ନୂଆଦିଲ୍ଲୀ,୨୮/୧୧: ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ତିଆରି ହୋଇଥିବା ବନ୍ଦେ ଭାରତ ଟ୍ରେନ୍‌ର ସଫଳତା ପରେ ଆସୁଛି ଆଉ ଏକ ହାଇସ୍ପିଡ୍‌ ଟ୍ରେନ୍ । ଯାହାର ଡିଜାଇନ୍ ଓ ଉତ୍ପାଦନ ଚେନ୍ନାଇରେ ହେବ। ଏଥିପାଇଁ ଇଣ୍ଟେଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଓ ବିଇଏମ୍ଏଲ୍‌ ମଧ୍ୟରେ ସ‌ହଯୋଗିତା ହୋଇଛି। ସେହି ହାଇସ୍ପିଡ୍‌ ଟ୍ରେନ୍ ଘଣ୍ଟା ପିଛା ୨୮୦ କିମି ବେଗରେ ଯାତ୍ରା କରିବ ବୋଲି ସଂସଦରେ ରେଳମନ୍ତ୍ରୀ ଅଶ୍ବିନୀ ବୈ‌ଷ୍ଣବ ସୂଚନା ଦେଇଛନ୍ତି। 

 ଲୋକସଭାକୁ ଏକ ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ଅଧୀନରେ ବନ୍ଦେ ଭାରତ ଟ୍ରେନ୍‌ର ସଫଳତା ପରେ ଭାରତୀୟ ରେଳ ଏବେ ହାଇସ୍ପିଡ୍‌ ଟ୍ରେନ୍‌ଗୁଡ଼ିକର ଡିଜାଇନ୍‌ ଏବଂ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି ।  ଏରୋଡାଇନାମିକ୍ ଡିଜାଇନ୍‌ରେ ଟ୍ରେନ୍‌କୁ କରାଯିବ ପ୍ରସ୍ତୁତ । ତାହାର କାର୍‌ ବଡି ଏୟାରଟାଇଟ୍‌ ରହିଥିବା ବେଳେ କାର୍‌ ପିଛା ବିନିର୍ମାଣ ଖର୍ଚ୍ଚ ପାଖାପାଖି ୨୮ କୋଟି ଟଙ୍କା ରହିବ । ଅନ୍ୟାନ୍ୟ ଟ୍ରେନ୍‌ ସେଟ୍‌ଗୁଡ଼ିକ ତୁଳନାରେ ଏହା ବହୁ ମାତ୍ରାରେ କମ୍‌ । ଏହି ଟ୍ରେନ୍‌ଗୁଡ଼ିକରେ ସର୍ବୋତ୍ତମ ବୈଶିଷ୍ଟ୍ୟ ସହ ଚେୟାର୍‌ କାର୍‌ ରହିବ ।  ସିଲ୍‌ଡ ଗ୍ୟାଙ୍ଗ୍‌ୱେଜ୍‌, ଅଟୋମେଟିକ୍‌ ଡୋର୍‌, ଯାତ୍ରୀଙ୍କ ଆରାମ ପାଇଁ କମ୍ପାର୍ଟମେଣ୍ଟରେ ସର୍ବୋଚ୍ଚ କ୍ଲାଇମେଟ୍‌ କଣ୍ଡିସନ୍‌, ସିସିଟିଭି, ମୋବାଇଲ ଚାର୍ଜିଂ ସୁବିଧା, ଉତ୍ତମ ଆଲୋକ ବ୍ୟବସ୍ଥା ଏବଂ ଅଗ୍ନି ନିରାପତ୍ତା ଉପକରଣ ଆଦି ରହିବ ବୋଲି କେନ୍ଦ୍ରମନ୍ତ୍ରୀ  କହିଛନ୍ତି ।