ନୂଆଦିଲ୍ଲୀ, ୧୩।୬: ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଛି ଏକ ଚିନ୍ତାଜନକ ଖବର । ଦେଶରେ ଆର୍ଥିକ ମାନ୍ଦାବସ୍ଥା ଓ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗିଯାଇଛି । ପାକିସ୍ତାନ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା 'ଇକୋନୋମିକ ସର୍ଭେ ୨୦୨୫-୨୬' ରିପୋର୍ଟରେ ଦେଶର ଦୟନୀୟ ଆର୍ଥିକ ଏବଂ ସାମାଜିକ ସ୍ଥିତିର ଚିତ୍ର ପଦାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଦେଶରେ ଦାରିଦ୍ର୍ୟତା ଦ୍ରୁତଗତିରେ ବଢ଼ିବାରେ ଲାଗିଛି ଏବଂ ଅନ୍ୟପଟେ ଶିକ୍ଷା ଉପରେ ସରକାରୀ ଖର୍ଚ୍ଚ ରେକର୍ଡ ସ୍ତରକୁ ଖସି ଆସିଛି ।
ପ୍ରତି ୧୦ ଜଣରେ ୩ ଜଣ ଗରିବ:
ସରକାରୀ ସର୍ଭେ ଅନୁସାରେ, ଆଜି ପାକିସ୍ତାନରେ ପ୍ରତି ୧୦ ଜଣରେ ପ୍ରାୟ ୩ ଜଣ ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ବିତାଉଛନ୍ତି । ବର୍ଷ ୨୦୧୮-୧୯ ରେ ପାକିସ୍ତାନରେ ଦାରିଦ୍ର୍ୟତା ହାର ୨୧.୯% ଥିଲା । ବର୍ଷ ୨୦୨୪-୨୫ ବେଳକୁ ଏହା ବୃଦ୍ଧି ପାଇ ୨୮.୯% ରେ ପହଞ୍ଚିଛି । ଏହାର ଅର୍ଥ ହେଉଛି, ଗତ କିଛି ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ପୁଣି ଥରେ ଗରିବୀର ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛନ୍ତି । କ୍ରମାଗତ ଭାବେ ବଢ଼ୁଥିବା ମୁଦ୍ରାସ୍ଫୀତି, ଆର୍ଥିକ ସଂକଟ ଏବଂ ଆୟର ଅସମାନତା ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି । ଖାଦ୍ୟପେୟ, ବିଜୁଳି, ଜାଳେଣି ଏବଂ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ଦର ଯୋଗୁଁ ଲୋକଙ୍କ କ୍ରୟ ଶକ୍ତି ସମ୍ପୂର୍ଣ୍ଣ କମିଯାଇଛି ।
କେବଳ ଗାଁ ନୁହେଁ, ସହରକୁ ବି ଗ୍ରାସିଲାଣି ଦାରିଦ୍ର୍ୟତା:
ରିପୋର୍ଟରେ ଏକ ଚମକାଇବା ଭଳି ତଥ୍ୟ ସାମ୍ନାକୁ ଆସିଛି ଯେ, ଗରିବୀ ଏବେ କେବଳ ଗ୍ରାମାଞ୍ଚଳରେ ସୀମିତ ହୋଇ ରହିନାହିଁ । ପୂର୍ବରୁ ଗାଁ ଗୁଡ଼ିକରେ ଦାରିଦ୍ର୍ୟତା ଅଧିକ ଥିବାବେଳେ, ଏବେ ସହରାଞ୍ଚଳର ବଡ଼ ସଂଖ୍ୟକ ଲୋକ ମଧ୍ୟ ତୀବ୍ର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାକିସ୍ତାନର ସମସ୍ତ ପ୍ରମୁଖ ପ୍ରଦେଶରେ ଦାରିଦ୍ର୍ୟତା ବଢ଼ିବାରେ ଲାଗିଛି, ଯାହା ଆଗାମୀ ଦିନରେ ଦେଶ ପାଇଁ ବଡ଼ ସାମାଜିକ ବିପଦ ସୃଷ୍ଟି କରିପାରେ । ଏହା ସହ ଧନୀ ଏବଂ ଗରିବଙ୍କ ମଧ୍ୟରେ ଥିବା ବ୍ୟବଧାନ ମଧ୍ୟ ବୃଦ୍ଧି ପାଇଛି । ଯଦି ଆଗାମୀ ଦିନରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ କୌଣସି ବଡ଼ ସଂକଟ ଦେଖାଦିଏ, ତେବେ ବିଦେଶରୁ ଆସୁଥିବା ଟଙ୍କା ପ୍ରଭାବିତ ହେବ, ଯାହା ପାକିସ୍ତାନର ଲକ୍ଷ ଲକ୍ଷ ପରିବାରକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେବ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି ।
ଶିକ୍ଷା ବଜେଟ୍ରେ ୨୩% ହ୍ରାସ: ଅନ୍ଧକାର ଆଡ଼କୁ ଭବିଷ୍ୟତ:
ଆର୍ଥିକ ସଂକଟର ସବୁଠାରୁ ବଡ଼ ପ୍ରଭାବ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ିଛି । ରିପୋର୍ଟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୫ରେ ଶିକ୍ଷା ଉପରେ ସରକାରୀ ଖର୍ଚ୍ଚ ୨୩% ହ୍ରାସ ପାଇ ୯୬୨ ଅରବ ପାକିସ୍ତାନୀ ଟଙ୍କା ରହିଯାଇଛି । ଶିକ୍ଷା ଉପରେ ହେଉଥିବା ମୋଟ୍ ଖର୍ଚ୍ଚ ଦେଶର ମୋଟ ଜିଡିପିର ମାତ୍ର ୦.୮%, ଯାହା ପାକିସ୍ତାନ ଇତିହାସରେ ସବୁଠାରୁ ସର୍ବନିମ୍ନ ସ୍ତର । ଆଜି ବି ପାକିସ୍ତାନର ଅନେକ ସ୍କୁଲରେ ପାନୀୟ ଜଳ ଓ ଶୌଚାଳୟ ଭଳି ପ୍ରାଥମିକ ସୁବିଧା ନାହିଁ । ଲକ୍ଷ ଲକ୍ଷ ପିଲା ସ୍କୁଲ ଯାଉନାହାନ୍ତି ଏବଂ ମହିଳା ସାକ୍ଷରତା ହାର ମଧ୍ୟ ଅତ୍ୟନ୍ତ ନିରାଶାଜନକ ରହିଛି । ସରକାରୀ ରିପୋର୍ଟରେ ସ୍ପଷ୍ଟ କୁହାଯାଇଛି ଯେ, ଯଦି ପାକିସ୍ତାନକୁ ଗରିବୀ ହଟାଇବାକୁ ହେବ, ତେବେ ଶିକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ଓ ବ୍ୟାପକ ସୁଧାର ଆଣିବା ଜରୁରୀ ।
ଆହୁରି ପଢ଼ନ୍ତୁ... Air India Losses: ଟାଟାକୁ ଭାରି ପଡ଼ିଲା ଏୟାର୍ ଇଣ୍ଡିଆ କିଣିବା ! ୫୫,୦୦୦ କୋଟିର ବଡ଼ କ୍ଷତି