ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତକୁ ୨୫ ବର୍ଷ ଜେଲ

ଫୁଲବାଣୀ,୨୪/୧ ଗତ ୨୦୧୯ ମସିହାରେ ସଂଘଟିତ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣୀ କରି ଫୁଲବାଣୀ ପୋକସୋ ଅଦାଲତ ଅଭିଯୁକ୍ତକୁ ୨୫ ବର୍ଷ ଜେଲଦଣ୍ଡ ଆଦେଶ ଶୁଣାଇଛନ୍ତି। ଏଥିସହ ଅଭିଯୁକ୍ତକୁ ୨୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଆଉ ୨ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ସଦର ଥାନା ଅଞ୍ଚଳର ବାବୁଲି କୁଦେଇ।
ଗତ ୨୦୧୯ ମସିହାରେ ଅଭିଯୁକ୍ତ ବାବୁଲି ଘରେ କେହି ନ ଥିବାର ସୁଯୋଗ ନେଇ ଜନୈକା ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ପରେ ପରିବାର ଲୋକଙ୍କ ଏତଲା ଆଧାରରେ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣୀ କରି ଫୁଲବାଣୀ ପୋକସୋ ଅଦାଲତର ବିଚାରପତି ସଂଜିତ କୁମାର ବେହେରା ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହିତ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ।