ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କା ୩୬୬ରନ୍ରେ ପରାସ୍ତ, ସିରିଜ୍ ପୋଛିନେଲା ଅଷ୍ଟ୍ରେଲିଆ

କାନବେରା,୪ା୨(ଏଜେନ୍ସିା): ଘରୋଇ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଘରୋଇ ଦଳ ୩୬୬ ରନ୍ରେ ବିଜୟ ହାସଲ କରିଛି । ଏଥିସହ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ‘କ୍ଲିନ୍ ସୁଇପ୍’ କରିଛି । ୫୧୬ ରନ ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ମାତ୍ର ୧୪୯ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ୧୦ଟି ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମିଚେଲ ଷ୍ଟାର୍କ ମ୍ୟାନ୍ ଅଫ ଦ ମ୍ୟାଚ୍ ଓ ପ୍ୟାଟ୍ରିକ୍ କମିନ୍ସ ମ୍ୟାନ୍ ଅଫ ଦ ସିରିଜ୍ ବିବେଚିତ ହୋଇଥିଲେ ।
ଚତୁର୍ଥ ଦିବସରେ ଶ୍ରୀଲଙ୍କା ଅସମାପ୍ତ ଦ୍ୱିତୀୟ ଇନିଂସ ବିନା ୱିକେଟ୍ରେ ୧୭ ରନ୍ରୁ ଖେଳ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ଦୁଇ ଓପନର ଲାହିରୁ ଥିରିମାନେ ଓ ଦିମୁଥ କରୁଣାରତ୍ନେ ଦଳୀୟ ସ୍କୋରରେ ମାତ୍ର ୧ ରନ୍ ଯୋଡିବାରେ ସଫଳ ହୋଇଥିଲେ । ବ୍ୟକ୍ତିଗତ ୮ ରନ୍ କରି କରୁଣାରତ୍ନେ ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଦିନେଶ ଚାନ୍ଦିମଲ ୪ ରନ୍ କରି ପାଭିଲିୟନ ଫେରିଥିଲେ । ଥିରିମାନେ ସତର୍କତାର ସହ ବ୍ୟାଟିଂ କରି ୩୦ ରନ୍ ସଂଗ୍ରହ କରିଥିଲେ । ପ୍ୟାଟ୍ରିକ କମିନ୍ସଙ୍କ ଏକ ବଲ୍କୁ ଅଟକାଇବାକୁ ଯାଇ ସେ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହାପରେ ଦଳର ପତନ ଆରମ୍ଭ ହୋଇ ଯାଇଥିଲା । ମଧ୍ୟଭାଗରେ କେବଳ କୁଶଲ ମେଣ୍ଡିସ୍ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଘରୋଇ ବୋଲରଙ୍କ ସାମ୍ନା କରିପାରି ନଥିଲେ । ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ମୋଟ୍ ୧୪୯ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ମେଣ୍ଡିସ୍ ସର୍ବାଧିକ ୪୨ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିରୋସାନ ଡିକ୍ୱେଲା ୨୭ ଓ ଚାମିକା କରୁଣାରତ୍ନେ ୨୨ ରନ୍ କରିଥିଲେ । ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ପ୍ରଥମ ଇନିଂସରେ ୫ଟି ୱିକେଟ୍ ନେଇଥିବା ଷ୍ଟାର୍କ ଦ୍ୱିତୀୟ ଇନିଂସରେ ଆଉ ୫ଟି ୱିକେଟ୍ ନେଇ ଶ୍ରୀଲଙ୍କାର ବ୍ୟାଟିଂ ବିଭାଗ ଧ୍ୱଂସ କରିଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିନ୍ସ ୩ଟି ୱିକେଟ୍ ନେଇଥିଲେ ।
ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୫/୫୩୪ ରନ୍ କରି ପାଳି ଘୋଷଣା କରିଥିଲା । ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୧୫ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ୩୧୯ ରନ୍ରେ ପ୍ରଥମ ଇନିଂସ ଆଗୁଆ ଥାଇ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୩.୧୯୬ ରନ୍ କରି ପାଳି ଘୋଷଣା କରିବା ସହ ମୋଟ୍ ୫୧୫ ରନ୍ରେ ଅଗ୍ରଣୀ ହାସଲ କରିଥିଲା । ୫୧୬ ରନ୍ର ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୧୪୯ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା ।