ଭୁବନେଶ୍ୱର, ୨୮।୭: ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି । ବିଶେଷ କରି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ ବର୍ଷା ହୋଇଥିବା ବେଳେ ବାଲେଶ୍ୱରର ନୀଳଗିରିରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏହି ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ ଜଳକା, ଶାଳନ୍ଦୀ ଓ ବୈତରଣୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଜଳସମ୍ପଦ ବିଭାଗର ଆକଳନ ଅନୁଯାୟୀ, ଆଜି ସନ୍ଧ୍ୟା ସୁଦ୍ଧା ବୈତରଣୀ ନଦୀରେ ବଡ଼ ବନ୍ୟା ଆସିପାରେ ।
ଆଖୁଆପଦାଠାରେ ବର୍ତ୍ତମାନ ସୁଦ୍ଧା ଜଳସ୍ତର ବିପଦ ସଙ୍କେତ ଛୁଇଁ ନଥିଲେ ବି ସନ୍ଧ୍ୟା ସୁଦ୍ଧା ଏହା ବିପଦ ସଙ୍କେତ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାଦ୍ୱାରା ଧାମନଗର, ଦଶରଥପୁର ଓ ଚାନ୍ଦବାଲି ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହେବା ସହ ବ୍ୟାପକ ଚାଷ ଜମି ଜଳମଗ୍ନ ହେବାର ଭୟ ରହିଛି । ତେବେ ୨୪ ଘଣ୍ଟା ପରେ ଜଳସ୍ତର କମିବ । ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର ପ୍ରକ୍ରିୟା ଉପରେ ନଜର ରଖାଯାଇଥିବା ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି । ଅନ୍ୟପଟେ, ଜଳକା ନଦୀର ମାଖନୀ ବ୍ରିଜ ନିକଟରେ ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬.୮ ରୁ ୭ ମିଟର ପହଞ୍ଚି ବିପଦ ସଙ୍କେତ ଟପିପାରେ । ଡ୍ୟାମ୍ରୁ ଜଳ ନିଷ୍କାସନ ହେଉଥିବାରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବ । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଗତକାଲି ସନ୍ଧ୍ୟାରେ ମହାନଦୀରେ ଆସିଥିବା ଉଚ୍ଚ ବନ୍ୟାଜଳ ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା କମିବାରେ ଲାଗିଛି । ମୁଣ୍ଡଳୀଠାରେ ଜଳସ୍ତର ହ୍ରାସ ପାଉଛି ।
ଏହା ବି ପଢ଼ନ୍ତୁ... ଗଞ୍ଜେଇ ଚାଲାଣରେ ରାକେଟର ପର୍ଦ୍ଦାଫାସ: ୩ ଗଞ୍ଜେଇ ମାଫିଆ ଗିରଫ, ନଗଦ ୩ ଲକ୍ଷ ୮୬ ହଜାର ଟଙ୍କା ଜବତ
ତେବେ ତଳିଆ ଅଞ୍ଚଳ ହୋଇଥିବାରୁ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇପାରେ । ହୀରାକୁଦ ଡ୍ୟାମ୍ର ବର୍ତ୍ତମାନ ମାତ୍ର ୨ଟି ଗେଟ୍ ଖୋଲା ରହିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ହୀରାକୁଦର ଆଉ କୌଣସି ଗେଟ୍ ଖୋଲାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥର ଦକ୍ଷିଣ ଓଡ଼ିଶାରେ ଆଶାଜନକ ବର୍ଷା ହୋଇନାହିଁ, ଯାହାଫଳରେ ସେହି ଅଞ୍ଚଳର ଡ୍ୟାମ୍ଗୁଡ଼ିକରେ ପର୍ଯ୍ୟାପ୍ତ ଜଳ ନାହିଁ । ଗତବର୍ଷ ତୁଳନାରେ ଏବର୍ଷ ସେଠାରେ ବର୍ଷା ପରିମାଣ କମ୍ ରହିଛି । ରାଜ୍ୟରେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ଏବଂ ଗଜପତି ଜିଲ୍ଲାରେ ସର୍ବନିମ୍ନ ବର୍ଷା ରେକର୍ଡ କରାଯାଇଛି ।