ଭୁବନେଶ୍ଵର : ମହାଭାରତ ଯୁଦ୍ଧ ସମୟର ୩ ବଡ଼ ଅଭିଶାପ। କଳିଯୁଗରେ ବି ପଡୁଛି ପ୍ରଭାବ। ଯୁଧିଷ୍ଠିରଙ୍କ ଠାରୁ ରାଜା ପରିକ୍ଷୀତଙ୍କ ଯାଏଁ। ସମସ୍ତଙ୍କ କଥା ଗୋଟି ଗୋଟି କରି ହେଉଛି ସତ। ଦ୍ଵାପର ଯୁଗରୁ ମଣିଷଙ୍କ ପିଛା ଛାଡ଼ୁନି ଏହି ଅଭିଶାପ। କୁହନ୍ତି ମହିଳାଙ୍କ ପେଟରେ କିଛି କଥା ହଜମ ହୁଏନି। ସତକୁ ସତ ମହିଳାମାନେ ବି କୌଣସି କଥା ଲୁଚାଇ ରଖି ପାରନ୍ତିନି। ତେବେ ଏହା ପଛର କାରଣ ହେଉଛି ଯୁଧିଷ୍ଠିରଙ୍କ ଅଭିଶାପ।
ମହାଭାରତରେ କର୍ଣ୍ଣଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ବେଳେ ପାଣ୍ଡବଙ୍କୁ ସତ କହିଥିଲେ କୁନ୍ତି । ପଞ୍ଚୁ ପାଣ୍ଡବଙ୍କ ବଡ଼ ଭାଇ ଥିଲେ କର୍ଣ୍ଣ। ଏହା ଶୁଣି ଘୋର ପଶ୍ଚାତାପ କରିଥିଲେ ଯୁଧିଷ୍ଠିର। ଆଉ ରାଗ ଜର୍ଜରିତ ହୋଇ ନିଜ ମା’ କୁନ୍ତିଙ୍କୁ ଅଭିଶାପ ଦେଇଥିଲେ । କେବେ କୌଣସି ନାରୀ କିଛି କଥା ଲୁଚାଇ ରଖି ପାରିବେନି ବୋଲି କହିଥିଲେ ଧର୍ମରାଜ । ସମଗ୍ର ନାରୀ ଜାତି ଉପରେ ପଡିଥିଲା ଏହି ଅଭିଶାପ। ଯେଉଁଥିପାଇଁ ଆଜି ଯାଏଁ ବି କୌଣସି ନାରୀ ପେଟରେ କିଛି ଗୁପ୍ତ କଥା ହଜମ ହୁଏନି। ତେବେ ଏହା କେବଳ ପୌରାଣିକ କଥା ନୁହେଁ, ଏହାକୁ ବୈଜ୍ଞାନିକ ମାନ୍ୟତା ମଧ୍ୟ ମିଳିଛି।
ଦ୍ଵିତୀୟ ଅଭିଶାପଟି ରାଜା ପରିକ୍ଷୀତଙ୍କ ସହ ଜଡ଼ିତ। ଅଭିମନ୍ୟୁଙ୍କ ପୁତ୍ର ପରିକ୍ଷୀତ ଶିକାରକୁ ଯାଇଥିଲେ। ସେଠାରେ ଶମୀକ ଋଷି ଧ୍ୟାନରତ ଥିଲେ। ପରିକ୍ଷୀତ ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ। ହେଲେ ଋଷି ମୌନ ବ୍ରତରେ ଥିଲେ । ତେଣୁ କୌଣସି ପ୍ରତିକ୍ରିୟା ଦେଲେ ନାହିଁ। ଏଥିରେ ରାଗି ରାଜା ପରିକ୍ଷୀତ ଏକ ମଲା ସାପ ଋଷିଙ୍କ ବେକରେ ଗୁଡାଇ ଦେଇଥିଲେ। ଋଷି