PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

୨୦ ଟଙ୍କା ପାଇଁ ରେଳବାଇ ସହ ୨୨ ବର୍ଷ ଲଢ଼େଇ, ସୁଧ ସହ ଟଙ୍କା ଫେରାଇବାକୁ ରାୟ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ ୧୨/୦୮: ଜଣେ ବ୍ୟକ୍ତିଙ୍କଠାରୁ ଟ୍ରେନ୍‌ ଟିକେଟ୍‌ ବାବଦକୁ ଅଧିକ ଟଙ୍କା ନିଆଯାଇଥିଲା । ଘଟଣାର ୨୨ ବର୍ଷ ପରେ ସେ ଏହି କେସ୍‌ ଜିତିଛନ୍ତି । ଓକିଲ ତୁଙ୍ଗନାଥ ଚତୁର୍ବେଦୀଙ୍କଠାରୁ ୧୯୯୯ ମସିହାରେ ଦୁଇଟି ଟିକେଟ୍‌ କିଣିବା ପାଇଁ ଅତିରିକ୍ତ ୨୦ ଟଙ୍କା ନିଆଯାଇଥିଲା । ଉତ୍ତରପ୍ରଦେଶର ମଥୁରା କ୍ୟାଣ୍ଟନ୍‌ମେଣ୍ଟ ରେଳ ଷ୍ଟେସନ୍‌ରେ ଏହି ଘଟଣା ଘଟିଥିଲା । ଏହାର ୨୨ ବର୍ଷ ପରେ କଂଜ୍ୟୁମର କୋର୍ଟ ଚତୁର୍ବେଦୀଙ୍କ ପକ୍ଷରେ ରାୟ ଶୁଣାଇଛନ୍ତି । ଟିକେଟ୍‌ ବାବଦରେ ତାଙ୍କଠାରୁ ନିଆଯାଇଥିବା ଅତିରିକ୍ତ ୨୦ ଟଙ୍କାକୁ ସୁଧ ସହିତ ଫେରାଇବାକୁ ରେଳବାଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୬୬ ବର୍ଷୀୟ ଚତୁର୍ବେଦୀ ଏକ ଗଣମାଧ୍ୟମକୁ କହିଛନ୍ତି ‘ଏହି ମାମଲାରେ ୧୦୦ରୁ ଅଧିକ ଶୁଣାଣିରେ ମୁଁ କୋର୍ଟକୁ ଦୌଡ଼ିଛି । ମାମଲା ଲଢ଼ିବାରେ ମୁଁ ଯେଉଁ ଶକ୍ତି ଓ ସମୟ ହରାଇଛି, ତା’ର ମୂଲ୍ୟ କେହି ଦେଇପାରିବେ ନାହିଁ ।’ ୧୯୯୯ ମସିହାରେ ଉତ୍ତରପ୍ରଦେଶ ବାସିନ୍ଦା ଚତୁର୍ବେଦୀ ଟ୍ରେନ୍‌ରେ ମଥୁରାରୁ ମୋରାଦାବାଦ ଯାତ୍ରା କରୁଥିଲେ । ଟିକେଟ୍‌ ବୁକ୍‌ କରୁଥିବା ଜଣେ କିରାଣୀ ଦୁଇଟି ଟିକେଟ୍‌ ପାଇଁ ତାଙ୍କଠାରୁ ଅତିରିକ୍ତ ୨୦ ଟଙ୍କା ନେଇଥିଲେ । ଗୋଟିଏ ଟିକେଟ୍‌ର ମୂଲ୍ୟ ଥିଲା ୩୫ ଟଙ୍କା । କିନ୍ତୁ ଚତୁର୍ବେଦୀ ଯେତେବେଳେ ୧୦୦ ଟଙ୍କା ଦେଲେ, କିରାଣୀ ତାଙ୍କୁ ୧୦ ଟଙ୍କା ଫେରାଇଲେ । ୭୦ ଟଙ୍କା ବଦଳରେ ସେ ଚତୁର୍ବେଦୀଙ୍କଠାରୁ ୯୦ ଟଙ୍କା ନେଇଥିଲେ । ବାକି ଟଙ୍କା ନ ଫେରାଇବାରୁ ଉତ୍ତର- ପୂର୍ବ ରେଳବାଇ (ଗୋରଖପୁର) ଓ ଟିକେଟ୍‌-ବୁକିଂ କିରାଣୀଙ୍କ ବିରୋଧରେ ମଥୁରା କୋର୍ଟରେ ଏକ ମାମଲା ରୁଜୁ କରିବାକୁ ଚତୁର୍ବେଦୀ ନିଷ୍ପତ୍ତି ନେଲେ । ଭାରତରେ ନ୍ୟାୟିକ ବ୍ୟବସ୍ଥାର ମନ୍ଥରତା ଯୋଗୁ ମାମଲାର ରାୟ ଆସିବାକୁ ଦୀର୍ଘ ବର୍ଷ ଲାଗିଗଲା ବୋଲି ଚତୁର୍ବେଦୀ କହିଛନ୍ତି ।

ଚତୁର୍ବେଦୀ କହିଛନ୍ତି, ରେଳବାଇ ବିରୋଧୀ ଅଭିଯୋଗକୁ ରେଳବାଇ ଟ୍ରିବ୍ୟୁନାଲରେ ସମାଧାନ କରିବା ଉଚିତ ବୋଲି ଦର୍ଶାଇ ରେଳବାଇ ପକ୍ଷରୁ ମାମଲା ଖାରଜ କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା । କିନ୍ତୁ କଂଜ୍ୟୁମର କୋର୍ଟରେ ଏହି ମାମଲାର ଶୁଣାଣି ହୋଇପାରିବ ବୋଲି ପ୍ରମାଣ କରିବାକୁ ସେ ୨୦୨୧ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଦର୍ଶାଇଥିଲେ । ବିଭିନ୍ନ କାରଣ ପାଇଁ ବିଚାରପତିମାନେ ଛୁଟିରେ ଥିବାରୁ ଶୁଣାଣି ତାରିଖ ବାରମ୍ବାର ଘୁଞ୍ଚିଥିଲା ବୋଲି ସେ କହିଛନ୍ତି । ଦୀର୍ଘ ଦିନର ଲଢ଼େଇ ପରେ ଚତୁର୍ବେଦୀଙ୍କୁ ୧୫ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି । ଚତୁର୍ବେଦୀ ଦେଇଥିବା ଅତିରିକ୍ତ ୨୦ ଟଙ୍କାକୁ ୧୯୯୯ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ବର୍ଷ ପିଛା ୧୨ ପ୍ରତିଶତ ସୁଧ ସହିତ ଫେରାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାଶି ଯଦି ୩୦ ଦିନ ମଧ୍ୟରେ ଦିଆନଯାଏ, ସୁଧ ହାର ୧୫ ପ୍ରତିଶତକୁ ବୃଦ୍ଧି କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଚତୁର୍ବେଦୀ କହିଛନ୍ତି, ଏହି କ୍ଷତିପୂରଣ ଅତି ନଗଣ୍ୟ । କାରଣ ଏଥିପାଇଁ ଦୀର୍ଘଦିନରୁ ସେ ଯେଉଁ ମାନସିକ ପୀଡ଼ାରେ ରହିଛନ୍ତି, କ୍ଷତିପୂରଣ ରାଶି ତାହା ଭରଣା କରିପାରିବ ନାହିଁ । ସମୟର ଅପଚୟ ବୋଲି କହି ମାମଲା ପ୍ରତ୍ୟାହାର କରିନେବାକୁ ପରିବାର ଲୋକେ ତାଙ୍କୁ ଅନେକ ଥର କହିଛନ୍ତି । ସେ କିନ୍ତୁ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ ।

ସେ କହନ୍ତି, ଟଙ୍କା ବଡ଼ କଥା ନୁହେଁ । ଏହି ଲଢ଼େଇ ନ୍ୟାୟ ଓ ଦୁର୍ନୀତି ବିରୋଧରେ ଥିଲା । ତେଣୁ ଏହା ମୂଲ୍ୟବାନ । ଜଣେ ଓକିଲ ହୋଇଥିବାରୁ ମାମଲା ଲଢ଼ିବା ପାଇଁ ଓକିଲକୁ ଅର୍ଥ ଦେବା ଓ କୋର୍ଟକୁ ଦୌଡ଼ିବାରେ ତାଙ୍କର ଖର୍ଚ୍ଚ ହୋଇନାହିଁ । ଅନ୍ୟଥା ଏହା ତାଙ୍କ ପାଇଁ ଆହୁରି ଯନ୍ତ୍ରଣାଦାୟକ ହୋଇଥାନ୍ତା ।

ସମ୍ବନ୍ଧିତ ଖବର