ବିହାରରେ ଚୋର ଉତ୍ପାତକୁ ନେଇ ଚର୍ଚ୍ଚା: ୨ କିଲୋମିଟରର ରେଳ ଲାଇନ୍ ନେଇ ଛୁ..

- ପୂର୍ବରୁ ଇଞ୍ଜିନ୍, ମୋବାଇଲ ଟାୱାର ଚୋରି
- ସ୍କ୍ରାପ୍ ଭାବେ ବିକ୍ରି ବେଳେ ଧରାପଡ଼ିଲା
ପାଟନା ୦୬/୦୨: ବିହାରରେ ଚୋରଙ୍କ ଉତ୍ପାତକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା । ଏମାନଙ୍କ କାରନାମା ସମସ୍ତଙ୍କୁ ଚକିତ କରିଛି । କିଛିଦିନ ତଳେ ଚୋର ଦଳ ରେଳ ଇଞ୍ଜିନ୍ ଓ ମୋବାଇଲ ଟାୱାର ଚୋରାଇ ନେଇଥିଲେ । ଏବେ କିଛି ଚୋର ଆଉ ପାଦେ ଆଗକୁ ଯାଇ ୨ କିଲୋମିଟରର ରେଳ ଲାଇନ୍କୁ କାଟି ନେଇଯାଇଛନ୍ତି ।
ବିହାରର ସମସ୍ତିପୁର ରେଳମଣ୍ଡଳରେ ଏହି ଘଟଣା ଘଟିଛି । ତେବେ ଏଥିରେ କିଛି ରେଳ କର୍ମଚାରୀଙ୍କ ହାତ ଥିବା ଅଭିଯୋଗରେ ରେଳ ମଣ୍ଡଳର ସୁରକ୍ଷା କମିଶନରଙ୍କ ସମେତ ଦୁଇଜଣଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇଛି । ମାମଲାର ଅଧିକ ତଦନ୍ତ ଜାରି ରହିଛି । ନିଲମ୍ବିତ ହୋଇଥିବା ୨ ରେଳ କର୍ମଚାରୀ ହେଲେ ଝାଞ୍ଝାରପୁର ଆଉଟପୋଷ୍ଟ ପ୍ରଭାରୀ ଶ୍ରୀନିବାସ ଏବଂ ମଧୁବଣିର ମୁକେଶ କୁମାର ସିଂହ ।
ସମସ୍ତିପୁର ରେଳ ମଣ୍ଡଳ ମୁତାବକ ଲୋହଟ ଚିନି ମିଲ୍ ପାଇଁ ପଣ୍ଡୋଲ ରେଳଷ୍ଟେସନରୁ ରେଳଲାଇନ ବିଛାଯାଇଥିଲା । ଚିନି ମିଲ୍ ଅନେକ ଦିନ ଧରି ବନ୍ଦ ରହିଥିଲା । ମିଲ୍ ବନ୍ଦ ହୋଇପଡ଼ିବାରୁ ରେଳ ଲାଇନ୍କୁ ବି ବନ୍ଦ କରିଦିଆଯାଇଥିଲା । ଏହାର ଫାଇଦା ଉଠାଇଥିଲେ ମାଫିଆ । ରେଳ କର୍ମଚାରୀଙ୍କ ସହ ସଲାସୁତୁରା କରି ଏମାନେ ୨ କିଲୋମିଟର ପର୍ଯ୍ୟନ୍ତ ରେଳ ଧାରଣା ଚୋରାଇ ନେଇଥିଲେ । ଏହାପରେ ମିଲ୍ରେ ରହିଥିବା ସାମଗ୍ରୀକୁ ସ୍କ୍ରାପ୍ ଆକାରରେ ନିଲାମ କରାଯାଇଥିଲା । ଏହି ନିଲାମ ସାମଗ୍ରୀରେ ରେଳ ଲାଇନ୍ ବି ଅନ୍ତର୍ଭୁକ୍ତ ଥିଲା । ଏହାକୁ ନେଇ ବିବାଦ ଉପୁଜିଥିଲା । ଜାନୁଆରୀ ୨୪ରେ ଉକ୍ତ ଘଟଣା ବାବଦରେ ଜଣାପଡ଼ିଥିଲା ।
ବିନା ଟେଣ୍ଡରରେ ରେଳ ସ୍କ୍ରାପ୍ ବିକ୍ରି କରାଯିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଏହାପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆର୍ପିଏଫ୍ ଦୁଇଜଣ ଅଧିକାରୀଙ୍କୁ ତତ୍କାଳ ନିଲମ୍ବନ କରିଥିଲା । ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି । ଦୁଇଜଣ ରେଳ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି । ମାମଲାକୁ ସ୍କ୍ରାପ୍ ସ୍କାମ୍ ଆଖ୍ୟା ଦିଆଯାଉଛି ।
କିଛି ବରିଷ୍ଠ ଅଧିକାରୀଙ୍କ ମୁତାବକ ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି । ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପକ୍ଷରେ ପୁଲିସ ତଦନ୍ତ କରି ବାପପୁଅ ଅନିଲ ଯାଦବ ଓ ରାହୁଲ କୁମାରଙ୍କୁ ଗିରଫ କରିଛି । ରାହୁଲ କୁମାର ଏକ କମ୍ପାନିରେ ଜଣେ ମୁନ୍ସି ଭାବେ କାମ କରୁଥିଲେ । ଚିନି ମିଲ୍ ସହ ଏହି କମ୍ପାନି ଜଡ଼ିତ ଥିଲା । ଏହି ଘଟଣାକୁ ନେଇ ପ୍ରଥମେ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଥିଲେ । ଏବେ ବାଏଦା କମ୍ପାନି ମାମଲାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତ ହେଉଛି । ସେପଟେ ଚୋରି ସାମଗ୍ରୀକୁ ଉଦ୍ଧାର ପାଇଁ ସୁରକ୍ଷା କର୍ମୀମାନେ ଚେଷ୍ଟା ଚଳାଇଛନ୍ତି ।
ଉଲ୍ଲେଖଯୋଗ୍ୟ, କିଛିମାସ ତଳେ ବିହାରର ରୋହତାସରେ ୪ ଜଣ ଲୋକ ଏକ ସେତୁ ଚୋରି କରିନେଇଥିଲେ । ଏହାପରେ ମୋବାଇଲ ଟାୱାରକୁ କିଛି ଚୋର ଧୀରେ ଧୀରେ କାଟିନେଇଥିଲେ । ନିଜକୁ କମ୍ପାନି କର୍ମଚାରୀ ପରିଚୟ ଦେଇ ସେମାନେ ଦିନ ଦ୍ୱିପ୍ରହରରେ ଟାୱାରକୁ ଚୋରାଇ ନେଇଥିଲେ । ଏହି ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ଖୋରାକ ଯୋଗାଇଥିଲା ।