PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ତିନି ଭେଣ୍ଡିଆ ପୁଅ ଦିବ୍ୟାଙ୍ଗ: ବାପ-ମାଙ୍କ ସରୁନି ସଂଘର୍ଷ, ସରୁନି ଦୁଃଖ…

ଦୁଃଖ ତଉଲିବାକୁ ତରାଜୁ ନାହିଁ…

ମୈଦଲପୁର/ ନବରଙ୍ଗପୁର, ୨୭/୦୯: ଆଶା କରିଥିଲେ ପରିଣତ ବୟସରେ ଭେଣ୍ଡିଆ ପୁଅମାନେ ସେମାନଙ୍କ ସେବା କରିବେ । ନଇଁ ପଡ଼ିଥିବା ଅଣ୍ଟାକୁ ସଳଖି ଧରିବେ । ଆଶାବାଡ଼ି ସାଜି ଜୀବନର ବାକିତକ ରାସ୍ତାରେ ଆଗେଇ ନେବେ । ହେଲେ ସବୁ ଆଶା ସେମାନଙ୍କର ପାଣି ଫୋଟକା ଭଳି ମିଳେଇଯାଇଛି । ଦିବ୍ୟାଙ୍ଗ ପାଲଟିଯାଇଛନ୍ତି ୩ ଭେଣ୍ଡିଆ ପୁଅ । କିଏ ବିଛଣାରେ ଦିନରାତି ଶୋଇ ରହିଛି ତ ଆଉ କିଏ ମାନସିକ ଭାରସାମ୍ୟ ହରାଇ ବସିଛି । ଦୁଃଖ ଏମିତି ଆସିଛି ଯେ ମାପିବାକୁ ତରାଜୁ ନାହିଁ । ଆଖି ଆଗରେ ପିଲାମାନଙ୍କର ଏଭଳି ଅବସ୍ଥା ଦେଖି କୋହ ସମ୍ଭାଳିପାରୁନାହାନ୍ତି ବୁଢା ବାପାମାଆ । ଦିନରାତି ୩ ପୁଅଙ୍କ ସେବା କରି କରି ଥକି ପଡ଼ିଛନ୍ତି । ତଥାପି ଜନ୍ମ କରିଛନ୍ତି ମାନେ, ଯେତେ କଷ୍ଟ ଆସିଲେ ବି ମଥାପାତି ସହି ନେଉଛନ୍ତି । ଚିନ୍ତା ଏତିକି ଯେ, ସେମାନଙ୍କ ଅନ୍ତେ ୩ ପିଲାଙ୍କ ଅବସ୍ଥା କ’ଣ ହେବ । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍‌ର କଣ୍ଟାମାଳ ଗାଁରେ ।

ଗାଁର ବୈଲୋଚନ ବିଶୋଇ ଏବଂ ସୁଦଶା ବିଶୋଇଙ୍କ ୩ ପୁଅ ହେଉଛନ୍ତି ଲିଙ୍ଗରାଜ(୩୨), ରବୀନ୍ଦ୍ର(୩୦) ଓ ତ୍ରିପତି(୨୮) । କିଏ ଜନ୍ମରୁ ଦିବ୍ୟାଙ୍ଗ ତ ଆଉ କିଏ ପରେ ପରେ । ଲିଙ୍ଗରାଜଙ୍କ ମାନସିକ ଅବସ୍ଥା ଠିକ୍‌ ନାହିଁ । କେତେବେଳେ କେଉଁଆଡେ ଚାଲିଯାଉଛନ୍ତି । ଦ୍ୱିତୀୟ ପୁଅ ରବୀନ୍ଦ୍ରଙ୍କୁ ୪ ବର୍ଷ ତଳେ ଜ୍ୱର ହୋଇଥିଲା । ସେବେଠାରୁ ଅଣ୍ଟାରୁ ଦୁଇ ଗୋଡ ଅଚଳ ହୋଇଯାଇଛି । ଦିନରାତି ଶଯ୍ୟାରେ ଶୋଇ ରହିଛନ୍ତି । ତ୍ରିପତି ମଧ୍ୟ ମାନସିକ ଅନଗ୍ରସର । ବାମ ଆଖିର ଦୃଷ୍ଟିଶକ୍ତି ନାହିଁ । ଆଖି ଆଗରେ ୩ ଭେଣ୍ଡିଆ ପୁଅଙ୍କ ଏଭଳି ଅବସ୍ଥା ଦେଖି କେଉଁ ବାପାମାଆ ବା ଥୟ ଧରି ରହିପାରନ୍ତେ । ତଥାପି ସେମାନେ ସାହସ ଜୁଟାଇଛନ୍ତି । ପୁଅଙ୍କୁ ଭଲ କରିବା ଲାଗି ଯଥାସାଧ୍ୟ ଚେଷ୍ଟା କରିଛନ୍ତି । ଛୋଟରୁ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ନେଇଛନ୍ତି । କିନ୍ତୁ ଜଣେ ହେଲେ ପୁଅକୁ ଭଲ କରିବାରେ ସକ୍ଷମ ହୋଇପାରିନାହାନ୍ତି ।

