PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ: ଜେଲ୍‌ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ସାମ୍ବାଦିକଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ସୌମ୍ୟରଞ୍ଜନ ମହାପାତ୍ର, ସୁବ୍ରତ ବିଶ୍ୱାଳ, ଅନନ୍ତ ସାମନ୍ତରାୟଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟଚାଲାଣ କରିଥିଲା । ବିଚାରପତି ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ଫଳରେ ୩ଜଣଙ୍କୁ ଝାରପଡା ଜେଲ୍‌କୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ଆକ୍ରମଣରେ ଗୁରୁତର ଆହତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ଭଲ ନଥିବା ଜଣାପଡ଼ିଛି । ସାମ୍ବାଦିକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିଚାରପତି ସାନି ମେଡିକାଲ ରିପୋର୍ଟ ତଲବ କରିଛନ୍ତି ।
ପୁଲିସ ଉପରୋକ୍ତ ୩ଜଣଙ୍କୁ ଗତକାଲି ସନ୍ଧ୍ୟାରେ ବାଣୀବିହାର କ୍ୟାମ୍ପସରୁ ଉଠାଇ ଆଣିଥିଲା । ଆଜି ଅପରାହ୍ଣରେ ସମସ୍ତଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା । ସେଠାରେ ସେମାନଙ୍କ ଜାମିନ୍‌ ଆବେଦନର ଶୁଣାଣି ହୋଇଥିଲା । କପିଳେନ୍ଦ୍ରଙ୍କ ପକ୍ଷରୁ ଆଇନଜୀବୀ ବନ ମହାନ୍ତି ଆକ୍ରମଣରେ ଗୁରୁତର ଥିବା ସାମ୍ବାଦିକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଦାଲତରେ ଦର୍ଶାଇଥିଲେ । ଘଟଣାର ଗୁରୁତ୍ୱ ଉପଲବ୍ଧି କରି ବିଚାରପତି ସାମ୍ବାଦିକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଏ ବାବଦରେ ସାନି ମେଡିକାଲ ରିପୋର୍ଟ ଅଦାଲତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ମେଡିକାଲ ରିପୋର୍ଟ ପହଞ୍ଚିବା ପରେ ଏହି ମାମଲାର ସାନି ଶୁଣାଣି ହେବ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଜାନୁଆରୀ ୨୬ ତାରିଖରେ ପ୍ରମେୟ ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନ ଜଣେ ବନ୍ଧୁଙ୍କ ସହ ମହାରାଜା ହଲରେ ସିନେମା ଦେଖୁଥିଲେ । ତାଙ୍କ ନିକଟସ୍ଥ ସିଟ୍‌ରେ ବସିଥିବା ସୌମ୍ୟରଞ୍ଜନ, ସୁବ୍ରତ, ଅନନ୍ତ କିଛି ସହଯୋଗୀଙ୍କ ସିନେମା ଦେଖିବା ଛାଡ଼ି ମହିଳାଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିଲେ । ଯୁବତୀମାନଙ୍କୁ କମେଣ୍ଟ ମାରିବା ସହ ଅସଦାଚରଣ କରିଥିଲେ । ଏଥିରେ ମହିଳା ଓ ଦର୍ଶକ ମାନେ ଅତିଷ୍ଠ ହୋଇ ପଡ଼ିଥିଲେ । ତେଣୁ କପିଳେନ୍ଦ୍ର ଅଭିଯୁକ୍ତମାନଙ୍କୁ ବିରୋଧ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ସମସ୍ତେ ମିଶି ହଲ୍‌ ଭିତରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସଂଘବଦ୍ଧ ଆକ୍ରମଣରେ କପିଳେନ୍ଦ୍ର କ୍ଷତବିକ୍ଷତ ହୋଇ ସହିଦନଗର ଥାନାରେ ପହଞ୍ଚି ଏତଲା ଦେଇଥିଲେ ।