- ସୃଷ୍ଟି ହେବ ୧୯,୯୨୪ ନିଯୁକ୍ତି ସୁଯୋଗ
- ଢେଙ୍କାନାଳରେ ହେବ ଏକ ବ୍ୟାଟେରି ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ ପ୍ରକଳ୍ପ
- ଖୋର୍ଦ୍ଧାରେ ହେବ ପୋଷାକ ଉତ୍ପାଦନ ୟୁନିଟ୍
ଭୁବନେଶ୍ୱର, ୬।୬ : ରାଜ୍ୟରେ ଆଉ ୨୪ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ୧୪ଟି ଜିଲ୍ଲାରେ ଏହି ଶିଳ୍ପ ପ୍ରକଳ୍ପ ହେବ। ଏହି ପ୍ରକଳ୍ପଗୁଡିକ ମାଧ୍ୟମରେ ୩୭୯୩.୩୩ କୋଟି ଟଙ୍କା ପୁଞ୍ଜି ନିବେଶ ହେବ । ଏହା ଦ୍ବାରା ୧୯,୯୨୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ (SLSWCA) ବୈଠକରେ ଏହି ଅନୁମୋଦନ ମିଳିଛି। ଏହି ଅନୁମୋଦନଗୁଡ଼ିକ ଓଡ଼ିଶାର ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ନିଯୁକ୍ତି-କେନ୍ଦ୍ରିତ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ।
ଏହି ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ଢେଙ୍କାନାଳ, ଝାରସୁଗୁଡ଼ା, କୋରାପୁଟ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀର, ପୁରୀ, କଟକ, ସୁନ୍ଦରଗଡ଼, ଗଞ୍ଜାମ, ଜଗତସିଂହପୁର ଏବଂ ମୟୂରଭଞ୍ଜ ସମେତ ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ। ଯାହା ଆଞ୍ଚଳିକ ଭାବରେ ସନ୍ତୁଳିତ ଶିଳ୍ପ ବିକାଶ ଏବଂ ବିସ୍ତାରିତ ନିଯୁକ୍ତି ସୁଯୋଗ ସୁନିଶ୍ଚିତ କରିବ। ଇସ୍ପାତ, ଗ୍ରୀନ୍ ଏନର୍ଜି, , ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ ଓ ଇଭି (EV) ଭଳି ବିଭିନ୍ନ ବିଭିନ୍ନ କ୍ଷେତ୍ରକୁ ଏଥିରେ ସାମିଲ କରାଯାଇଛି।
ଶକ୍ତି ସଂରକ୍ଷଣ ଏବଂ ଉନ୍ନତ ଉତ୍ପାଦନ କ୍ଷେତ୍ରରେ, CESC ଗ୍ରୀନ୍ ପାୱାର ଲିମିଟେଡ୍ ଢେଙ୍କାନାଳରେ ୬୮୩.୮୩ କୋଟି ନିବେଶ ସହିତ ଏକ ବ୍ୟାଟେରି ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ ପ୍ରକଳ୍ପ ସ୍ଥାପନ କରିବ । ଏଭିପି ଷ୍ଟାର ପ୍ରା.ଲିଃ. ଖୋର୍ଦ୍ଧା ଜିଲ୍ଲାରେ ୫୦୦ କୋଟି ଟଙ୍କାର ବିନିଯୋଗରେ ଏକ ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ (ହୀରା) ଉତ୍ପାଦନ କାରଖାନା ସ୍ଥାପନ କରିବ । ଏହି ପ୍ରକଳ୍ପ ଦ୍ୱାରା ୫୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ବୟନ ଏବଂ ପୋଷାକ କ୍ଷେତ୍ରରେ ନନ୍ଦରାଜ ଟେକ୍ସଟାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍ ୧୬୮.୬୪ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ଏକ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଯାହା ଦ୍ୱାରା ୧୦,୩୦୬ ନିଯୁକ୍ତି ସୃଷ୍ଟି ହେବ। ଯାହା ଏହି ମଞ୍ଜୁରୀରେ ଅନୁମୋଦିତ ସର୍ବବୃହତ ନିଯୁକ୍ତି ସୃଷ୍ଟିକାରୀ ପ୍ରକଳ୍ପ ହେବ। ଶାହି ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୧୪୫.