ନୂଆଦିଲ୍ଲୀ, ୧୩।୬: ଟାଟା ଗ୍ରୁପ୍ ପାଇଁ ଏବେ ବଡ଼ ଚିନ୍ତାର କାରଣ ସାଜିଛି ଏୟାର୍ ଇଣ୍ଡିଆ । ୨୦୨୨ ମସିହାରେ କମ୍ପାନୀକୁ କିଣିବା ଦିନଠାରୁ ଏପର୍ଯ୍ୟନ୍ତ ଏୟାର୍ ଇଣ୍ଡିଆ ଟାଟା ଗ୍ରୁପ୍କୁ ୫୫,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହ୍ୟ କରିବାକୁ ବାଧ୍ୟ କରିଛି । ବିଶେଷ କରି ଗତ ବର୍ଷ ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଏୟାର୍ ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଗତ ବର୍ଷେ ମଧ୍ୟରେ କମ୍ପାନୀକୁ ପ୍ରାୟ ୩ ବିଲିୟନ୍ ଡଲାରର ରେକର୍ଡ କ୍ଷତି ହୋଇଛି । ଏହି ସଙ୍କଟକୁ ଦୃଷ୍ଟିରେ ରଖି ଟାଟା ଗ୍ରୁପ୍ ଏବେ ଏୟାର୍ ଇଣ୍ଡିଆକୁ ତାର ଖର୍ଚ୍ଚ କାଟ୍ କରିବା ସହ ବିସ୍ତାର ଯୋଜନାକୁ ଧିମା କରିବାକୁ ନିର୍ଦ୍ଦେଶ ଦେଇଛି ।
ଖର୍ଚ୍ଚ କାଟ୍ ପାଇଁ ଏୟାର୍ ଇଣ୍ଡିଆର ବଡ଼ ପଦକ୍ଷେପ:
ବୋଇଂ ଏବଂ ଏୟାରବସ୍ ସହ ଆଲୋଚନା କରି ପୂର୍ବରୁ ଅର୍ଡର ହୋଇଥିବା ୫୦୦ ବିମାନର ଡେଲିଭରି ଅବଧିକୁ ଘୁଞ୍ଚାଇବାକୁ ଚେଷ୍ଟା ଚାଲିଛି, ଯାହା ଦ୍ୱାରା ବଡ଼ ପେମେଣ୍ଟକୁ ଟାଳି ହେବ । ଅନେକ ଘରୋଇ ଓ ଆନ୍ତର୍ଜାତୀୟ ରୁଟ୍ର ସମୀକ୍ଷା କରାଯାଇ ଉଡ଼ାଣ ସଂଖ୍ୟା କମାଯାଉଛି । ନୋଏଡ଼ା ଆନ୍ତର୍ଜାତୀୟ ବିମାନବନ୍ଦର ଭଳି ନୂଆ ସ୍ଥାନରେ ସେବା ଆରମ୍ଭ କରିବାରେ ବିଳମ୍ବ କରାଯାଉଛି ।
କାହିଁକି ବୁଡ଼ିଲା ଏୟାର୍ ଇଣ୍ଡିଆ ?
ଏୟାର୍ ଇଣ୍ଡିଆର ଏହି ଦୁର୍ଦ୍ଦଶା ପଛରେ କେବଳ ଦୁର୍ଘଟଣା ନୁହେଁ, ବରଂ ଅନେକ ଅନ୍ତର୍ଜାତୀୟ କାରଣ ମଧ୍ୟ ରହିଛି । ପାକିସ୍ତାନ ନିଜ ଆକାଶମାର୍ଗ ବନ୍ଦ କରିବା ଏବଂ ଇରାନ ଯୁଦ୍ଧ ଯୋଗୁଁ ବିମାନଗୁଡ଼ିକୁ ଦୀର୍ଘ ପଥ ଅତିକ୍ରମ କରିବାକୁ ପଡ଼ୁଛି, ଯାହାଦ୍ୱାରା ଇନ୍ଧନ ଖର୍ଚ୍ଚ ଆକାଶଛୁଆଁ ହୋଇଛି । ଏୟାରଲାଇନ୍ସର ଅଧିକାଂଶ କାରବାର ଡଲାରରେ ହେଉଥିବା ବେଳେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ଆର୍ଥିକ ବୋଝକୁ ଆହୁରି ବଢ଼ାଇ ଦେଇଛି ।
ଟାଟା ବୋର୍ଡର ଚିନ୍ତା:
ଏହି ବିପୁଳ କ୍ଷତି ଟାଟା ଟ୍ରଷ୍ଟ ବୋର୍ଡ ପାଇଁ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଟାଟା ସନ୍ସ ପାଖରେ ଏୟାର୍ ଇଣ୍ଡିଆର ସର୍ବାଧିକ ଅଂଶଧନ ରହିଥିବା ବେଳେ ୨୦୨୪ରେ ସିଙ୍ଗାପୁର ଏୟାରଲାଇନ୍ସ ମଧ୍ୟ ଏଥିରେ ୨୫.୧% ଅଂଶଧନ କିଣିଥିଲା । ତେବେ ଏୟାର୍ ଇଣ୍ଡିଆ ପ୍ରବକ୍ତାଙ୍କ କହିବା ଅନୁସାରେ, ବର୍ତ୍ତମାନ ପରିସ୍ଥିତି ଜଟିଳ ଥିଲେ ମଧ୍ୟ କମ୍ପାନୀ ତାର ଦୀର୍ଘକାଳୀନ ବିକାଶ ଓ ବିମାନ ବେଡ଼ାର ଆଧୁନିକୀକରଣ ପାଇଁ ପ୍ରତିବଦ୍ଧ ରହିଛି ।
ଆହୁରି ପଢ଼ନ୍ତୁ... IAF Aircraft Crash: ବଡ଼ ଦୁର୍ଘଟଣା; ବାୟୁସେନାର AN-୩୨ ଏୟାରକ୍ରାଫ୍ଟ କ୍ରାସ୍ , ଲାଣ୍ଡିଂ ବେଳେ ୨ ଭାଗ ହେଲା