ପରିବାରର ଅବସ୍ଥା ଶୋଚନୀୟ । ଭଙ୍ଗାଦଦରା ୨ ବଖରା ଆଜବେଷ୍ଟସ ଘର । ଆଜବେଷ୍ଟସ୍‌ ଫାଟିଯାଇଥିବାରୁ ବର୍ଷା ହେଲେ ପାଣି ଗଳୁଛି । ସନ୍ତସନ୍ତିଆ ଘରେ ତିନି ଦିବ୍ୟାଙ୍ଗ ପୁଅ ସହ ମୁଣ୍ଡ ଗୁଞ୍ଜିଛନ୍ତି ୫ ପ୍ରାଣୀ କୁଟୁମ୍ବ । ଜଣେ ହେଲେ ପୁଅ ନିତ୍ୟକର୍ମ କରିବାକୁ ସକ୍ଷମ ନୁହନ୍ତି । ଦାନ୍ତ ଘସାଇବାଠାରୁ ଆରମ୍ଭ କରି ଗାଧୋଇଦେବା, ଖୁଆଇବା, ଶୌଚ କରାଇବା ପର୍ଯ୍ୟନ୍ତ ସବୁ କାମ କରାଉଛନ୍ତି ବୈଲୋଚନ ଓ ସୁଦଶା । ବିଛଣାରେ ଝାଡ଼ାପରିସ୍ରା କରି ଦେଉଛନ୍ତି ରବୀନ୍ଦ୍ର । ଅନ୍ୟ ୨ଜଣଙ୍କୁ ବାହାରକୁ ନେବାକୁ ପଡୁଛି । ଝାଡ଼ାପରିସ୍ରା ସଫା କରି କରି ବୁଢା ବାପାମାଆଙ୍କ ଅଣ୍ଟା ଲାଗି ଗଲାଣି । ସରକାରୀ ସହାୟତା କହିଲେ, ମାସକୁ ୨୫ କେଜି ଚାଉଳ ଓ ୩ ଦିବ୍ୟାଙ୍ଗ ପୁଅଙ୍କୁ ମିଳୁଛି ୭୦୦ ଟଙ୍କା ଲେଖାଏଁ ଭତ୍ତା । ଏହାବାଦ୍‌ ଅନ୍ୟ ରୋଜଗାର ନାହିଁ । ପୁଅଙ୍କୁ ଛାଡି ବାହାରକୁ କାମ କରିବାକୁ ମଧ୍ୟ ଯାଇପାରୁନାହାନ୍ତି ବାପାମାଆ । ଦିନେ ଖାଇଲେ ଦିନେ ଉପାସରେ ରହୁଛନ୍ତି । ତଥାପି ଜିଲ୍ଲା ପ୍ରଶାସନର ଶୁଭଦୃଷ୍ଟି ପଡିପାରିନାହିଁ ଏହି ପରିବାର ଉପରେ ।

ଦୀର୍ଘ ବର୍ଷ ତଳେ ଇନ୍ଦିରା ଆବାସ ମିଳିଥିବାରୁ ବୈଲୋଚନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉନାହିଁ । ପ୍ରଶାସନକୁ ବୁଢ଼ା ବାପାମାଆ ନିବେଦନ କରିଛନ୍ତି, ସେମାନଙ୍କ ଦୁଃଖ ଶୁଣନ୍ତୁ ଜିଲ୍ଲାପାଳ । ତିନି ପୁଅଙ୍କ ଚିକିତ୍ସା ଦିଗରେ ସହାୟତାର ହାତ ବଢାନ୍ତୁ । ଦୟନୀୟ ଅବସ୍ଥାରେ ପଡିଥିବାରୁ ଆବାସ ଯୋଜନାରେ ଖଣ୍ଡିଏ ଘର ଏବଂ ପାଇଖାନାଟିଏ ପାଇଁ ପଦକ୍ଷେପ ନିଅନ୍ତୁ । ଦେଖାଯାଉ, ଦୁଃଖର ଦରିଆ ଭିତରେ ଜୀବନ ଜିଉଁଥିବା ଏହି ପରିବାର ଉପରେ କେବେ ଶୁଭଦୃଷ୍ଟି ପକାଉଛନ୍ତି ଜିଲ୍ଲାପାଳ।