୫୦ କୋଟି ବିନିଯୋଗରେ ସମ୍ବଲପୁରରେ ଏକ ବୁଣା ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଯାହା ଦ୍ୱାରା ୧୮୪୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମା’ ତାରାତାରିଣୀ ଟେକ୍ସଟାଇଲ୍ ପାର୍କ ପ୍ରାଇଭେଟ୍ ଲିମିଟେଡ୍ ୭୦ କୋଟି ବିନିଯୋଗରେ ଗଞ୍ଜାମରେ ଏକ ସମନ୍ୱିତ ବସ୍ତ୍ର ପ୍ରକଳ୍ପ ବିକଶିତ କରିବ। ଏଥିରେ ୩୫୦ ଜଣ ନିଯୁକ୍ତି ପାଇବେ।
ପର୍ଯ୍ୟଟନ ଏବଂ ଆତିଥ୍ୟ କ୍ଷେତ୍ରରେ ଏକାଧିକ ଆତିଥ୍ୟ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସ୍ୱସ୍ତି ପ୍ରିମିୟମ୍ ଲିମିଟେଡ୍ ୨୫୦ କୋଟି ବିନିଯୋଗରେ କୋରାପୁଟରେ ଏକ ପାଞ୍ଚ ତାରକା ରିସର୍ଟ ସ୍ଥାପନ କରିବ। ଯାହା ଦ୍ୱାରା ୪୮୦ ନିଯୁକ୍ତି ସୃଷ୍ଟି ହେବ। ଏସଏନଏମ ହୋଟେଲ୍ସ ଆଣ୍ଡ୍ ରିସର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୧୩୩.୩୪କୋଟି ନିବେଶରେ କୋରାପୁଟରେ ଏକ ରିସର୍ଟ ପ୍ରତିଷ୍ଠା କରିବ। ଯାହା ଫଳରେ ୧୭୩ ଜଣ ନିଯୁକ୍ତି ପାଇବେ। ଶ୍ରୀ ଇକୋ ରିସର୍ଟସ୍ ୧୦୫.୬୦ କୋଟି ନିବେଶରେ କେଉଁଝରରେ ଏକ ଇକୋ-ରିସର୍ଟ ଏବଂ ଓ୍ବାଟର ଆମ୍ୟୁଜମେଣ୍ଟ ପାର୍କ କରିବ। ଯାହା ଫଳରେ ୨୪୦ ଜଣ ନିଯୁକ୍ତି ପାଇବେ। ସୈଲାବାଲା ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍ ୯୨.୮୦ କୋଟି ନିବେଶରେ ପୁରୀରେ ଏକ ରିସର୍ଟ ପ୍ରତିଷ୍ଠା କରିବ। ସୂର୍ଯ୍ୟ ଉଦ୍ୟୋଗ ଲିମିଟେଡ୍ ୭୦ କୋଟି ନିବେଶରେ ଜଗତ୍ସିଂହପୁରରେ ଏକ ୪ ତାରକା ହୋଟେଲ କରିବ। ପ୍ରତ୍ୟକ୍ଷ ହୋଟେଲ୍ ଆଣ୍ଡ୍ ରିସର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୭୦ କୋଟି ନିବେଶରେ କୋରାପୁଟରେ ଏକ ରିସର୍ଟ ପ୍ରତିଷ୍ଠା କରିବ। ଏଥିରେ ୧୭୦ ଜଣ ନିଯୁକ୍ତି ପାଇବେ। ଲେହର୍ଶ ଏକ୍ସପୋର୍ଟସ୍ ଆଣ୍ଡ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ୬୦ କୋଟି ନିବେଶରେ ସୁନ୍ଦରଗଡ଼ରେ ଏକ ରିସର୍ଟ ପ୍ରତିଷ୍ଠା କରିବ। ପ୍ରାଚୀ ଏଣ୍ଟରପ୍ରାଇଜେସ୍ ମୟୂରଭଞ୍ଜରେ ୫୨ କୋଟି ବିନିଯୋଗରେ ଏକ ଇକୋ-ରିସର୍ଟ ଏବଂ ଓ୍ବାଟର ଆମ୍ୟୁଜମେଣ୍ଟ ପାର୍କ ପ୍ରତିଷ୍ଠା କରିବ।
ଇସ୍ପାତ, ଧାତୁ-ଭିତ୍ତିକ ଡାଉନଷ୍ଟ୍ରିମ୍ ଏବଂ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ, ଜେଏସଡବ୍ଲୁ ସିଭରଫିଲ୍ଡସ୍ ଷ୍ଟ୍ରକ୍ଚର୍ସ ଲି. ଯାଜପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିନିଯୋଗରେ ଏକ ଇସ୍ପାତ ଫ୍ୟାବ୍ରିକେସନ୍ ୟୁନିଟ୍ ସ୍ଥାପନ କରିବ । ଏହା ଦ୍ୱାରା ୧୪୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି କୋଶାଲ ସେରାମିକ୍ସ ପ୍ରା.