି ବର୍ଷ ବର୍ଷ ଧରି ଗଡ଼ି ଆସୁଥିବା ବିଦ୍ୟୁତ ବିଲ୍ । ସ୍କୁଲ୍ ପ୍ରଧାନଶିକ୍ଷୟିତ୍ରୀ ଚାନ୍ଦିନୀଚୌକ ଜେଇଇଙ୍କ କାର୍ଯ୍ୟାଳୟ ଓ ରାଣୀହାଟ ବିଦ୍ୟୁତ ଡିଭିଜନକୁ ଯାଇ ସ୍ଥାୟୀ ବିଦ୍ୟୁତ ମିଟର ପାଇଁ ଆବେଦନ କରିଥିଲେ । କିନ୍ତୁ ସ୍କୁଲ୍ ଉପରେ ପ୍ରାୟ ୪ଲକ୍ଷ ଟଙ୍କା ବିଦ୍ୟୁତ୍ ବକେୟା ଗଡ଼ୁଥିବାର ସେଠାରେ ଟାଟା ପାୱାର ଅଧିକାରୀ କହିଥିଲେ । ତେବେ ଏ ବାବଦରେ ସ୍କୁଲ୍ ପରିଚାଳନା କମିଟିରେ ଥିବା ସ୍ଥାନୀୟ ବାସିନ୍ଦାମାନେ ଏକାଠି ହୋଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଦେଖା କରିଥିଲେ । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଓଟିଏସ୍ (ୱାନ୍ ଟାଇମ୍ ସେଟେଲମେଣ୍ଟ)ରେ ୧ଲକ୍ଷ ୭୫ହଜାର ଟଙ୍କା ବକେୟା ଦେଇ ତୁରନ୍ତ ଲାଇନ୍ ସଂଯୋଗ କରାଯାଇଥିଲା ।
ତେବେ ପ୍ରଶାସନ ତରଫରୁ ଓଟିଏସ୍ ବାବଦରେ ଅର୍ଥ ଦାଖଲ କରିବା ପର୍ଯ୍ୟନ୍ତ ସାମୟିକ ଭାବେ ବିଦ୍ୟୁତ୍ ସଂଯୋଗ ଦେବାକୁ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରଶାସନ, ବିଧାୟିକାଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ସେଭଳି କୌଣସି ପଦକ୍ଷେପ ନିଆଗଲାନାହିଁ । ଯାହାଫଳରେ ଏବେ ସ୍କୁଲ୍ର ବିଦ୍ୟୁତ୍ ସଂଯୋଗ ନଥିବାରୁ ପାଠପଢା ୧୦ଦିନ ହେଲାଣି ବନ୍ଦ ହେବା ସ୍ଥିତିରେ । ହାତଗଣତି ଯେଉଁ କେତେଜଣ ଛାତ୍ରଛାତ୍ରୀ ଆସୁଛନ୍ତି ସେମାନଙ୍କୁ ଶ୍ରେଣୀଗୃହ ବାରଣ୍ଡାରେ ବସାଇ ପାଠ ପଢାଉଛନ୍ତି ଶିକ୍ଷୟିତ୍ରୀ । ଏ ସମ୍ପର୍କରେ ସ୍ଥାନୀୟ ସମାଜସେବୀ ବିଶ୍ୱରଞ୍ଜନ ବେହେରା କହିଛନ୍ତି, ସରକାରୀ ସ୍କୁଲ୍ର ଏ ଅବସ୍ଥା ଦେଖିଲେ ବହୁତ ଦୁଃଖ ଲାଗୁଛି । ସରକାରୀ ସ୍କୁଲ୍ରେ ନାମଲେଖାଇବାକୁ ଓ ପାଠ ପଢିବାକୁ ବିଭିନ୍ନ ଯୋଜନା କରାଯାଉଥିବା ବେଳେ ସାଧାରଣ ଇଲେକ୍ଟ୍ରିସିଟି ଓ ପାଣି ବ୍ୟବସ୍ଥା ନରହିଲେ କେମିତି ପିଲାମାନେ ଏଠି ପାଠ ପଢିବେ ?
ଏ ବାବଦରେ ବିଧାୟିକା, ପ୍ରଶାସନକୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଅନ୍ୟପକ୍ଷରେ ସ୍କୁଲ୍ର ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ସେଠୀ କହିଛନ୍ତି, ନୂଆ ମିଟର ପାଇଁ ଆବେଦନ କରିବାକୁ ଯାଇଥିବା ବେଳେ ସେଠାରେ ବକେୟା ଥିବା କଥା ଜାଣିଲୁ । ୨୦୦୯ ମସିହା ପରଠାରୁ ଏଠି ସ୍ଥାୟୀ ବିଦ୍ୟୁତ ବ୍ୟବସ୍ଥା ନାହିଁ । କିଛି ମାସ ତଳେ ଅଙ୍ଗନବାଡ଼ିରୁ ସଂଯୋଗ ଆଣି ଚଳାଇଥିଲୁ । କିନ୍ତୁ ସେତକ ବି ଏବେ ନାହିଁ । ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ସମ୍ପୂର୍ଣ୍ଣ କମିଯାଇଛି ବୋଲି ସେ ଦୁଃଖର ସହ ପ୍ରକାଶ କରିଛନ୍ତି । ଚାନ୍ଦିନୀଚୌକ ବିଦ୍ୟୁତ୍ ସେକ୍ସ ଜେଇଇଙ୍କୁ ଏ ବାବଦରେ ପଚାରିବାରେ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।