ଯୁକ୍ତ ଦୁଇ ପରୀକ୍ଷାରେ ବଡ଼ ସଂସ୍କାର, ସିସିଟିଭି ନ ଲାଗିଲେ ପରୀକ୍ଷା କେନ୍ଦ୍ର ବାତିଲ, ୨୦ ତାରିଖ ସୁଦ୍ଧା ସିସିଟିଭି ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ

ଭୁବନେଶ୍ବର,୬/୨: ଯୁକ୍ତ ଦୁଇ ଥିଓରି ପରୀକ୍ଷାକୁ ଆଉ ଏକ ମାସ ବାକି ରହିଲା। ଏ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା କେନ୍ଦ୍ର ରେ ସିସିଟିଭି ଲାଗିପାରିନି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ୫ଥର ତାଗିଦ୍ କରାଯିବା ପରେ ବି ପ୍ରାୟ ୩୫୦ କଲେଜ କ୍ୟାମେରା ଲଗାଇ ନାହାନ୍ତି। କଲେଜଗୁଡ଼ିକରରେ ଭିତ୍ତିଭୂମି ଅଭାବ ସାଙ୍ଗକୁ ଯେଉଁଠାରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ ମିଳିତ ଭାବେ ରହିଛି। ସେଠାରେ ସିସିଟିଭି ଲଗାଇବା ନେଇ ଏହି ସମସ୍ୟା ସୃଷ୍ଟି ହୋଇଛି। ସିସିଟିଭି ର ସୁରକ୍ଷା ନେଇ ମଧ୍ୟ କେତକ କଲେଜ ଅଧ୍ୟକ୍ଷମାନେ ପ୍ରଶ୍ନ ଉଠାଇଛନ୍ତି ଏଭଳି ସମୟରେ ପରିଷଦ କଡ଼ା ପଦକ୍ଷେପ ନେବାକୁ ଯାଉଛି। ଯେକୈାଣସି ପ୍ରକାରରେ ସିସିଟିଭି ଲଗାଇବାକୁ ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ କଡ଼ା ନିର୍ଦେଶ ଦେଇଛନ୍ତି। ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି କହିଛନ୍ତି, ଯେ ଫେବ୍ରୁଆରି ୨୦ ତାରିଖ ସୁଦ୍ଧା କ୍ୟାମ୍ପସରେ ସିସିଟିଭି ଲଗାଇ ରିପୋର୍ଟ ଦାଖଲ କର। ଯଦି ନିଦ୍ଧାରିତ ସମୟ ସୁଦ୍ଧା ସିସିଟିଭି ନ ଲଗାଇବ, ତେବେ କାର୍ଯ୍ୟାନୁଷ୍ଠାନ ହେବ। ପରୀକ୍ଷା କେନ୍ଦ୍ର ବାତିଲ୍ ହେବ। ସମ୍ପୃକ୍ତ କେନ୍ଦ୍ରର ପରୀକ୍ଷାର୍ଥୀଙ୍କୁ ନିକଟସ୍ଥ ପରୀକ୍ଷା କେନ୍ଦ୍ରର ପରୀକ୍ଷା କେନ୍ଦ୍ର ସହ ଟ୍ରାଗ୍ କରାଯିବ ବୋଲି ଆଜି କଡ଼ା ଚେତାବନୀ ଦେଇଛନ୍ତି। ଅପରପକ୍ଷେ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ପାଇଁ ଗଠିତ ହେବାକୁ ଥିବା କେନ୍ଦ୍ରୀୟ ଓ ଜୋନ୍ ସ୍ତରୀୟ ସ୍କ୍ବାଡରେ ଏଥର ଅଧ୍ୟାପକମାନେ ରହିବେ। ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଗଣଶିକ୍ଷା ବିଭାଗ ଅଧିକାରୀ ମାନେ କେନ୍ଦ୍ରୀୟ ସ୍କ୍ବାଡ଼୍ ରେ ସାମିଲ ହୋଇଥିଲେ। ଜୋନ୍ ସ୍ତରୀୟ ସ୍କ୍ବାଡ୍ ପରିଷଦର ୩ଟି ଜୋନ୍ ଅଧିକାରୀମାନଙ୍କ ସମେତ ବରିଷ୍ଠ ଅଧ୍ୟାପକମାନେ ରହୁଥିଲେ। ଏଥର ନିୟମରେ ପରିବର୍ତନ କରାଯାଇଛି। ଉଭୟ କେନ୍ଦ୍ରୀୟ ଓ ଜୋନ୍ ସ୍ତରୀୟ ସ୍କାଡ଼୍ ରେ ଅଧ୍ୟାପକମାନଙ୍କୁ ସାମିଲ କରାଯିବାକୁ ପରିଷଦ ନିଷ୍ପତ୍ତି ନେଇଛି।