ମାଟ୍ରିକ୍ ପାଇଁ ଗଢ଼ା ହେଲା ୨୦୨ଟି ସ୍କ୍ୱାଡ୍

source:scroll.in
କଟକ,୨୮ା୧(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପରିଚାଳନାକୁ ତ୍ରୁଟିଶୂନ୍ୟ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ୨୦୨ଟି ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଗଠନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ସ୍କ୍ୱାଡ୍ ଅଧିକାରୀଙ୍କୁ ନିୟୋଜିତ କରାଯିବ । ଜିଲ୍ଲାରେ ଥିବା ପରୀକ୍ଷା କେନ୍ଦ୍ର, ଛାତ୍ରଛାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ଭିନ୍ନଭିନ୍ନ ସଂଖ୍ୟକ ସ୍କ୍ୱାଡ୍ ଗଠନ କରାଯାଇଛି । ଆସନ୍ତା ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହେବାକୁ ଥିବା ବାର୍ଷିକ ମାଟ୍ରିକ୍ ପରୀକ୍ଷାକୁ ଏହି ସ୍କ୍ୱାଡ୍ ବ୍ୟବସ୍ଥା ଜରିଆରେ ସୂଚାରୁ ରୂପେ ପରିଚାଳନା କରାଯିବା ସହ କପିମୁକ୍ତ ରଖାଯାଇପାରିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଉଲ୍ଲେଖନୀୟ, ଗତ ୧୬ ତାରିଖରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ର ପ୍ରଶ୍ନପତ୍ର ଲିକ୍ ହେବା ପରେ ବୋର୍ଡ ପକ୍ଷରୁ ଏହି ପରୀକ୍ଷାକୁ ବାତିଲ କରି ଦିଆଯାଇଥିଲା । ଓଟିଇଟି ପ୍ରଶ୍ନ ପ୍ରଘଟ ଅଘଟଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ତ୍ରୁଟିଶୂନ୍ୟ ଓ କପିଶୂନ୍ୟ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ସେଥିପାଇଁ ନୋଡାଲ୍ ସେଣ୍ଟରରେ କଡା ନିରାପତ୍ତା ବଳୟରେ ପ୍ରଶ୍ନପତ୍ର ରଖାଯାଇ ପରୀକ୍ଷାର ୨ ଘଣ୍ଟା ପୂର୍ବରୁ ପ୍ରଶ୍ନ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ୨୦୨ଟି ସ୍କ୍ୱାଡ୍ ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ନଜର ରଖିବେ ବୋଲି ସ୍ଥିର ହୋଇଛି ।