କୁକୁଡ଼ାଖଣ୍ଡି, ୧୩/୦୭: ଜଣେ ଯୁବକଙ୍କୁ ପ୍ଲାଷ୍ଟିକ୍ ପାଇପ୍ରେ ପିଟୁଛନ୍ତି ଆଉ ଜଣେ ଯୁବକ । ଏହି ଭିଡିଓ ଭାଇରାଲ୍ ହେବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛି ବ୍ରହ୍ମପୁର ସଦର ଥାନା ପୁଲିସ । ଭିଡିଓକୁ ଆଧାର କରି ପ୍ରଥମେ ଅଭିଯୋଗକାରୀଙ୍କ ପାଖରେ ପହଞ୍ଚିବା ସହ ମୁଖ୍ୟ ଅଭିଯୁକ୍ତ ପ୍ରତାପ କୃଷ୍ଣଚନ୍ଦ୍ରପୁର (କାଉଖତ) ଗ୍ରାମର ଆର୍. ଶିବରାମ ଓରଫ ଅରୂପ (୨୩)କୁ ଗିରଫ କରିଛି ପୁଲିସ । କୃପାସିନ୍ଧୁପୁର ଗ୍ରାମର ପ୍ରଶାନ୍ତ ଦାସଙ୍କୁ ମାଡ଼ ମାରିଥିଲା ଅଭିଯୁକ୍ତ । ରବିବାର ପ୍ରଶାନ୍ତଙ୍କ ଅଭିଯୋଗ ଆଧାରରେ ସଦର ଥାନାରେ ମାମଲା ରୁଜୁ କରି ଅରୂପକୁ କୋର୍ଟ ଚାଲାଣ କରିଛି ପୁଲିସ । ଅଭିଯୋଗକାରୀଙ୍କ ଠାରୁ ଘଟଣାର ଭିଡିଓ ଥିବା ପେନ୍ଡ୍ରାଇଭ୍ ଜବତ କରାଯାଇଥିବା ବ୍ରହ୍ମପୁର ଏଏସ୍ପି ଆଲୋକ କୁମାର ଜେନା ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ :- Cuttack Robbery: କଟକ ସହରରେ ଲୁଟେରାଙ୍କ ଆତଙ୍କ, ମହିଳାଙ୍କୁ ଖଣ୍ଡାରେ ହାଣି ୩୬ ଲକ୍ଷ ଲୁଟିନେଲେ, ଟଙ୍କା ଥିବା ନେଇ କେମିତି ଜାଣିଲେ ?
ପ୍ରଶାନ୍ତ ଏବଂ ଅରୂପ ପୂର୍ବରୁ ଜଣାଶୁଣା । ଅଭିଯୁକ୍ତ ଅରୂପ ନାମରେ ପୂର୍ବରୁ ସଦର ଥାନାରେ ୨ଟି ଅପରାଧିକ ମାମଲା ରହିଛି । କିଛି ମାସ ତଳେ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଏକ ଅସାମାଜିକ କାମ କରିବାକୁ କହିଥିଲା । ପ୍ରଶାନ୍ତ ମନା କରିବାରୁ ତାଙ୍କୁ ଏକ କୋଠରୀରେ ବନ୍ଦ କରି ମାଡ଼ ମାରିଥିଲା । ପ୍ରଶାନ୍ତ ଅନୁସୂଚିତ ଜାତିର ବୋଲି ଜାଣି ଅରୂପ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ପ୍ଲାଷ୍ଟିକ୍ ପାଇପ୍ରେ ପିଟିଥିଲା । ଏ ସମ୍ପର୍କରେ କାହାକୁ କହିଲେ ହତ୍ୟା କରିବାକୁ ଧମକ ଦେଇଥିଲା । ଅଭିଯୁକ୍ତ ଜଣେ ଜନ ପ୍ରତିନିଧିଙ୍କ ସହଯୋଗୀ ଭାବେ କାମ କରୁଛି । ତେଣୁ ତାକୁ କେହି କିଛି କହିବାକୁ ଭୟ କରୁଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ଅରୂପକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପ୍ରେସ୍ ବିବୃତିରେ ସୂଚନା ଦେଇଛି । ତେବେ ଅଭିଯୁକ୍ତ ପାଲଟା ଅଭିଯୋଗ ଆଣିଛନ୍ତି । ତାଙ୍କ ଭଉଣୀ କୃପାସିନ୍ଧୁପୁର ବିଦ୍ୟାଳୟରୁ ଫେରୁଥିବାବେଳେ ହରିଜନ ବସ୍ତିର ପ୍ରଶାନ୍ତ ଦାସ ବିଭିନ୍ନ ସମୟରେ କମେଣ୍ଟ୍ ମାରୁଥିବାରୁ ତାକୁ ଆକ୍ରମଣ କରିଥିବା ଅଭିଯୁକ୍ତ କହିଛି ।