ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଆସନ୍ତା ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ।
୨୫ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ରାହୁଲ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ହୋଟେଲ ମେ’ ଫେୟାରକୁ ନିଆଯିବ । ସେଠାରେ ରାହୁଲ ସିଭିଲ ସୋସାଇଟି କର୍ମକର୍ତ୍ତାଙ୍କୁ ସାକ୍ଷାତ କରିବା ସହ ଏକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦିନ ସାଢ଼େ ୨ଟା ବେଳେ ମେ' ଫେୟାରରୁ ବାହାରି ରାହୁଲ ସିଧା ତମାଣ୍ଡୋରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବାକୁ ଯିବେ । ସେଠାରୁ ସାଢ଼େ ୪ଟାରେ ବାହାରି କଂଗ୍ରେସ ଭବନ ଆସିବେ । କଂଗ୍ରେସ ଭବନରେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରି ସନ୍ଧ୍ୟା ୬ଟାରେ ବିମାନ ବନ୍ଦରକୁ ଯାଇ ନୂଆଦିଲ୍ଲୀ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତ ସମୟରେ ସମସ୍ତ ରୁଟ୍ ଲାଇନ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ୧୫ ମିନିଟ୍ ପାଇଁ ଉକ୍ତ ରାସ୍ତାକୁ ସିଲ୍ କରି ଦିଆଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଡିସିପି ଅନୁପ ସାହୁଙ୍କ ନେତୃତ୍ୱରେ ସୁରକ୍ଷା ବଳୟ ପ୍ରସ୍ତୁତ ହୋଇଛି । ବ୍ଲୁ-ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୫ଜଣ ଅତିରିକ୍ତ ଡିସିପିଙ୍କ ସମେତ ୧୪ ଜଣ ଏସିପି, ୧୫ ଇନ୍ସପେକ୍ଟର, ୧୨୫ଜଣ ଅଫିସରଙ୍କ ସହ ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ । ଏମାନଙ୍କ ସହ ଏସ୍ଓଜି ଯବାନ ଓ ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ (ଏସ୍ପିଜି)ର ୧୨ଜଣ ଅଫିସର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିବେ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଏସ୍ପିଜି କମାଣ୍ଡୋଙ୍କ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ତମାଣ୍ଡୋ ମିନି ଷ୍ଟାଡିୟମ୍ରେ ଆଜି ଅତିରିକ୍ତ ପୁଲିସ କମିଶନର ସଞ୍ଜୟ ସିଂହ, ଭୁବନେଶ୍ୱର ଡିସିପି ଅନୁପ ସାହୁ, ଏସିପି ପି.କେ ରାଉତ ଓ ତମାଣ୍ଡୋ ଥାନା ଅଧିକାରୀ ସିତାଂଶୁ ମାନ୍ଧାତା ପ୍ରମୁଖ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।

ଏକଜିଟ୍ ପୋଲ୍ ପରେ ଏବେ ଏକଜାଟ୍ ରେଜଲ୍ଟ ଉପରେ ନଜର,...