ଭଦ୍ରକ, ୧୮/୧୧: ରାସ୍ତାରୁ ଧରି ପରିତ୍ୟକ୍ତ ଘରେ ଗୋରୁ ଓ ଷଣ୍ଢ ବାନ୍ଧୁ ଥିଲେ। ମଉକା ଦେଖି ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତେ। ଚାଲାଣ ପୂର୍ବରୁ ରାତି ତମାମ ଜଗି ଗୋରୁଙ୍କୁ ଉଦ୍ଧାର କଲେ ଗୋ'ରକ୍ଷକ। ଭଦ୍ରକ ପୁରୁଣା ବଜାର ଥାନା ଅଧୀନ ପଠାନମହଲାର ନିକଟରୁ ୨୨ ଗୋରୁ ସମେତ ୪ଟି ଷଣ୍ଢ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅଧୀନ ପଠାନମହଲାର ଏକ ଅର୍ଦ୍ଧ ନିର୍ମିତ ଘର ଭିତରେ ବେଆଇନ ଭାବେ ଗୋରୁଙ୍କୁ ଏକାଠି କରାଯାଉଥିଲା। ବିଭିନ୍ନ ସ୍ଥାନରେ ରାସ୍ତାରେ ବୁଲୁଥିବା ଗୋରୁ ଓ ଷଣ୍ଢଙ୍କୁ ଧରି ଚୋରା ଚାଲାଣ ପାଇଁ ଏଠାରେ ରଖାଯାଇଥିଲା। ଏହି ଖବର ପାଇବା ପରେ ଗୋ'ରକ୍ଷକମାନେ ଏହି ଘରକୁ ରାତି ତମାମ ଜଗି ରହିଥିଲେ । ଏନେଇ ଭଦ୍ରକ ଏସପିଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ। ଘଟଣାସ୍ଥଳରେ ପୁରୁଣା ବଜାର ପୁଲିସ ପହଞ୍ଚି ୨୨ ଗୋରୁ ଓ ୪ ଷଣ୍ଢ ଉଦ୍ଧାର କରିଥିଲେ।। ସୋମବାର ବିଳମ୍ବିତ ରାତିରେ ଏହି ଗୋରୁଙ୍କୁ ପଶ୍ଚିମବଙ୍ଗ ଚାଲାଣ କରାଯାଇଥାନ୍ତା, ତା ପୂର୍ବରୁ ଗୋରୁଙ୍କୁ ଉଦ୍ଧାର କରାଯାଇଛି।