PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଠାକୁରାଣୀଙ୍କ ଝୁଣାନିଆଁ ମାଡ଼ରେ ଗାଁ ମୁଖିଆଙ୍କ ସମେତ ୩ ଗୁରୁତର

ଭୋଗରାଇ,୨୬/୯,(ଆ.ପ୍ର.) ପୂର୍ବ ଶତ୍ରୁତାକୁ ନେଇ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ରସଲପୁର ଭଳି ଏକ ନିପଟ ମଫସଲ ଗାଁରେ ଭଗବତୀ ଠାକୁରାଣୀଙ୍କ ନାମରେ ଗାଁ ମୁଖିଆଙ୍କ ସମେତ ଅନ୍ୟ ଗ୍ରାମବାସୀଙ୍କୁ ଦେବୀଙ୍କ ଝୁଣାନିଆଁ ମାଡ଼ ହୋଇଛି। ଏଥିରେ ୩ ଜଣ ଗୁରୁତର ଆହତ ହୋଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି।

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର କମର୍ଦ୍ଦା ଥାନା ଅନ୍ତର୍ଗତ ରସଲପୁର ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣକୁ ନେଇ ଦୀର୍ଘ ବର୍ଷ ହେଲା ବିବାଦ ଲାଗି ରହିଥିଲା। ପୂର୍ବ ନିର୍ଦ୍ଧାରିତ ମାଆ ଭଗବତୀ ମନ୍ଦିର ପାର୍ଶ୍ବବର୍ତ୍ତୀ ସ୍ଥାନରେ ଅଙ୍ଗନୱାଡ଼ି ଗୃହ ନିର୍ମାଣ ହେବା ନେଇ ଗାଁ ମୁଖିଆ ନିର୍ମଳ କୁମାର ଦାସଙ୍କ ସମେତ ଅନ୍ୟ ଗ୍ରାମବାସୀ ମାନେ ଦାବି କରିଆସୁଥିଲେ। ତେବେ ଏହି ଭଗବତୀ ମନ୍ଦିରର ଦାସୀ ସବିତା ସାହୁ ଓ ଅନ୍ୟ କିଛି ଗ୍ରାମବାସୀ ସେଠାରେ ଅଙ୍ଗନୱାଡ଼ି ଗୃହ ନିର୍ମାଣକୁ ବିରୋଧ କରୁଥିଲେ। ତେବେ ସୋମବାର ପୂର୍ବାହ୍ନରେ ସବିତାଙ୍କ ସ୍ୱାମୀ ରାମଚନ୍ଦ୍ର ସାହୁ ଗାଁ ମୁଖିଆ ଶ୍ରୀ ଦାସଙ୍କ ଠାରେ ପହଞ୍ଚି ମାଆ ଭଗବତୀ ଦେବୀଙ୍କ ଦାସୀଙ୍କୁ କାଳିସୀ ଲାଗିଥିବା ଏବଂ ଗାଁ ସମ୍ପର୍କରେ ତାଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେବାପାଇଁ ଡାକୁଛନ୍ତି ବୋଲି କହିଥିଲେ। ଫଳରେ ଗାଁ ମୁଖିଆ ଶ୍ରୀ ଦାସଙ୍କ ସମେତ ବହୁ ଗ୍ରାମବାସୀ ଦେବୀଙ୍କ ପୀଠରେ ପହଞ୍ଚି ଦାସୀ ସବିତାଙ୍କୁ କାଳିସୀ ଲାଗିଥିବା ଦେଖି ଚକିତ ହୋଇଥିଲେ। ଅଙ୍ଗନୱାଡ଼ି ଗୃହ ନିର୍ମାଣ ହେଲେ ସେଠାରେ ସବୁ ସମୟରେ ଅଇଁଠା ଓ ଅପରିଷ୍କାର ହେବ ବୋଲି ମିଛରେ କାଳିସୀ ସବାର ହୋଇଥିବା ଦାସୀ ସବିତା ଅଭିନୟ କରି କହିବା ସହିତ ଏପରି ହେଲେ ସେ କାହାକୁ କ୍ଷମା ଦେବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ସମସ୍ତ ଗ୍ରାମବାସୀଙ୍କୁ କଠିନ ଦଣ୍ଡ ଦେବେ ବୋଲି ମଧ୍ୟ ଧମକ ଦେଇଥିଲେ।

ତେବେ ଏ ପର୍ଯ୍ୟନ୍ତ ସେହି ପୀଠରେ କେବେ ବି କାହାକୁ ମାଆ ଭଗବତୀ ଠାକୁରାଣୀ ସବାର ହୋଇ ନଥିଲା ବେଳେ ପ୍ରଥମ ଥର ପାଇଁ ଦାସୀ ସବିତାଙ୍କୁ ଏଭଳି ଭାବେ କାଳିସୀ ଲାଗିବା ଘଟଣାକୁ କେହି ବିଶ୍ବାସ କରିନଥିଲେ। ଫଳରେ ଏନେଇ ଗାଁ ମୁଖିଆ ଶ୍ରୀ ଦାସ କାଳିସୀରୂପୀ ସବିତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏଥିରେ ଦାସୀ ସବିତା ଉତକ୍ଷିପ୍ତ ହୋଇ ତୁ ଏସବୁ ପ୍ରଶ୍ନ ପଚାରିବାକୁ କିଏ ବୋଲି କହି ଦେବୀଙ୍କ ଠାରେ ହୁତୁହୁତୁ ହୋଇ ଜଳୁଥିବା ଝୁଣାନିଆଁକୁ ଉଠାଇ ନେଇ ଶ୍ରୀ ଦାସଙ୍କ ଉପରକୁ ଫିଙ୍ଗି ଦେଇଥିଲେ।

ଏହି ଝୁଣାନିଆଁରେ ଶ୍ରୀ ଦାସଙ୍କ ଗଳା,ଛାତି ଓ ଶରୀରର ଅନ୍ୟାନ୍ୟ ଅଂଶ ପୋଡ଼ି ଯାଇଥିଲା ବେଳେ ତାଙ୍କ ପାଖରେ ଥିବା ଦେବକୁମାର ଦାସ ଓ ବଂଶୀଧର ପଣ୍ଡାଙ୍କ ହାତ ସମେତ ଶରୀରର ଅନ୍ୟାନ୍ୟ ଅଂଶ ପୋଡ଼ି ଯାଇଥିଲା। ଏନେଇ ଗାଁରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଝୁଣାନିଆଁରେ ପୋଡି ଯାଇଥିବା ୩ ଜଣ ଗୁରୁତରଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଖବର ପାଇ କମର୍ଦ୍ଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦାସୀ ସବିତା ଓ ତାଙ୍କ ସ୍ବାମୀ ରାଜେନ୍ଦ୍ରକୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଏହି ଘଟଣାକୁ ନେଇ ଗ୍ରାମବାସୀ ମାନେ ସନ୍ଧ୍ୟାରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲା ବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର