ଦୁଇ ଚୋର ଗିରଫ, ୩ ବାଇକ୍ ଜବତ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ପୁଲିସ୍ ଦୁଇ ବାଇକ୍ ଚୋରଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୩ଟି ଚୋରା ବାଇକ୍ ଜବତ କରିଛି । ସେମାନେ ହେଲେ ପୁରୀ ସଦର ଥାନା ଅନ୍ତର୍ଗତ ବଡ଼ପାଲିର ବିକା ଓରଫ ରାଜେଶ ଖଣ୍ଡୁଆଳ ଓ ଗଞ୍ଜାମ ଗୋଳନ୍ଥରାର କନିସି ଓରଫ ରାଜା ପ୍ରଧାନ । ବିକା ଓ କନିସି ଗତ ୩ଦିନ ମଧ୍ୟରେ କେବଳ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ୩ଟି ବାଇକ୍ ଚୋରି କରିଥିଲେ । ପୁଲିସ ସୂଚନା ଅନୁଯାୟୀ, ବମିଖାଲର ବିଶ୍ୱନାଥ କାଣ୍ଡିୟାତ ଗତ ୨୬ ତାରିଖ ରାତିରେ ତାଙ୍କ ଘରେ ବାଇକ୍ ଥୋଇଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗେଟ୍ ଗ୍ରୀଲ୍ ତାଲା ଭାଙ୍ଗି ବାଇକ୍ ଲକ୍ ଖୋଲି ନେଇ ପଳାଇଥିଲା । ଏନେଇ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ସେହିପରି ୨୭ ଓ ୨୮ ତାରିଖରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଆଉ ଦୁଇଟି ବାଇକ୍ ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ତନାଘନା ଚଳାଇଥିଲା । ବିଶ୍ୱନାଥଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ କରି ପୁଲିସ ଦୁଇ ଚୋରଙ୍କୁ ଚିହ୍ନଟ କରିଥିଲା । ଗତକାଲି ବିଳମ୍ବିିତ ରାତିରେ ପୁଲିସ ବିକା ଓ କନିସିକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ଟି ଚୋରା ବାଇକ୍ ଜବତ କରିଥିଲା । ଆଜି ବିକା ଓ କନିସିଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।