ନୂଆଦିଲ୍ଲୀ,୧୪/୦୨: ଆମେରିକାରେ ଅବୈଧ ଭାବେ ରହୁଥିବା ଭାରତୀୟଙ୍କୁ ଧରି  ସେଠାକାର ଦ୍ୱିତୀୟ ବିମାନ ଆସନ୍ତା ୧୫ରେ ଅମୃତସର ବିମାନବନ୍ଦରରେ ପହଞ୍ଚିବ ।  ଦ୍ୱିତୀୟ ଦଫାରେ ୧୭୦-୧୮୦ ଭାରତୀୟ  ଆସିବେ ବୋଲି ଅନୁମାନ କରାଯାଇଛି ।  କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟକ  ଆସିବେ ତାହା ସ୍ପଷ୍ଟ ହୋଇନାହିଁ । ଏହି  ଲୋକମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ  କରି ବେଆଇନ ଭାବେ ଆମେରିକାରେ  ପ୍ରବେଶ କରିବା ସହ ସେଠାରେ ୧-୩  ବର୍ଷ ହେଲା ରହିଆସୁଥିଲେ । 

ଗତ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅବୈଧ  ପ୍ରବାସୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ପୂର୍ବରୁ ଗତ ୫ ତାରିଖରେ ୧୦୪  ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଧରି  ଆମେରିକାର ପ୍ରଥମ ବିମାନ ଅମୃତସର  ଠାରେ ପହଞ୍ଚିଥିଲା । ସେମାନଙ୍କ ମଧ୍ୟରୁ ୩୩  ଜଣ ହରିୟାଣା, ୩୩ ଜଣ ଗୁଜରାଟ, ୩୦  ଜଣ ପଞ୍ଜାବ, ୩ ଜଣ ମହାରାଷ୍ଟ୍ର, ୩ ଜଣ ଉତ୍ତରପ୍ରଦେଶ ଏବଂ ୨ ଜଣ ଚଣ୍ଡିଗଡର  ଥିଲେ । ଆମେରିକାରେ ବହୁସଂଖ୍ୟକ  ଭାରତୀୟ ବେଆଇନ ଭାବେ ରହୁଥିବା  ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ  ୪୮୭ ଜଣଙ୍କୁ ଧରାଯାଇଛି ଏବଂ ସେମାନଙ୍କୁ  ଦେଶ ଛାଡିବାକୁ ନୋଟିସ କରଯାଇଛି ।  ତେବେ ଅବୈଧ ପ୍ରବାସୀଙ୍କୁ ଆଣି  ଅମୃତସରରେ ଛଡାଯିବାକୁ ନେଇ  ପଞ୍ଜାବ ସରକାର କେନ୍ଦ୍ରକୁ ଟାର୍ଗେଟ  କରିଥିଲେ । ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ  ଚିମା କହିଛନ୍ତି କି ବିଜେପି ନେତୃତ୍ୱାଧୀନ  କେନ୍ଦ୍ର ସରକାର ପଞ୍ଜାବକୁ ଅପମାନିତ  କରିବାକୁ ଉଦ୍ୟମ କରୁଛନ୍ତି । ଅବୈଧ ଭାରତୀୟଙ୍କୁ ଧରି ଆସୁଥିବା ବିମାନ ହରିୟାଣା  କିମ୍ବା ଗୁଜରାଟରେ କାହିଁକି ଅବତରଣ  କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।