୨୫ କିଲୋ ଗଞ୍ଜେଇ ଜବତ, ୪ ଗିରଫ

ବ୍ରହ୍ମପୁର,୨୩ା୧(ବ୍ୟୁରୋ): ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗତ କିଛି ଦିନ ହେଲା ଗଞ୍ଜେଇ ଚୋରାଚାଲାଣକାରୀଙ୍କ ଉପରେ ଚଢାଉ କରାଯାଇ ଶହ ଶହ କିଲୋ ଗଞ୍ଜେଇ ଜବତ କରିବା ସହ ଅନେକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ସୋମବାର ପୁଣି ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ସହରର ବିଭିନ୍ନ ସ୍ଥାନରୁ ୪ ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୫ କିଲୋ ଗଞ୍ଜେଇ ଜବତ କରିଛି । ଗିରଫ ଯୁବକମାନେ ହେଲେ ଝାଡଖଣ୍ଡ ରାଜ୍ୟର ରିତେଶ କୁମାର , ମାଲାକାନାଗିରି ଅଂଚଳର କୃଷ୍ଣ କାରା, ଦିଗପହଣ୍ଡି ନାରାୟଣପୁର ଅଂଚଳର ତପନ ବିଷୋୟୀ ଓ କଟକ ଲେଖନପୁର ଗ୍ରାମର କାହ୍ନୁ ବେହେରା । ସମସ୍ତଙ୍କୁ ଅବକାରୀ ଗୁଇନ୍ଦା ବିଭାଗ ଅଲଗା ଅଲଗା ସ୍ଥାନରୁ ଗିରଫ କରିଛି ।
ଦୁଇ ଦିନ ପୂର୍ବେ ଏନସିବି ମଧ୍ୟ ଗଞ୍ଜେଇ ଚୋରାଚାଲାଣ ବେଳେ ଲୋଚାପଡା ଅଂଚଳର ଜଣେ ଯୁବକ ବାଳକୃଷ୍ଣ ମିଶ୍ରଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୨୮ କିଲୋ ୫ ଶହ ଗ୍ରାମ୍ ଗଞ୍ଜେଇ ଜବତ କରି କୋର୍ଟଚାଲାଣ କରିଥିଲେ । ବାଳକୃଷ୍ଣ ଡିଟିଡିସି କୋରିୟର ମାଧ୍ୟମରେ ଗଞ୍ଜେଇ କାନ୍ପୁରକୁ ପଠାଉଥିଲେ ।
ସୂଚନାଯୋଗ୍ୟ ଯେ, ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତ ଓ ଏଏସଆଇ ସୁରେନ୍ଦ୍ର ପ୍ରଧାନଙ୍କ ସମେତ ତାଙ୍କ ଟିମ୍ ସହରର ଫାଷ୍ଟଗେଟ୍, ଗୋପାଳପୁର ଜଙ୍କସନ ଓ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଚଢାଉ କରି ତପନଙ୍କଠାରୁ ୧୦ କିଲୋ ଗଞ୍ଜେଇ, କାହ୍ନୁଙ୍କଠାରୁ ୫ କିଲୋ ଗଞ୍ଜେଇ, ରିତେଶଙ୍କଠାରୁ ୭ କିଲୋ ଗଞ୍ଜେଇ ଓ କୃଷ୍ଣଙ୍କଠାରୁ ୩ କିଲୋ ଗଞ୍ଜେଇ ଜବତ କରିଛନ୍ତି ।