ନୂଆଦିଲ୍ଲୀ : ସାଧାରଣତଃ ଅଧିକାଂଶ ଲୋକ ଭାବନ୍ତି ଯେ, ସକାଳେ ଚାଲିବା (ମର୍ଣ୍ଣି ୱାକ୍) ଶରୀର ପାଇଁ ସବୁଠାରୁ ଅଧିକ ଫଳପ୍ରଦ। କିନ୍ତୁ ରାତି ଖାଇବା ପରେ ଚାଲିବା ମଧ୍ୟ ସେତିକି ଜରୁରୀ। ସକାଳେ ଚାଲିବା ଦ୍ୱାରା ଶରୀର ଶକ୍ତିଫୁର୍ତ୍ତି ଲାଗେ ଏବଂ ଓଜନ କମି ଥାଏ ; କିନ୍ତୁ ଯଦି ଆପଣ ରାତ୍ରି ଭୋଜନ ବା ଡିନର ପରେ ଦୈନିକ ମାତ୍ର ୧୫ ମିନିଟ୍ ଚାଲନ୍ତି, ତେବେ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ। ଏହି କଥା ଆମେ ନୁହେଁ, ପ୍ରସିଦ୍ଧ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ୍ ଡାକ୍ତର ସୌରଭ ସେଠୀ କହିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଜଣାଇଛନ୍ତି ଯେ, ସେ ନିଜେ ପ୍ରତିଦିନ ଡିନର ପରେ ଅଧ ଘଣ୍ଟା ଚାଲି ଥାନ୍ତି। ଏହା ଦ୍ୱାରା ତାଙ୍କ ଗଟ୍ ହେଲଥ୍(Guts Health) ସୁସ୍ଥ ରହେ ଏବଂ ଡାଇଜେସନ ସମସ୍ୟା ଆଉ ହୁଏ ନାହିଁ। ଆସନ୍ତୁ ଜାଣିବା ରାତିରେ ଚାଲିବା ପଛରେ ଡାକ୍ତର କେଉଁ ସବୁ ଫାଇଦା ବିଷୟରେ କହିଛନ୍ତି -
ଚାଲିବା କାହିଁକି ଜରୁରୀ ?
ଡାକ୍ତର ସେଠୀଙ୍କ କହିବାନୁସାରେ , ଯଦି ଆପଣ ରାତିରେ ଖାଇ ସାରି ସିଧା ଶୋଇ ପଡ଼ନ୍ତି କିମ୍ବା ବିଛଣାରେ ବସି ରହନ୍ତି, ତେବେ ଖାଦ୍ୟ ହଜମ ହେବାରେ ସମସ୍ୟା ଦେଖା ଦିଏ। ଆପଣଙ୍କ ପାଚନ ପ୍ରକ୍ରିୟା ବିଗିଡ଼ି ଯାଏ ଏବଂ ଗ୍ୟାସ୍, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଲାଗି ରହେ। ଶୋଇବାର ପ୍ରାୟ ୨ ରୁ ୩ ଘଣ୍ଟା ପୂର୍ବରୁ ରାତି ଭୋଜନ କରି ନେବା ଉଚିତ୍ ଏବଂ ଖାଇବାର ୧୦ ମିନିଟ୍ ପରେ ଚାଲିବାର ଅଭ୍ୟାସ ନିଶ୍ଚୟ କରିବା ଦରକାର।
ରାତି ଭୋଜନ ପରେ ଚାଲିବାର ୩ଟି ବଡ଼ ଫାଇଦା:
୧- ଏସିଡିଟି ଏବଂ ଗ୍ୟାସ୍ ସମସ୍ୟାରୁ ମୁକ୍ତି :
