ଗଜପତି,୧୫/୫ : ଗଜପତି ଜିଲ୍ଲାର ଐତିହାସିକ ମହେନ୍ଦ୍ରଗିରିରେ ଆୟୋଜିତ ହେବାକୁ ଥିବା ‘ମହେନ୍ଦ୍ର ମେଳା’କୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ଗୋଟିଏ ପଟେ ବିରୋଧ ତ ଅନ୍ୟପଟେ ସମର୍ଥନ । ‘ବିଶ୍ଵାବସୁ ଶବର ସଂସ୍କୃତି ସୁରକ୍ଷା ମଞ୍ଚ’ ପକ୍ଷରୁ ମେଳାକୁ ବିରୋଧ କରାଯାଉଥିବାବେଳେ ଏହାକୁ ନେଇ ଏବେ ସନାତନ ପ୍ରେମୀ ଓ ସ୍ଥାନୀୟ ସଂଗଠନଗୁଡ଼ିକ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଏହାର ପ୍ରତିବାଦରେ ଶତାଧିକ କର୍ମକର୍ତ୍ତା ଏକଜୁଟ ହୋଇ ମେଳା ସପକ୍ଷରେ ଗର୍ଜିଛନ୍ତି । ରାୟଗଡ଼ ବ୍ଲକରେ ‘ଶବର ସମାଜ କଲ୍ୟାଣ ସମିତି’ ଏବଂ ‘ମହେନ୍ଦ୍ର ଉନ୍ନୟନ ସେବା ସମିତି’ ପକ୍ଷରୁ ଏକ ବିଶାଳ ସମାଗମ ଅନୁଷ୍ଠିତ ହୋଇଯାଇଛି । ବିରୋଧ କରୁଥିବା ଗୋଷ୍ଠୀକୁ କଡ଼ା ସମାଲୋଚନା କରି ସମିତି ପକ୍ଷରୁ କୁହାଯାଇଛି ଯେ, ମହେନ୍ଦ୍ର ମେଳା ଆମ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। କୌଣସି ପରିସ୍ଥିତିରେ ବି ଏହି ମେଳାକୁ ଅଟକାଇବା ସମ୍ଭବ ନୁହେଁ। ଏଥିରେ ବିଶ୍ୱହିନ୍ଦୁ ପରିଷଦ, ଶବର ସମାଜ, ବନବାସୀ କଲ୍ୟାଣ ଆଶ୍ରମ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS), ମହେନ୍ଦ୍ର ଉନ୍ନୟନ ସମିତି ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ l
ଏହି ପ୍ରତିବାଦ ମେଳିରେ ବରିଷ୍ଠ ଆଦିବାସୀ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ବାବା ଅଖଣ୍ଡାନନ୍ଦ ମହାରାଜ, ଇଡିସି ସଭାପତି ସନ୍ୟା ଧାଙ୍ଗଡାଭୂୟାଁ ଓ ଚନ୍ଦ୍ର ନାୟକଙ୍କ ଭଳି ବହୁ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ମହେନ୍ଦ୍ର ମେଳାକୁ ବନ୍ଦ କରିବା ପାଇଁ ହେଉଥିବା ପ୍ରୟାସକୁ କୌଣସି ଶକ୍ତି ସଫଳ କରାଇଦେବେ ନାହିଁ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଜଗା ଶବରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଭାସ୍କର ଭୂୟାଁ, ପୂର୍ବତନ ସରପଞ୍ଚ ଗଙ୍ଗା ଭୂୟାଁ ଓ କୈଳାଶ ବଡମୁଣ୍ଡି ପ୍ରମୁଖ ସାମିଲ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି ।
ମହେନ୍ଦ୍ରଗିରିକୁ ନେଇ ସୃଷ୍ଟି ହୋଇଥିବା ଏହି ବିବାଦ ଏବେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି କରିଛି । ଗୋଟିଏ ପଟେ ପରମ୍ପରାର ଦ୍ୱାହି ଦିଆଯାଉଥିବାବେଳେ ଅନ୍ୟପଟେ ସଂସ୍କୃତି ସୁରକ୍ଷା ନାଁରେ ବିରୋଧ କରାଯାଉଛି । ଏଭଳି ସ୍ଥିତିରେ ପ୍ରଶାସନ କି ପଦକ୍ଷେପ ନେଉଛି ଏବଂ ଆଗାମୀ ଦିନରେ ମହେନ୍ଦ୍ର ମେଳା କିଭଳି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେଉଛି ତାହା ଦେଖିବାକୁ ବାକି ରହିଲା ।