ଲି. ଝାରସୁଗୁଡ଼ା ଜିଲ୍ଲାରେ ୨୭୫.୦୭ କୋଟି ଟଙ୍କାର ବିନିଯୋଗରେ ରିଫ୍ରାକ୍ଟୋରି ଇଟା ଏବଂ ମୋନୋଲିଥିକ୍ ଉତ୍ପାଦନ କାରଖାନାର ସମ୍ପ୍ରସାରଣ କରିବ, ଯାହା ଦ୍ୱାରା ୧,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏନଭିରୋକେୟାର ଇନଫ୍ରାସଲ୍ୟୁସନ ପ୍ରା.ଲି. ସୁନ୍ଦରଗଡ଼ ଜିଲ୍ଲାରେ ୮୧ କୋଟି ଟଙ୍କାର ବିନିଯୋଗରେ ରଙ୍ଗ-ଆବୃତ ଇସ୍ପାତ ସିଟ୍, ଜିଆଇ ସିଟ୍ ଏବଂ ଷ୍ଟ୍ରକ୍ଚରାଲ୍ କମ୍ପୋନେଣ୍ଟସ୍ ଉତ୍ପାଦନ ୟୁନିଟ୍ କରିବ। ଏହାଛଡ଼ା, ‘ବିଷ୍ଣୁ ଷ୍ଟିଲ’ ଖୋର୍ଦ୍ଧା ଜିଲ୍ଲାରେ ୫୧.୮୩ କୋଟି ଟଙ୍କାର ବିନିଯୋଗରେ ଏକ ଷ୍ଟେନଲେସ୍ ଷ୍ଟିଲ୍ ପାଇପ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ।
ଲଜିଷ୍ଟିକ୍ସ ଓ ଭିତ୍ତିଭୂମି କ୍ଷେତ୍ରରେ ଏମ ଏସ ଇନଫ୍ରା ଇଂଜିନିୟର୍ସ ପ୍ରା. ଲି. ସମ୍ବଲପୁର ଜିଲ୍ଲାରେ ୧୧୨.୫୨କୋଟି ଟଙ୍କା ବିନିଯୋଗରେ ଏକ ଗୋଦାମ ଗୃହ ସହ ଲଜିଷ୍ଟିକ୍ ପାର୍କ ସ୍ଥାପନ କରିବ । ଇନେକ୍ସ ଇକୋ ଲଡିଷ୍ଟିକ୍ସ ବଲାଙ୍ଗୀର ଜିଲ୍ଲାରେ ୧୦୩.୨୦ କୋଟି ଟଙ୍କାର ବିନିଯୋଗରେ ମଧ୍ୟ ଲଜିଷ୍ଟିକ୍ ଏବଂ ଗୋଦାମ ଭିତ୍ତିଭୂମି ବିକାଶ କରିବ । ହିନ୍ଦୁସ୍ଥାନ କୋକା-କୋଲା ବିଭରେଜେସ୍ ପ୍ରା.ଲି. ଖୋର୍ଦ୍ଧା ଜିଲ୍ଲାରେ ୩୦୦ କୋଟି ଟଙ୍କାର ବିନିଯୋଗରେ ଏହାର ଏରେଟେଡ୍ ଡ୍ରିଙ୍କ୍ସ (କାର୍ବୋନେଟେଡ୍ ପାନୀୟ) ଉତ୍ପାଦନ କ୍ଷମତାର ସମ୍ପ୍ରସାରଣ କରିବ । ଏହା ଦ୍ୱାରା ୯୯୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଜୟ ଭବାନୀ ଫୁଡ୍ ପ୍ରା.ଲି. କଟକ ଜିଲ୍ଲାରେ ୯୨ କୋଟି ଟଙ୍କାର ବିନିଯୋଗରେ ଏକ ବାର୍ ସୋପ୍ (ସାବୁନ୍ ଖଣ୍ଡ) ଉତ୍ପାଦନ ୟୁନିଟ୍ କରିବ` ଯାହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଲିଥ୍ରୋସ୍ ବ୍ୟାଟେରିଜ୍ ଇଣ୍ଡିଆ ପ୍ରା.ଲି. ଖୋର୍ଦ୍ଧା ଜିଲ୍ଲାରେ ୬୦ କୋଟି ଟଙ୍କା ବିନିଯୋଗରେ ବୈଦ୍ୟୁତିକ ଯାନ ବ୍ୟାଟେରି ଏବଂ ଇନଭର୍ଟର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏହି ପ୍ରକଳ୍ପ ମାଧ୍ୟମରେ ୩୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଜସ୍ପର ଇକୋ ପ୍ରଡକ୍ଟ ପ୍ରା.ଲି. ଖୋର୍ଦ୍ଧା ଜିଲ୍ଲାରେ ୫୧ କୋଟି ଟଙ୍କାର ବିନିଯୋଗରେ ଏକ କୋରୁଗେଟେଡ୍ ବକ୍ସ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏହାଛଡ଼ା, ଏକାଂଶ ଆଗ୍ରୋ ଫୁଡ୍ ପ୍ରଡକ୍ଟସ୍ ପ୍ରା.ଲି. ଖୋର୍ଦ୍ଧା ଜିଲ୍ଲାରେ ୫୦ କୋଟି ଟଙ୍କାର ବିନିଯୋଗରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ । ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଶିଳ୍ପ ଭିତ୍ତିକୁ ଆହୁରି ସୁଦୃଢ଼ କରିବ ।