କୋଣାର୍କ, ୨୪।୫ : ନିଜ ରକ୍ତର ପୁତୁରା ସାଜିଲା ରକ୍ତ ମୁଖା । ସାମାନ୍ୟ ଜମି ବାଡି ବିବାଦକୁ କେନ୍ଦ୍ରକରି ଭୁଲିଗଲା ସମ୍ପର୍କ। ନିଜ ଦାଦା ଓ ଖୁଡ଼ିକୁ ପୁତୁରା କଲା ଛୁରା ମାଡ। ଏଥିରେ ଦାଦା ଓ ଖୁଡି ଗୁରୁତର ହୋଇଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଣ୍ଢିଆ ସାହି ଗ୍ରାମରେ ଅଘଟଣ ଘଟିଛି।
ସୂଚନା ଅନୁଯାୟୀ ଅଣ୍ଡିଆ ସାହି ଗ୍ରାମର ବାସିନ୍ଦା ପ୍ରକାଶ ଚନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ ନିରୋଜ ନଳିନୀ ସାହୁ ତାଙ୍କ ଘରେ ଥିଲେ। ଏହି ସମୟରେ ପୁତୁରା ଅଗ୍ନି ତନ୍ମୟ ବେହେରା ଅନ୍ୟ ଦୁଇ ସହଯୋଗୀଙ୍କ ସହ ପହଂଚି ଜାଗା ବାଡି ବିବାଦକୁ କେନ୍ଦ୍ର କରି ପ୍ରକାଶ ଏବଂ ତାଙ୍କ ପତ୍ନୀ ସହିତ ବଚସା କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସାମାନ୍ୟ ବଚସା ଉଗ୍ରରୂପ ନେଇଥିଲା। ପୁତୁରା ଅଗ୍ନି ତନ୍ମୟ ରାଗିଯାଇ ପାଖରେ ଥିବା ଏକ ଛୁରା ମାଧ୍ୟମରେ ପ୍ରଥମେ ପ୍ରକାଶଙ୍କ ମୁଣ୍ଡ,ବେକ ଓ ପିଠି ସହିତ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲା। ପ୍ରକାଶଙ୍କ ପତ୍ନୀ ନିରୋଜ ନଳିନୀ ପୁତୁରାକୁ ରୋକିବାକୁ ଚେଷ୍ଟା କରିଥିଲେ ହେଲେ ରକ୍ତମୁଖା ପୁତୁରା ଖୁଡିଙ୍କୁ ମଧ୍ୟ ଛୁରା ସାହାଯ୍ୟରେ ଆକ୍ରମଣ କରିଥିଲା।ଘଟଣା ସ୍ଥଳରେ ପ୍ରକାଶ ଏବଂ ତାଙ୍କ ପତ୍ନୀ ରକ୍ତ ଝୁଡ଼ିବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ବେଳେ ତାଙ୍କ ଝିଅ ଶିବାନୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଦୁହିଁଙ୍କୁ ଗୁରୁତର ଆହତ ଅବସ୍ଥାରେ ନିମାପଡ଼ା ଗୋଷ୍ଡୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ।ତେବେ ଏନେଇ ଝିଅ ଶିବାନୀ ବେହେରା ନିମାପଡ଼ା ଥାନାରେ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତ ପୁତୁରା ଓ ଅନ୍ୟ ଦୁଇ ସହଯୋଗୀ ଘଟଣା ସ୍ଥଳରୁ କେଉଁ ଆଡ଼େ ଫେରାର ହୋଇଯାଇଛନ୍ତି।ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
ଆହୁରି ପଢନ୍ତୁ : ୨୯ ଯାଏଁ ତାତିରୁ ନିସ୍ତାର ନାହିଁ, ହିଟ୍ ୱେଭ୍ ଓ୍ବାର୍ଣ୍ଣିଂ ଜାରି