ପୁତ୍ର ଏହା ଜାଣିବା ପରେ କ୍ରୋଧିତ ହୋଇ ରାଜାଙ୍କୁ ଅଭିଶାପ ଦେଇଥିଲେ। ୭ ଦିନ ଭିତରେ ସର୍ପାଘାତରେ ପରିକ୍ଷୀତଙ୍କ ମୃତ୍ୟୁ ହେବ କହିଥିଲେ । ସତକୁ ସତ ସପ୍ତମ ଦିନ ରାଜାଙ୍କୁ ତକ୍ଷକ ନାଗ ଦଂଶିଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିକ୍ଷୀତଙ୍କ ମୃତ୍ୟୁ ପରେ କଳିର ପ୍ରଭାବ ବଢିଥିଲା।
ତୃତୀୟ ଅଭିଶାପ ହେଉଛି ଅଶ୍ଵଥମାଙ୍କୁ ନେଇ। ପିତା ଦ୍ରୋଣାଚାର୍ଯ୍ୟଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯାଇ ଅଶ୍ଵଥମା ପାଞ୍ଚାଳିଙ୍କ ସମସ୍ତ ପୁତ୍ରଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିଥିଲେ। ଏପରିକି ଅଭିମନ୍ୟୁଙ୍କ ବଂଶ ଲୋପ ପାଇଁ ସେ ଉତ୍ତରାଙ୍କ ଗର୍ଭସ୍ଥ ଶିଶୁକୁ ବି ନଷ୍ଟ କରିବାକୁ ପ୍ରାୟସ କରିଥିଲେ। ଯାହା ଯୁଦ୍ଧର ନିୟମ ବିରୋଧ। ଏଥିରେ କ୍ରୋଧିତ ହୋଇ ଶ୍ରୀକୃଷ୍ଣ, ଅଶ୍ଵଥମାଙ୍କୁ କଠୋର ଅଭିଶାପ ଦେଇଥିଲେ। ସେ କେବେ ମରିବେ ନାହିଁ, ରୋଗ ଜର୍ଜରିତ ଅବସ୍ଥାରେ କଳିଯୁଗର ଶେଷ ଯାଏଁ ଘୂରି ବୁଲିବେ । ଲୋକଙ୍କ ବିଶ୍ଵାସ ଅନୁଯାୟୀ, ଅଶ୍ଵଥମା ଏବେବି ଜୀବିତ। କଳିଯୁଗରେ ସେ ଭିନ୍ନ ଭିନ୍ନ ସ୍ଥାନରେ ବେଶ ବଦଳାଇ ଘୂରି ବୁଲୁଥିବା ବିଶ୍ଵାସ ରହିଛି। ତେବେ ଏହାର କୌଣସି ପ୍ରମାଣ ନାହିଁ।
ଭଗବାନ କୃଷ୍ଣଙ୍କ ଇହ ଧାମ ତ୍ୟାଗ ପରେ କଳିଯୁଗର ଆରମ୍ଭ। ଶାସ୍ତ୍ର ଅନୁଯାୟୀ କଳିଯୁଗର ପୁରା ଅବଧି ୪ ଲକ୍ଷ ୩୨ ହଜାର ବର୍ଷ। ଏବେ ସୁଦ୍ଧା ୫ ହଜାର ୧୨୭ ବର୍ଷ ବିତି ସାରିଛି। ଏହି ଯୁଗ ସରିବାକୁ ଆହୁରି ଅନେକ ବର୍ଷ ରହିଛି ।
ଏହି ଖବରଟିକୁ ପଢନ୍ତୁ- କେଦାରନାଥରୁ ଫେରୁଥିବା ପ୍ରଜ୍ଞା ନିଖୋଜ ? ଟ୍ରେନରେ ସ୍ୱାମୀ ଶୋଇ ଥିଲେ, ପାଖ ସିଟ୍ରୁ ଗାଏବ ପତ୍ନୀ