କଟକ, ୦୬/୦୨ : ଚଳିତ ମାସ ୧୯ ତାରିଖରେ ମାଟ୍ରିକ୍‌ ପରୀକ୍ଷା । ୫ ଲକ୍ଷ ୪୬ ହଜାର ୫୮୨ ପରୀକ୍ଷାର୍ଥୀଙ୍କ ଆଡମିଟ୍‌କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ୱେବ୍‌ସାଇଟ୍‌ରେ ଉପଲବ୍‌ଧ ହେଉଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରି ପରୀକ୍ଷାର୍ଥୀଙ୍କୁ ଦେଇପାରିବେ । ଆଡମିଟ୍‌ କାର୍ଡରେ ତ୍ରୁଟି ଥିଲେ ପ୍ରଧାନଶିକ୍ଷକ ବୋର୍ଡକୁ ଅବଗତ କରାଇ ତାହାର ସଂଶୋଧନ କରିପାରିବେ । ଆଡମିଟ୍‌କାର୍ଡର ମୂଳ କପି ରାଜ୍ୟର ସମସ୍ତ ସେଣ୍ଟର୍‌ରେ ଆସନ୍ତା ସପ୍ତାହରେ ପହଞ୍ଚିଯିବ । ପରୀକ୍ଷା କେନ୍ଦ୍ରରୁ ପ୍ରଧାନଶିକ୍ଷକ ଆଡମିଟ୍‌କାର୍ଡ ନେଇ ପରୀକ୍ଷାର୍ଥୀଙ୍କୁ ଦେଇପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।

ପରୀକ୍ଷାରେ ଅନିୟମିତତା ରୋକିବା ଲାଗି ରାଜ୍ୟର ୩୨୨ଟି ଯାକ ନୋଡାଲ୍‌ ସେଣ୍ଟର୍‌ ସମେତ ପରୀକ୍ଷା କେନ୍ଦ୍ର ମିଶି ମୋଟ ୩ ହଜାର ୫ଟି କେନ୍ଦ୍ରରେ ପରୀକ୍ଷା ସମୟରେ ସିଧା ପ୍ରସାରଣ କରାଯିବ । କପି ରୋକିବା ପାଇଁ ୩୭ ସ୍କ୍ୱାଡ୍‌ ଗଠନ କରାଯାଇଛି । ଡିଇଓମାନେ ୭୨ ସ୍କ୍ୱାଡ୍‌ ଗଠନ କରିବେ । ସେହିପରି ଜିଲ୍ଲାପାଳମାନେ ପୃଥକ ସ୍କ୍ୱାଡ୍‌ ଗଠନ କରିବେ । ସ୍କ୍ୱାଡ୍‌ ଗଠନ ଏବଂ ଓ ପରୀକ୍ଷା କେନ୍ଦ୍ର ସ୍ଥିତି ଜାଣିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ୩୦ଟି ଯାକ ଜିଲ୍ଲାର ଡିଓଇମାନଙ୍କ ସହ ଭର୍ଚୁଆଲ୍‌ରେ ସମୀକ୍ଷା କରିଛନ୍ତି ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୧୪ କେନ୍ଦ୍ରରେ ୪୪ ହଜାର ୩୯୨ ପ୍ରାର୍ଥୀ ପରୀକ୍ଷା ଦେବେ । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୧୮୦ କେନ୍ଦ୍ରରେ ୩୧ ହଜାର ୮୦୬ ପରୀକ୍ଷାର୍ଥୀ ଓ ବାଲେଶ୍ୱର ଜିଲ୍ଲାରେ ୧୮୧ କେନ୍ଦ୍ରରେ ୩୧ ହଜାର ୮୦ ଜଣ ପରୀକ୍ଷା ଦେବେ । ତେବେ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୩୨ଟି କେନ୍ଦ୍ରରେ ୪ହଜାର ୫୭ ଜଣ ପରୀକ୍ଷା ଦେବେ । ମାଲକାନଗିରି ଜିଲ୍ଲାର ୮ଟି ଥାନା ଓ ଦୁଇଟି ଫାଣ୍ଡିରେ ପ୍ରଶ୍ନପତ୍ର ଗଚ୍ଛିତ ରହିବ । ସେହିପରି କନ୍ଧମାଳ ଜିଲ୍ଲାରେ ୭ଟି ଥାନାରେ ନୋଡାଲ୍‌ ସେଣ୍ଟର୍‌ କରାଯାଇ ପ୍ରଶ୍ନପତ୍ର ରଖାଯିବାର ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଖବରଟିକୁ ପଢନ୍ତୁ- ଓସେପାର କଡ଼ା ନିର୍ଦ୍ଦେଶ : ଫେବ୍ରୁଆରୀ ୧୫ ସୁଦ୍ଧା ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ଯାଏ ଦିଅ ୟୁନିଫର୍ମ