ବଡବିଲ, ୧।୬: କେନ୍ଦୁଝର ଜିଲ୍ଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ଘଟିଥିବା ଚର୍ଚ୍ଚିତ ସଶସ୍ତ୍ର ଡକାୟତି ମାମଲାରେ କେନ୍ଦୁଝର ପୋଲିସ ଆଉ ଏକ ସଫଳତା ହାସଲ କରିଛି। ମାମଲାରେ ସଂପୃକ୍ତ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ଲୁଟ୍ ସାମଗ୍ରୀ ଜବତ କରିଛି।
ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୧୯ ତାରିଖ ଦିନ ଦ୍ୱିପ୍ରହରରେ ୬ ରୁ ୭ଜଣ ସଶସ୍ତ୍ର ଡକାୟତ ବ୍ୟାଙ୍କରେ ପ୍ରବେଶ କରି ନଗଦ ୪ ଲକ୍ଷ ୩୮ ହଜାର ୭ଶହ ଟଙ୍କା ସହ ୭ ଦଶମିକ ୫୩ କିଲୋଗ୍ରାମ ଓଜନର ୧୫୫ଟି ସୁନା ଅଳଙ୍କାର ପ୍ୟାକେଟ ଲୁଟି ମୋଟରସାଇକେଲରେ ଫେରାର ହୋଇଯାଇଥିଲେ। ଘଟଣାର ତଦନ୍ତ ସମୟରେ ଲୁଟେରାମାନେ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଥିଲା। ଏହାପରେ କେନ୍ଦୁଝର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ରାଜ୍ୟରେ ଚଢ଼ାଉ ଏବଂ ତଲାସି ଅଭିଯାନ ଚାଲିଥିଲା। ପୂର୍ବରୁ ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ, ସିପୁ କୁମାର ନାମକ ଜଣେ ଅଭିଯୁକ୍ତ ପୋଲିସ୍ ପଞ୍ଝାରୁ ଖସିଯିବାକୁ ଚେଷ୍ଟା କଲାବେଳେ ଏନ୍କାଉଣ୍ଟରରେ ଆହତ ହୋଇଥିଲା । ସେତେବେଳେ ସେମାନଙ୍କ ନିକଟରୁ କିଛି ସୁନା, ଗାଡ଼ି ଏବଂ ଏକ ପିସ୍ତଲ ଜବତ ହୋଇଥିଲା। ପରେ ମୁଖ୍ୟ ଅଭିଯୁକ୍ତ ରୌଶନ କୁମାର ଓରଫ ଲଡୁକୁ ଗୁଜରାଟର ସୁରତରୁ ଠାବ କରାଯାଇ ଗିରଫ କରାଯାଇଥିଲା। ଲଡୁକୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବା ପରେ ତାଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ବିହାର, ପାଟନା ଅଞ୍ଚଳର ଜିତେନ୍ଦ୍ର କୁମାର ନାମକ ଜଣେ ସୁନା ବ୍ୟବସାୟୀ ଏବଂ ଅଖିଲେଶ ପ୍ରସାଦ ସିଂହଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ପ୍ରାୟ ୨୩୬ ଗ୍ରାମ ସୁନା, ୪ କିଲୋଗ୍ରାମ ରୂପା ଓ ଏକ ମାରୁତି ସୁଜୁକି କାର ଜବତ ହୋଇଛି। ଏହି କାରଟି ଲୁଟ୍ ଟଙ୍କାରେ କିଣାଯାଇଥିବା ପୋଲିସ୍ କହିଛି । ସେହିପରି ଅଭିଯୁକ୍ତ ଲଡୁ ଲୁଟ୍ ସୁନାକୁ ବିକ୍ରି କରି ପ୍ରାୟ ୪୭ ଲକ୍ଷ ଟଙ୍କାରେ ଏକ ଜମି କିଣିଥିବା ପୋଲିସ୍ ଜାଣିବାକୁ ପାଇଛି । ସେହି ଜମିକୁ ଜବତ୍ କରିବାପାଇଁ ପୋଲିସ୍ ଚେଷ୍ଟା ଚଳାଇଛି ବୋଲି ଆଜି ଏକ ପ୍ରେସ ମିଟରେ ବଡ଼ବିଲ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ମହାପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ଚିହ୍ନଟ, ଅବଶିଷ୍ଟ ଲୁଟ୍ ସାମଗ୍ରୀ ଉଦ୍ଧାର ଓ ଷଡଯନ୍ତ୍ରର ଅନ୍ୟାନ୍ୟ ଦିଗ ଉପରେ ତଦନ୍ତ ଜାରି ରହିଛି। ଆଜି ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ଲଡୁ ସମେତ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଆହୁରି ପଢନ୍ତୁ : କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଘଟଣାରେ ବଡ ଆକ୍ସନ, ୩ ପୁଲିସ କର୍ମଚାରୀ ନିଲମ୍ବିତ