ନୂଆଦିଲ୍ଲୀ,୧୩/୦୧: ପଶ୍ଚିମବଙ୍ଗରେ ଦୁଇଟି ନିପା ଭାଇରସ୍ ମାମଲା ସାମ୍ନାକୁ ଆସିଛି । କଲ୍ୟାଣୀ ଏମ୍ସରେ ଥିବା ଭାରତୀୟ ମେଡିକାଲ ଗବେଷଣା ପରିଷଦ (ଆଇସିଏମ୍ଆର)ର ଭୂତାଣୁ ଗବେଷଣା ଓ ଚିହ୍ନଟ ଲ୍ୟାବ୍‌ରେ ଏହି ଭାଇରସକୁ ଚିହ୍ନଟ କରାଯାଇଛି । ଏହି ଭାଇରସ୍ ଘାତକ ହୋଇଥିବାରୁ ତାକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ତାହା ଉପରେ ଅଧିକ ଧ୍ୟାନ ଦିଆଯାଉଛି । ଦୁଇଟି ମାମଲା ମଧ୍ୟରୁ ଜଣେ ବ୍ୟକ୍ତି ବାଂଲାଦେଶ ସୀମା ନଦିଆ ଜିଲ୍ଲାର ଘୁଗରଗାଚ୍ଛି ଅଞ୍ଚଳରୁ ଆସିଥିବା ଜଣାପଡିଛି ।

ଏକଥା ଜଣାପଡିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି । ଏହାର ମୁକାବିଲା, ସର୍ଭେଲାନ୍ସ ଓ ନିୟନ୍ତ୍ରଣ ରଣନୀତି ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏକ କେନ୍ଦ୍ରୀୟ ଟିମ୍ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ମୁକାବିଲା ପାଇଁ ସହାୟତା ଯେଗାଇଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।