ଭୁବନେଶ୍ୱର, ୬।୨: ଫେବ୍ରୁଆରୀ ୧୪ରେ ଜନତା ମଇଦାନରେ ଆରମ୍ଭ ହେବ ୨୦ ତମ ତୋଷାଳି ସ୍ୱଦେଶୀ ମେଳା । ଏହା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଉପଲକ୍ଷେ ଗୁରୁବାର ସ୍ଥାନୀୟ ଏକାମ୍ର ହାଟଠାରୁ ଗଡ଼ିଛି ୨ଟି ପ୍ରଚାର ରଥ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ପ୍ରଚାର ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ବ୍ରହ୍ମପୁର ପ୍ରମୁଖ ସହର ପରିକ୍ରମା କରିବ । ଏହି ଅବସରରେ ଶ୍ରୀ ସାମନ୍ତ କହିଛନ୍ତି, ଆମ ବୁଣାକାର ଓ କାରିଗର ବନ୍ଧୁମାନେ ଆମ ଗାରିମାମୟ ହସ୍ତତନ୍ତ ହସ୍ତଶିଳ୍ପ ପରମ୍ପରାର ସୂତ୍ରଧର । ସେମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବା ପାଇଁ ଆମେ ଏହି ଭବ୍ୟ ସ୍ୱଦେଶୀମେଳାର ଆୟୋଜନ କରୁଛୁ । ଏଥିରେ ସମସ୍ତ ରାଜ୍ୟର ବୁଣାକାର ଓ କାରିଗରମାନେ ଅଂଶ ଗ୍ରହଣ କରିବେ ।

ଏହି ମେଳା ସମ୍ପର୍କରେ ବ୍ୟାପକ ଜନସଚେତନତା ପାଇଁ ୨ଟି ପ୍ରଚାର ରଥ ଆଜି ଗଡ଼ିଛି । ସମସ୍ତେ ମେଳାକୁ ଆସନ୍ତୁ ସାସ୍କୃତିକ କାର୍ଯ୍ୟକ୍ରମ ଦେଖନ୍ତୁ, ଖାଦ୍ୟର ମଜା ନିଅନ୍ତୁ । ଆଉ ଘରକୁ ଫେରି ଗଲାବେଳେ ସ୍ୱଦେଶୀ ସାମଗ୍ରୀ କିଣିକରି ନିଅନ୍ତୁ, ଯାହାଦ୍ୱାରା କାରିଗରମାନଙ୍କୁ ଆର୍ଥିକ ସହଯୋଗ ମିଳିପାରିବ । ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଭାକର ମହାରଣା, ପଦ୍ମଶ୍ରୀ ଇଲିଆନା ସୀତାରିଷ୍ଟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧରୀ, ହସ୍ତଶିଳ୍ପ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ସେରିଫେଡର ପରିଚାଳନା ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ସିଡାକର ସଦସ୍ୟ ସଚିବ ଚିନ୍ମୟୀ ବିଶ୍ୱାଳ, ଉପ ଶାସନ ସଚିବ ସୁବ୍ରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଦର୍ଶକ ଦେଖିବେ ୩ଟି ଥିମ୍ ପାଭିଲିଅନ:

ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ବିକାଶ ଆୟୁକ୍ତ (ହସ୍ତଶିଳ୍ପ ଏବଂ ହସ୍ତତନ୍ତ)ର ମିଳିତ ଆନୁକୂଲ୍ୟରେ ଜନତା ମଇଦାନରେ ଆୟୋଜିତ ହେବ ତୋଷାଳୀ ସ୍ୱଦେଶୀ ମେଳା । ଏଥିରେ ମୁଖ୍ୟ ଆକର୍ଷଣ ସାଜିବ ୩ଟି ଥିମ୍ ପାଭିଲିଅନ୍ । ଯେଉଁଥିରେ ହସ୍ତତନ୍ତ, ହସ୍ତଶିଳ୍ପ ଓ ରେଶମ କ୍ଷେତ୍ରକୁ ନେଇ ପୃଥକ ଭାବେ ପାଭିଲିଅନ୍ ଦେଖାଯିବ । ଏଥିରେ ଜୀବନ୍ତ ପ୍ରଦର୍ଶନୀ (ଲାଇଭ୍ ଡେମୋନ୍ଷ୍ଟ୍ରେସନ୍) ପ୍ରଦର୍ଶିତ ହେବ । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ, ହ୍ୱିଲ ଚେୟାର ଶୌଚାଳୟ ଏବଂ ମା' ଓ ନବଜାତ ଶିଶୁଙ୍କ ପାଇଁ ଯତ୍ନ କକ୍ଷର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ "ଫ୍ୟାସନ ସୋ' ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ... ୧୯ରୁ ମାଟ୍ରିକ୍‌ : ବୋର୍ଡ ୱେବ୍‌ସାଇଟ୍‌ରେ ଆଡମିଟ୍‌ କାର୍ଡ, ୩ ହଜାର ୫ ସେଣ୍ଟର୍‌ରୁ ହେବ ସିଧା ପ୍ରସାରଣ