କୋଣାର୍କ,୧୨ା୨(ଆପ୍ର): ପବିତ୍ର ମାଘସପ୍ତମୀ ତିଥିରେ ଆଜି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ୩ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ଭୋର ୪ଟାରେ ଶ୍ରୀତ୍ରିବେଣୀଶ୍ୱର, ଶ୍ରୀଦକ୍ଷିଣେଶ୍ୱର, ଶ୍ରୀଈଶାନେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରିଥିଲା । ୪ଟା ୧୦ରେ ଅପେକ୍ଷାରତ ସାଧୁସନ୍ଥ, ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ । ବେଳାଭୂମିରେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ସହ ଅଶେଷ ପୁଣ୍ୟ ଅର୍ଜନ କରିଥିଲେ । କୁହୁଡ଼ି ନଥିବାରୁ ଅପରୂପ ସୂର୍ଯ୍ୟୋଦୟ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ । ଏହି ତିଥିରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଲେ ସମସ୍ତ ପାପ କ୍ଷୟ ହୁଏ ବୋଲି ଜନମାନସରେ ବିଶ୍ୱାସ ରହିଛି ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସୋମବାର ରାତି ୯ଟାରେ ତିନି ଠାକୁର ନିଜ ନିଜ ଆସ୍ଥାନରୁ ବିମାନରେ ବିଜେ କରିଥିଲେ । ତିନି ଠାକୁରଙ୍କୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଅଣାଯାଇଥିଲା । ତିନି ଠାକୁର ବଜାର ପରିକ୍ରମା କରିବା ପରେ ଏନ୍ଏସି କାର୍ଯ୍ୟାଳୟ, ଆର୍ଆଇ ଅଫିସ, ତହସିଲ ଅଫିସ ଓ ଆଇବିରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଚନ୍ଦ୍ରଭାଗା ପୂଜା ମଣ୍ଡପ ଅଭିମୁଖେ ବାହାରି ଥିଲେ । ସୋମବାର ସନ୍ଧ୍ୟାରୁ ମେଳା ପଡ଼ିଆରେ ଶ୍ରଦ୍ଧାଳୁମାନେ ମାଟି ହାଣ୍ଡିରେ ରୋଷେଇ କରି ଖାଇବା ପରେ ହାଣ୍ଡିଭଙ୍ଗା ପୁଷ୍କରିଣୀରେ ହାଣ୍ଡିଗୁଡ଼ିକୁ ଭାଙ୍ଗି ଅସ୍ଥାୟୀ କୁଡ଼ିଆରେ ବୁଡ଼ ପାଇଁ ଅପେକ୍ଷା କରିଥିଲେ । ତିନି ଠାକୁର ତିନି ବିମାନରେ ବିଜେ କରି ଶୋଭାଯାତ୍ରାରେ ବାହାରିବା ସମୟରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ନିକଟରେ ଭିଡ଼ ଜମାଇଥିଲେ ।
ରାତି ୩ଟାରେ ଚନ୍ଦ୍ରଭାଗା ପୂଜା ମଣ୍ଡପରେ ତିନି ଠାକୁର ବିଜେ କରିଥିଲେ । ଆଧ୍ୟାତ୍ମିକ ପରିବେଶରେ ହରିବୋଲ ଓ ହୁଳହୁଳି ଶବ୍ଦ ତୀର୍ଥ କ୍ଷେତ୍ରକୁ ପ୍ରକମ୍ପିତ କରିଥିଲା । ତୀର୍ଥ ପୁଷ୍କରିଣୀରେ ପୁରୀ ରାଧାବଲ୍ଲଭ ମଠ ପକ୍ଷରୁ ସାଧୁସନ୍ଥ ୧୦୮ ଦୀପ ଆଳତି କରିଥିଲେ । ସମସ୍ତ ନୀତି ସମାପନ ପରେ ତିନି ଠାକୁର ତୀର୍ଥ ଜଳରେ ସ୍ନାନ କରିଥିଲେ । ଏହା ପରେ ଭୋର ୪ଟା ୧୦ମିରେ ଅପେକ୍ଷାରତ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଥିଲେ । ତୀର୍ଥ ପୁଷ୍କରିଣୀରେ ପାଣି କମ ଥିବାରୁ କିଛି ସମୟ ପରେ ପୁଷ୍କରିଣୀ ଜଳ ଗୋଳିଆ ହୋଇଯିବାରୁ ଶ୍ରଦ୍ଧାଳୁମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବୁଡ଼ ପକାଇ ସାରିବା ପରେ ଶ୍ରଦ୍ଧାଳୁମାନେ ବେଳାଭୂମିରେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରିଥିଲେ । ଗ୍ରହଶାନ୍ତି ନିମନ୍ତେ ଚନ୍ଦ୍ରଭାଗାରୁ ଚାଲିଚାଲି ନବଗ୍ରହ ପୀଠରେ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ପରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ ।
ମାଘ ସପ୍ତମୀ ଅବସରରେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ଥିଲା । ଦିନ ତମାମ ଏହି ବିଶ୍ୱ ଐତିହ୍ୟସ୍ଥଳୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । ସେହିଭଳି ଶାମ୍ବ ଦଶମୀ ତିଥିରୁ ୨୭ଦିନ ଯାତ୍ରାରେ ବାହାରିଥିବା ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଚଳନ୍ତି ପ୍ରତିମା ରଥାରୂଢ ହୋଇ ଅବଧୂତ ମଠକୁ ବାହୁଡ଼ି ଆସିଥିଲେ ।ଚନ୍ଦ୍ରଭାଗା ବୁଡ଼ ନିମନ୍ତେ ସୋମବାର ଅପରାହ୍ଣରୁ ମଙ୍ଗଳବାର ପର୍ଯ୍ୟନ୍ତ କୋଣାର୍କ ଓ ଚନ୍ଦ୍ରଭାଗାରେ ରାଜ୍ୟ ସମେତ ଦେଶ, ବିଦେଶର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମେଳା ପଡିଆରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଉପଜିଲ୍ଲାପାଳ ଭାବତାରଣ ସାହୁ, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସ୍ପି ସାର୍ଥକ ଷଡ଼ଙ୍ଗୀ, ଅତିରିକ୍ତ ଏସ୍ପି ପ୍ରଭାତ କୁମାର ସ୍ୱାଇଁ, ଏନ୍ଏସି ନିର୍ବାହୀ ଅଧିକାରୀ ଏମ୍ ଶ୍ରୀନିବାସ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ୩୦ ପ୍ଲାଟୁନ୍ ଫୋର୍ସ, ୨୦୦ ସ୍ୱେଚ୍ଛାସେବୀ ନିୟୋଜିତ ଥିଲେ ।

ନିର୍ବାଚନ ଫଳାଫଳ ପୂର୍ବରୁ ସିଏମ୍ ଶିବରାଜ ଡାକିଲେ କ୍ୟ...