ନୂଆଦିଲ୍ଲୀ,୧୮/୦୯: ଆମେରିକାର ଦକ୍ଷିଣ ପେନସିଲଭାନିଆରେ ଗୁଳିକାଣ୍ଡ।ଫଳରେ ୩ ପୁଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ଏନେଇ ପୁଲିସ ଆକ୍ରମଣକାରୀଙ୍କୁ ହତ୍ୟା କରିଛି। ରାଜ୍ୟପାଳ ଜୋଶ ଶାପିରୋ କହିଛନ୍ତି ଯେ, "ଏହି ଦେଶର ସେବା କରିଥିବା ଏହି ଅଧିକାରୀମାନଙ୍କ ବିୟୋଗରେ ଆମେ ଶୋକ ପ୍ରକାଶ କରୁଛୁ।"

ସେ ଆହୁରି ମଧ୍ୟ କହିଛନ୍ତି, "ଏହି ପ୍ରକାରର ହିଂସା ଠିକ୍ ନୁହେଁ, ଆମକୁ ଏକ ସମାଜ ଭାବରେ କାର୍ଯ୍ୟ କରିବାକୁ ପଡିବ।" ତେବେ ଗୁଳିକାଣ୍ଡ ଫିଲାଡେଲଫିଆର ପଶ୍ଚିମରେ ପ୍ରାୟ ୧୮୫ କିଲୋମିଟର ଦୂରରେ ଏବଂ ମେରିଲ୍ୟାଣ୍ଡ ସୀମାଠାରୁ ବହୁତ ଦୂରରେ ନର୍ଥ କୋଡୋରସ୍ ଟାଉନସିପରେ ଘଟିଛି।"ଏହି ମାମଲାରେ ସମ୍ପୂର୍ଣ୍ଣ, ନିରପେକ୍ଷ ତଦନ୍ତ ନହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ," ବୋଲି ପେନସିଲଭାନିଆ ରାଜ୍ୟ ପୁଲିସ କମିଶନର କ୍ରିଷ୍ଟୋଫର ପ୍ୟାରିସ କହିଛନ୍ତି। ସେପଟେ ୟର୍କ ହସ୍ପିଟାଲରେ ଦୁଇ ଗୁରୁତର ଆହତଙ୍କ ଚିକିତ୍ସା ଆରମ୍ଭ ହୋଇଛି ଏବଂ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି। ତଥାପି ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ। ପ୍ରକାଶ ଥାଉକି, ଫେବୃଆରୀ ମାସରେ ମଧ୍ୟ ଏହି ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ଏକ ପିସ୍ତଲ ଏବଂ ଜିପ୍ ଟାଇ ଧରି ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ଭିତରକୁ ପ୍ରବେଶ କରିଥିଲେ, ଗୁଳି ଚଳାଇବା ପୂର୍ବରୁ କର୍ମଚାରୀମାନଙ୍କୁ ବନ୍ଧକ ରଖିଥିଲେ। ଏହି ଘଟଣାରେ ସନ୍ଦିଗ୍ଧ ବ୍ୟକ୍ତି ଏବଂ ଜଣେ ପୁଲିସ ଅଧିକାରୀ ନିହତ ହୋଇଥିଲେ।