ନୂଆଦିଲ୍ଲୀ - ବାବା କେଦାରନାଥଙ୍କ ଦର୍ଶନ ସାରି ଫେରୁଥିବା ଏକ ନବଦମ୍ପତିଙ୍କ ଖୁସି ସେତେବେଳେ ଦୁଃଖ ଓ ଚିନ୍ତାରେ ବଦଳିଗଲା, ଯେତେବେଳେ ଚଳନ୍ତା ଟ୍ରେନରୁ ନବବିବାହିତା ଜଣଙ୍କ ସନ୍ଦେହଜନକ ପରିସ୍ଥିତିରେ ନିଖୋଜ ହୋଇଗଲେ। ଡେରାଡୁନରୁ ଗାଜିଆବାଦ ଅଭିମୁଖେ ଯାଉଥିବା ମହାନନ୍ଦା ଏକ୍ସପ୍ରେସ ଟ୍ରେନରେ ଘଟିଥିବା ଏହି ଘଟଣା ରେଳ ପ୍ରଶାସନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ।
ଘଟଣା ଅନୁସାରେ, ମୂଳତଃ କାନପୁରର ବାସିନ୍ଦା ମନୀଷ ଅଗ୍ରହରି ଏବଂ ପ୍ରଜ୍ଞା ସିଂ କିଛି ଦିନ ପୂର୍ବେ ପ୍ରେମ ବିବାହ କରି ଥିଲେ। ଚାକିରି କାରଣରୁ ଏହି ଦମ୍ପତି ଗ୍ରେଟର ନୋଏଡାରେ ରହୁଛନ୍ତି। ବିବାହ ପରେ ମନୀଷ ନିଜ ପତ୍ନୀଙ୍କ ସହ କେଦାରନାଥ ଯାତ୍ରାରେ ଯାଇଥିଲେ।
ମନୀଷଙ୍କ କହିବା ଅନୁସାରେ, ଡେରାଡୁନରୁ ଫେରିବା ସମୟରେ ଟ୍ରେନରେ ବସିବା ପରେ କ୍ଲାନ୍ତ ହୋଇ ପଡ଼ିବା ଯୋଗୁଁ ତାଙ୍କ ଆଖି ଲାଗି ଯାଇ ଥିଲା। ମୁଜାଫରନଗର ଷ୍ଟେସନ ପହଞ୍ଚିବା ପୂର୍ବରୁ ଯେତେବେଳେ ତାଙ୍କ ନିଦ ଭାଙ୍ଗିଲା, ସେ ଦେଖିଲେ ଯେ ପାଖ ସିଟ ପତ୍ନୀ ପ୍ରଜ୍ଞା ନାହାନ୍ତି। ମନୀଷ ପୂରା ଟ୍ରେନର କୋଣ ଅନୁକୋଣ ଖୋଜିଥିଲେ ମଧ୍ୟ ପ୍ରଜ୍ଞାଙ୍କର କୌଣସି ପତ୍ତା ମିଳି ନଥିଲା। ସେ କହିଛନ୍ତି ଯେ ପ୍ରଜ୍ଞାଙ୍କ ପାଖରେ ଟଙ୍କା କିମ୍ବା ଅନ୍ୟ କୌଣସି ସାଧନ ନାହିଁ।
ଏହି ମାମଲାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ଭୟଙ୍କର କଥା ହେଉଛି ପ୍ରଜ୍ଞାଙ୍କ ମୋବାଇଲ୍ ଲୋକେସନ। ପ୍ରଜ୍ଞାଙ୍କ ଫୋନର ଶେଷ ଲୋକେସନ ଉତ୍ତରାଖଣ୍ଡର ଲକ୍ସର ନିକଟସ୍ଥ ରେଳ ଧାରଣା କଡ଼ରେ ମିଳି ଥିଲା। ଏହା ପରଠାରୁ ତାଙ୍କ ଫୋନ୍ କ୍ରମାଗତ ଭାବେ ବନ୍ଦ ରହିଛି, ଯାହାଫଳରେ କୌଣସି ଅଘଟଣର ଆଶଙ୍କା ଘନୀଭୂତ ହେଉଛି।
ଲକ୍ସର ପୁଲିସ ମନୀଷଙ୍କ ଅଭିଯୋଗ ଆଧାରରେ ନିଖୋଜ ମାମଲା ରୁଜୁ କରିଛି। ପୁଲିସ ଟିମ୍ ରେଳ ଧାରଣା ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି, କିନ୍ତୁ ତଦନ୍ତରେ ଏକ ବଡ଼ ବାଧା ସାମ୍ନାକୁ ଆସିଛି। ରେଳ ଅଧିକାରୀଙ୍କ ଅନୁସାରେ, ସେହି ଅଞ୍ଚଳର କିଛି ସିସିଟିଭି କ୍ୟାମେରା ଖରାପ ଅଛି, ଯେଉଁଥିପାଇଁ ସୁରାକ ପାଇବାରେ ଅସୁବିଧା ହେଉଛି। ବର୍ତ୍ତମାନ ସେହି କ୍ୟାମେରା ଗୁଡ଼ିକରୁ ଡାଟା ରିକଭରି ପାଇଁ ଚେଷ୍ଟା କରାଯାଉଛି। ପୁଲିସ ମନୀଷ ଏବଂ ତାଙ୍କ ପରିବାରକୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ପୁଣି ଥରେ ଲକ୍ସର ଥାନାକୁ ଡକାଇଛି।
ନିଜ ପତ୍ନୀଙ୍କ ସନ୍ଧାନରେ ବୁଲୁଥିବା ମନୀଷ ଅଗ୍ରହରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଏବଂ ଡିଜିପିଙ୍କୁ ଭାବୁକ ନିବେଦନ କରିଛନ୍ତି। ସେ କହିଛନ୍ତି, ମୋ ଦୁନିଆ ଉଜୁଡ଼ି ଯାଇଛି। ପ୍ରଜ୍ଞା କେଉଁଠି ଥିବେ ଏବଂ କେଉଁ ଅବସ୍ଥାରେ ଥିବେ, ଏହା ଭାବିଲେ ମୋ ଛାତି ଥରି ଉଠୁଛି।