ଭୁବନେଶ୍ୱର,୧୬/୦୬: ନନ୍ଦୀ ବରଗଛ । ନାଁଟି ଯେମିତି ମଧୁର ଏହାର ସବୁଜିମା ବି ସେମିତି ସୁନ୍ଦର । ଏହି ବିଶାଳକାୟ ବରଗଛଟି ଦିନେ ପ୍ରାୟ ଅଧ ଏକର ବିଶିଷ୍ଟ ଜମିରେ ନିଜର କାୟା ବିସ୍ତାର କରିଥିଲା । ହେଲେ ରାସ୍ତାଘାଟ, କୋଠାବାଡ଼ି ନିର୍ମାଣରେ କାଳକ୍ରମେ ଏହାର କଳେବର କ୍ଷୀଣ ହୋଇଗଲାଣି । କେବଳ ସ୍ମୃତି ଚିହ୍ନ ସ୍ୱରୂପ ଏହାର ମୂଳ ଗଣ୍ଡି ଓ ୨-୩ଟି ଡାଳ ବଞ୍ଚିରହିଛି ।
ଲିଙ୍ଗରାଜ ଷ୍ଟେସନ ପରିସରରେ ନନ୍ଦୀ ବରଗଛର କ୍ଷୀଣକାୟ ଶରୀର ଏବେ ବି ଦଣ୍ଡାୟମାନ । ସ୍ଥାନୀୟ ଇତିହାସ ସହିତ ନନ୍ଦୀ ବରଗଛ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଶହ ଶହ ବର୍ଷ ତଳେ ପୋଖରିପୁଟ, ଜାଗମରା, ବରମୁଣ୍ଡା, ସରକନ୍ତରା ଆଦି ଅଞ୍ଚଳର ଲୋକେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଏହି ପଟେ ଥିବା ଗୋହିରି ରାସ୍ତାରେ ଯାତାୟାତ କରୁଥିଲେ । ପଥଚାରୀ ତଥା ଭକ୍ତଙ୍କ କଷ୍ଟ ଲାଘବ ପାଇଁ କପିଳେଶ୍ୱର ଅଞ୍ଚଳର ନନ୍ଦୀ ବଂଶ ଚିନ୍ତା କରିଥିଲେ । ଏଥିଲାଗି ନନ୍ଦୀ ବଂଶର ସଦସ୍ୟଗଣ ନିଜ ଖର୍ଚ୍ଚରେ ଉକ୍ତ ଗୋହିରି ରାସ୍ତା କଡ଼ରେ ଏକ କୂପ ଖନନ କରିଥିଲେ । ସେହି କୂଅ ଠାରୁ କିଛି ଦୂରରେ ଏକ ବରଗଛ ଚାରା ରୋପଣ କରିଥିଲେ । କାଳକ୍ରମେ ଉକ୍ତ ବରଗଛ ଦ୍ରୁମରେ ପରିଣତ ହୋଇ ଲୋକଙ୍କୁ ଛାୟା ପ୍ରଦାନ କରି ଆସୁଥିଲା ।
ଅଧିକ ପଢ଼ନ୍ତୁ :- Andhra B.Ed scam : ଆନ୍ଧ୍ର ବିଏଡ୍ ନାମରେ ଠକେଇ, ୨୦ ଆଶାୟୀଙ୍କ ଠାରୁ ୩୦ ଲକ୍ଷ ଚଳୁ
୧୮୯୬ ମସିହାରେ ଖୋର୍ଦ୍ଧାଠାରୁ କଟକ ପର୍ଯ୍ୟନ୍ତ ରେଳଲାଇନ ନିର୍ମାଣ ଆରମ୍ଭ ହେଲା । ରେଳ କାମରେ ନିୟୋଜିତ ଶ୍ରମିକମାନେ ଏହି ନନ୍ଦୀ ବରଗଛ ତଳେ କ୍ୟାମ୍ପ ନିର୍ମାଣ କରିଥିଲେ । ଗଛର ଶୀତଳ ଛାୟା ନିକଟସ୍ଥ କୂଅରୁ ପାଣି ଆଣି ରୋଷେଇବାସ କରୁଥିଲେ । ଏହିଭଳି ଭାବେ ଶହ ଶହ ବର୍ଷ ଧରି ବରଗଛଟି ଲୋକଙ୍କୁ ସେବା ଯୋଗାଇ ଆସିଥିଲା । ୧୯୮୧ ମସିହାରେ ଭୁବନେଶ୍ୱର ସାଂସଦ ଚିନ୍ତାମଣି ପାଣିଗ୍ରାହୀଙ୍କ ଉଦ୍ୟମରେ ରେଳ ବିଭାଗ ଲିଙ୍ଗରାଜ ପାସେଞ୍ଜର ହଲଟ୍ ନିର୍ମାଣ ଆରମ୍ଭ କଲା । ପ୍ଲାଟଫର୍ମ ଓ ଘର ନିର୍ମାଣ ପାଇଁ ନନ୍ଦୀ ବରଗଛର କିଛି ଡାଳ ଏବଂ ଓହଳ କାଟି ଦିଆଗଲା । ଏହାପରେ ପୁରୁଣା ଭୁବନେଶ୍ୱର-ଗଣ୍ଡମୁଣ୍ଡା ରାସ୍ତା ସମ୍ପ୍ରସାରଣ ହେଲା ।
ଏଥିରେ ନନ୍ଦୀ ବରଗଛର ଅନେକ ଡାଳ ଏବଂ ଓହଳ କଟିଗଲା । ପୁନଶ୍ଚ ୨୦୨୫ରେ ତୃତୀୟ ରେଳଲାଇନ କଡ଼ ପ୍ଲାଟଫର୍ମ ଓ ନିକଟସ୍ଥ ଘର ନିର୍ମାଣ ବେଳେ ସମ୍ପୂର୍ଣ୍ଣ ଗଛଟିକୁ କାଟି ଦେବା ଲାଗି ଉଦ୍ୟମ ହୋଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ପ୍ଲାଟଫର୍ମ ଆଡ଼କୁ ଲମ୍ବିଥିବା ସମସ୍ତ ଡାଳ ଓ ଓହଳକୁ କାଟି ଦିଆଗଲା । ଏବେ କେବଳ ୧୮ ଫୁଟ ପରିଧି ବିଶିଷ୍ଟ ମୂଳ ଓ ହାତଗଣତି ଡାଳ କିଛି ବଞ୍ଚି ରହିଛି ।