ଖାଇବା ପରେ ସଙ୍ଗେ ସଙ୍ଗେ ନ ଶୋଇ ୧୦-୧୫ ମିନିଟ୍ ଧୀରେ ଧୀରେ ଚାଲିବା ଦ୍ୱାରା ଏସିଡ୍ ରିଫ୍ଲକ୍ସ (Acid Reflux) ଏବଂ ଛାତି ପୋଡ଼ାଜଳା ସମସ୍ୟା କମ୍ ହୋଇ ଥାଏ। ଏହା ସହ ଖାଦ୍ୟ ଶୀଘ୍ର ହଜମ ହେବା ପ୍ରକ୍ରିୟା ଆରମ୍ଭ ହୋଇଯାଏ। ଯଦି ଆପଣ ଖାଇ ସାରି ସିଧା ଶୋଇ ପଡ଼ିବେ, ତେବେ ଖାଦ୍ୟ ହଜମ ହୋଇ ପାରିବ ନାହିଁ ଏବଂ ଗ୍ୟାସ୍ ସୃଷ୍ଟି ହେବ।
୨-ବ୍ଲଡ୍ ସୁଗାର୍ ରହିବ ନିୟନ୍ତ୍ରଣରେ :
ରାତି ଭୋଜନ ପରେ ବ୍ଲଡ୍ ସୁଗାର୍ ସ୍ତର ଶୀଘ୍ର ବଢ଼ି ଥାଏ। ଏପରି ସ୍ଥିତିରେ ଯଦି ଆପଣ ମାତ୍ର ୧୦ ମିନିଟ୍ ମଧ୍ୟ ଚାଲି ନେବେ, ତେବେ ସୁଗାର୍ ନିୟନ୍ତ୍ରଣରେ ରହିବ। ଚାଲିବା ଦ୍ୱାରା ମାଂସପେଶୀ ଗୁଡ଼ିକ ଗ୍ଲୁକୋଜର ସଠିକ୍ ବ୍ୟବହାର କରି ପାରନ୍ତି, ଯାହା ଫଳରେ ଖାଦ୍ୟ ପରେ ହଠାତ୍ ବଢ଼ୁ ଥିବା ବ୍ଲଡ୍ ସୁଗାର୍ କମି ଯାଏ। ଏହା ବିଶେଷ କରି ପ୍ରି-ଡାଇବେଟିସ୍ ଏବଂ ଡାଇବେଟିସ୍ ବିପଦରେ ଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ।
୩-ପାଚନ ତନ୍ତ୍ର ରହିବ ସୁସ୍ଥ :
ଡାକ୍ତରଙ୍କ କହିବା ଅନୁସାରେ, ଲୋକମାନେ ଡିଟୋକ୍ସ ଡ୍ରିଙ୍କ (Detox Drink) ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଦିଅନ୍ତି; କିନ୍ତୁ ଯଦି ଆପଣ ମାତ୍ର ୧୦-୧୫ ମିନିଟ୍ ଚାଲିବେ, ତେବେ କୌଣସି ଡ୍ରିଙ୍କର ଆବଶ୍ୟକତା ପଡ଼ିବ ନାହିଁ। ଆପଣ ଧୀରେ କିମ୍ବା ସାଧାରଣ ବେଗରେ ଚାଲି ପାରିବେ, ଏହା ଦ୍ୱାରା ଆପଣଙ୍କ ପାଚନ କ୍ରିୟା ସଦାସର୍ବଦା ଭଲ ରହିବ। ରାତି ଭୋଜନ ପରେ ଦୌଡ଼ିବା କିମ୍ବା ଅଧିକ ବ୍ୟାୟାମ କରିବା ପରିବର୍ତ୍ତେ ୧୦-୧୫ ମିନିଟ୍ ହାଲୁକା ଭାବେ ଚାଲିବା ସବୁଠାରୁ ଉତ୍ତମ ମନେକରାଯାଏ।
ଆହୁରି ମଧ୍ୟ ପଢନ୍ତୁ - ଲଞ୍ଚ ପରେ ବି ଆକ୍ଟିଭ୍ ରହିବାକୁ ଚାହୁଁଛନ୍ତି କି? ଆପଣଙ୍କ ଖାଦ୍ୟରେ ଏହି ସବୁ ଜିନିଷକୁ କରନ୍ତୁ ସାମିଲ