ଆସନ୍ତାକାଲି ନବୀନଙ୍କ ଶପଥ ଗ୍ରହଣ ଉତ୍ସବ; ନିୟୋଜିତ ହେବେ ୨୫ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ବର ୨୮|୫: ଆସନ୍ତାକାଲି ଖୋଲା ଆକାଶ ତଳେ ଶପଥ ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବାହ୍ନ ସାଢେ ୧୦ଟାରେ ଫୁଲ୍ ଦମ୍ରେ ପ୍ରଦର୍ଶନୀ ପଡି଼ଆରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ଏନେଇ ପ୍ରଶାସନିକସ୍ତରରେ ଜୋର୍ସୋର୍ରେ ପ୍ରସ୍ତୁତି ଚାଲିଛି । ସୁରକ୍ଷାରେ ଯେମିତି ଟିକିଏ ବି ଢିଲା ନ ରୁହେ, ସେଥିପାଇଁ ପୁଲିସ ବି ପ୍ରସ୍ତୁତି ଚଳାଇଛି। କାରଣ ଏଥର ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ଉତ୍ସବରେ ନବୀନଙ୍କ ସହ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ଶପଥ ଗ୍ରହଣ ଉତ୍ସବ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶପଥ ଗ୍ରହଣ ଉତ୍ସବରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପୁରା ଏରିଆ ଉପରେ ସିସିଟିଭି ନଜର ରଖିବ । ଉତ୍ସବ ସ୍ଥଳରେ ୩୦ଟି ସିସିଟିଭି ଲାଗିବ । ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁରର ବ୍ୟବସ୍ଥା କରାଯାଇଛି । ଶପଥସ୍ଥଳକୁ ପ୍ରବେଶ ପାଇଁ ୪ଟି ଗେଟ୍ କରାଯାଇଥିବା ବେଳେ ଗୋଟିଏ ଜରୁରୀକାଳୀନ ଗେଟର ମଧ୍ୟ ବ୍ୟବସ୍ଥା କରାଯାଇଛି ।
କେଶରୀ ଟକିଜ୍ ପଟୁ ଏଣ୍ଟ୍ରି କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟପାଳ ଓ ଚିଫ୍ ଜଷ୍ଟିସ । ହାଉସିଂ ବୋର୍ଡ ଛକ ପଟ ଗେଟ୍ ରେ ଏଣ୍ଟ୍ରି କରିବେ ଏମପି, ଏମଏଲଏ । ରାମମନ୍ଦିର ଛକ ପଟୁ ଅନ୍ୟ କର୍ମୀମାନେ ପ୍ରବେଶ କରିବେ । ଟ୍ରାଫିକ୍ ଜାମ୍ ପାଇଁ ୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ମଧୁସୂଦନ ପାର୍କ, କ୍ୟାପିଟାଲ ହାଇସ୍କୁଲ ପଡିଆ ଏବଂ ପ୍ରଦର୍ଶନୀ ପଡିଆ ପାର୍ଶ୍ବରେ ପାର୍କିଂ କରାଯିବ । ଶପଥ ଗ୍ରହଣ ଉତ୍ସବରେ ୫ହଜାର ଲୋକଙ୍କ ଉପସ୍ଥିତିରେ ନବୀନ ଶପଥ ନେବେ ବୋଲି ସୂଚନା ମିଳିଛି ।