ଗେଷ୍ଟ ହାଉସ୍ରେ ଗଞ୍ଜେଇ ଡିଲ୍: ୨୫ କେଜି ଗଞ୍ଜେଇ ଜବତ, ୬ ଦଲାଲ୍ ଗିରଫ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ରାଜଧାନୀର କିଛି ହୋଟେଲ୍ରେ ଚାଲିଛି ଗଞ୍ଜେଇ ଡିଲ୍ । ଏଠି କୋରାପୁଟ ଓ ଫୁଲବାଣୀ ଗଞ୍ଜେଇ ମାଫିଆ ଓ ଦଲାଲଙ୍କ ଭିଡ଼ ଜମୁଛି । ପୁଲିସ ଆଖିରେ ଆଙ୍ଗୁଳି ଗେଞ୍ଜି ଖୁଲମଖୁଲା ବେପାର ଚାଲୁଛି । ଚନ୍ଦ୍ରକଳା ଗେଷ୍ଟହାଉସ୍ରେ ଏଭଳି ଏକ ଗଞ୍ଜେଇ ଡିଲ୍ ଚାଲିଥିବା ବେଳେ କ୍ୟାପିଟାଲ ଥାନା ଚଢ଼ଉ କରିଛି । ସେଠାରୁ ୨ ଜଣ ବେପାରୀ ଓ ୪ଜଣ ଦଲାଲ୍ଙ୍କୁ ଧରି ସେମାନଙ୍କ ନିକଟରୁ ୨୫ କେଜି ଗଞ୍ଜେଇ ଜବତ କରିଛି । ଗିରଫ ମାନେ ହେଲେ କନ୍ଧମାଳ ଗୋଛାପଡା ଥାନା ନିକଟସ୍ଥ କେନ୍ଦୁଗୁଡା ଗ୍ରାମର ଅଜୟ ଦିଗାଲ(୨୦), ପୋକରିର ପଦର୍ଶନ ଦିଗାଲ(୨୨), କେନ୍ଦୁଗୁଡାର ସୁଲଜିତ ବଗର୍ତ୍ତି(୨୩), ପ୍ରଫୁଲ୍ଲ ଦିଗାଲ(୩୫), ମଧୁ ବଗର୍ତ୍ତି (୩୦) ଓ ଦୀନବନ୍ଧୁ ଦିଗାଲ(୩୫) । ଗତକାଲି ରାତି ସାଢ଼େ ୧୦ଟା ବେଳେ କନ୍ଧମାଳରୁ ୬ ଜଣ ଯୁବକ ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟ ଚନ୍ଦ୍ରକଳା ଗେଷ୍ଟ ହାଉସରେ ପହଞ୍ଚିଥିଲେ । ରୁମ୍ରେ ଚେକ୍ ଇନ୍ ବେଳେ ସେମାନଙ୍କ ଗତିବିଧି ଦେଖି ଗେଷ୍ଟ ହାଉସ୍ କର୍ମଚାରୀଙ୍କ ସନ୍ଦେହ ଉପୁଜିଲା । କର୍ମଚାରୀଙ୍କ ଠାରୁ ଖବର ପାଇ କ୍ୟାପିଟାଲ ଥାନା ପୁଲିସ ସଦଳବଳେ ସେଠାରେ ଚଢ଼ଉ କରିଥିଲା । ରୁମ୍ ଭିତରୁ ଦୁଇଟି ବ୍ୟାଗରୁ ପୁଳାପୁଳା ଗଞ୍ଜେଇ ବାହାରିଥିଲା । ଏଥିରେ ସଂପୃକ୍ତ ଅଭିଯୋଗରେ ୬ଜଣଙ୍କୁ ଗିରଫ କରିଥିଲା । ସେମାନେ କନ୍ଧମାଳ ଅଞ୍ଚଳରୁ ଗଞ୍ଜେଇ ଆଣି ଅନେକ ଥର ଭୁବନେଶ୍ୱର,କଟକ, ବ୍ରହ୍ମପୁର ଆଦି ଅଞ୍ଚଳରେ ଚଢ଼ା ଦରରେ ବିକିଥିବା କହିଥିଲେ । ତେବେ ଏଥର ଗଞ୍ଜେଇ ବେପାରୀଙ୍କ ସହ ଡିଲ୍ ପୂର୍ବରୁ ପୁଲିସ ସବୁ ଭଣ୍ଡୁର କରିଦେଇଥିଲା । ପୁଲିସ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି । ରାଜମହଲ-ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ଥିବା କିଛି ଗେଷ୍ଟହାଉସ୍ ଓ ଛୋଟ ହୋଟେଲରେ ଏଭଳି ଗଞ୍ଜେଇ ଓ ବ୍ରାଉନସୁଗାର ଡିଲ୍ ହେଉଛି । କାଁ ଭାଁ ପୁଲିସ ହାବୁଡ଼ରେ ଦଲାଲ ପଡୁଥିବା ବେଳେ ବଡ ମାଫିଆ ଓ ବେପାରୀ ଖସିଯାଉଛନ୍ତି ।