PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ସୁନାପୁରକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ, ଡିସେମ୍ବରରୁ ଖୋଲିବ ବ୍ଲୁ ଫ୍ଲାଗ୍‌ ବିଚ୍‌ !

ବ୍ରହ୍ମପୁର,୧୮/୧୧: ରାଜ୍ୟର ଦ୍ୱିତୀୟ ବ୍ଲୁ ଫ୍ଲାଗ୍‌ ବିଚ୍‌ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ । ବହୁ ପ୍ରତିକ୍ଷୀତ ଗଞ୍ଜାମ ଜିଲ୍ଲା ପାତି ସୁନାପୁର ବ୍ଲୁ ଫ୍ଲାଗ୍‌ ବିଚ୍‌ ଡିସେମ୍ବର ଆରମ୍ଭରୁ ଖୋଲିବା ନେଇ ପ୍ରଶାସନିକ ସୂତ୍ରରୁ ସୂଚନା ମିଳିଛି । ସେଥିପାଇଁ ବିଚ୍‌ରେ ଆବଶ୍ୟକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପରିବେଶ ଉପଯୋଗୀ ଅଞ୍ଚଳ, ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସେବା, ସୁରକ୍ଷା ଆଦି ୩୩ଟି ସର୍ତ୍ତାବଳୀ ପୂରଣ ଦିଗରେ ବିଚ୍‌ ମ୍ୟାନେଜମେଣ୍ଟ କମିଟି ପଦକ୍ଷେପ ଗ୍ରହଣ କରିଥିବା ବେଳେ କେବଳ ଔପଚାରିକ ଘୋଷଣା ବାକି ରହିଛି । ଡିସେମ୍ବର ପହିଲାରେ ଏହି ଘୋଷଣା ହେବା ନେଇ ସୂଚନା ମିଳିଛି । ପରିବେଶ ଅନୁକୂଳ ଓ ସୁରକ୍ଷିତ ଏହି ବେଳାଭୂମି ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ମୁଖ୍ୟ ମାଧ୍ୟମ ସାଜିବ ବୋଲି କୁହାଯାଉଛି ।

୨୦୨୦ରେ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବିଚ୍‌ ମାନ୍ୟତା ମିଳିଥିଲା । ଏହି ମାନ୍ୟତା ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ଗୌରବାନ୍ୱିତ କରିଥିଲା। ଏହାପରେ ରାଜ୍ୟର ଆହୁରି ୧୦ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍‌ରେ ପରିଣତ କରିବା ଲାଗି ସରକାରୀ ସ୍ତରରେ ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୪ଟି ବିଚ୍‌ର ରୂପାନ୍ତରଣକୁ ସରକାର ଗୁରୁତ୍ୱ ଦେଇଥିଲେ । ସେଥିରେ ରହିଥିଲା ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ସୁନାପୁର ବିଚ୍‌ । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୭ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି ଏବଂ ଏହା ଅଧୀନରେ ଗଠିତ ବେଳାଭୂମି ପରିଚାଳନା କମିଟି ପ୍ରକଳ୍ପର ତଦାରଖ କରୁଛି । ବିଚ୍‌ ପରିଚାଳନା କମିଟିରେ ଗଞ୍ଜାମ ଜିଲ୍ଲାପାଳ ଅଧ୍ୟକ୍ଷ ରହିଥିବା ବେଳେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସଦସ୍ୟ ଆବାହକ ତଥା ନୋଡାଲ ଅଫିସର ଓ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସଦସ୍ୟ ସମ୍ପାଦକ ରହିଛନ୍ତି । ବିଚ୍‌ ପରିଚାଳନା କମିଟି ବ୍ଲୁ ଫ୍ଲାଗ୍‌ ବିଚ୍‌ ପାଇଁ ଆବଶ୍ୟକ ୩୩ଟି ମାନଦଣ୍ଡ ପୂରଣ ଦିଗରେ ୨୦୨୧ରୁ କାର୍ଯ୍ୟ କରୁଛି ।

ଗଞ୍ଜାମ ଜିଲ୍ଲାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଉଛି । ବିଦେଶୀ ପର୍ଯ୍ୟଟକ ସହ ଦେଶୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ ବ୍ଲୁ ଫ୍ଲାଗ୍‌ ବିଚ୍‌ ସହାୟକ ହେବ । ଏହାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ମାନର ବିଚ୍‌ ମାନ୍ୟତା ହାସଲ ଦିଗରେ ୩୩ଟି ମାନଦଣ୍ଡ ପୂରଣ ପାଇଁ କାର୍ଯ୍ୟ ଜାରି ରହିଛି । ସୁନାପୁର ବିଚ୍‌କୁ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ରୂପାନ୍ତରିତ କରିବା ପାଇଁ ପରିବେଶ ଅନୁକୂଳ ଅର୍ଥାତ କାଠରେ ନିର୍ମିତ ଶୌଚାଳୟ, ସୌର ଆଲୋକ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ଲାଗି ସୁରକ୍ଷିତ ଗାଧୁଆ ଅଞ୍ଚଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ, ପାର୍କିଂ ସୁବିଧା, ପ୍ରବେଶ ଦ୍ୱାର, ଅଫିସ ରୁମ୍‌, ଫାଷ୍ଟ ଏଡ୍‌, ଜନ ସୂଚନା ବୋର୍ଡ, ଅଟୋମେଟିକ୍‌ ବିଚ୍‌ କ୍ଲିନର୍‌ ମେସିନ୍‌, ସୁରକ୍ଷା ପାଚେରୀ, ୱାଚ୍‌ ଟାୱାର, ଅଡିଓ ସିଷ୍ଟମ୍‌, ସିସିଟିଭି ସୁବିଧା, ଭିନ୍ନକ୍ଷମ ଶୌଚାଳୟ, ବୃକ୍ଷରୋପଣ, ଗ୍ରେ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ, ପୋର୍ଟେବଲ୍‌ ପିଇବା ପାଣି ସୁବିଧା, ଶିଶୁ ଉଦ୍ୟାନ୍‌, ବିଦ୍ୟୁତ ସୁବିଧା ଆଦି ୩୩ଟି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ପ୍ରକଳ୍ପ ଅଧୀନ ଏହି ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଡିସେମ୍ବର ପହିଲାରୁ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।