ବ୍ରହ୍ମପୁର, ୨୨/୦୭ : ଜାତୀୟ ଶିକ୍ଷା ନୀତି (ଏନ୍ଇପି) ଅଧୀନରେ ବଡ଼ ପଦକ୍ଷେପ । ଏନ୍ଇପି- ୨୦୨୦ ଅନୁସାରେ, ବିଦ୍ୟାର୍ଥୀଙ୍କୁ କେବଳ ଡିଗ୍ରୀ ଦେବା ବଦଳରେ ଦକ୍ଷ ଓ କର୍ମନିପୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ବିଏ, ବିଏସ୍ସି, ବିକମ୍, ବିବିଏ, ବିଭୋକ୍ ପାଠ୍ୟକ୍ରମରେ ଆପ୍ରେଣ୍ଟିସିପ୍କୁ ସାମିଲ କରାଯାଉଛି । ଗଞ୍ଜାମ ଜିଲ୍ଲାର ୬୬ ଡିଗ୍ରୀ କଲେଜ ମଧ୍ୟରୁ ନିର୍ଦ୍ଦିଷ୍ଟ କେତେକ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ଚଳିତ ବର୍ଷଠୁ ‘ଆପ୍ରେଣ୍ଟିସିପ୍ ଯୁକ୍ତ ପାଠ୍ୟକ୍ରମ(ଏଇଡିପି) ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହୋଇଛି । ସାଧାରଣ ପାଠ୍ୟକ୍ରମ ଅପେକ୍ଷା ଏଇଡିପି ପାଠ୍ୟକ୍ରମର କଟ୍ଅଫ୍ ମାର୍କ ଅଧିକ ରହିଥିବା ଦ୍ୱିତୀୟ ମେଧା ତାଲିକାରେ ଜଣାପଡ଼ିଛି । ଜିଲ୍ଲାର ୬୬ ଡିଗ୍ରୀ କଲେଜ । ସେଥିମଧ୍ୟରୁ ଶଶିଭୂଷଣ ରଥ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ, ମହାମାୟୀ ମହିଳା ମହାବିଦ୍ୟାଳୟ, ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ, ଚିକିଟି ଡିଗ୍ରୀ କଲେଜ, ଗୋପାଳପୁର ଡିଗ୍ରୀ କଲେଜ, କବିସୂର୍ଯ୍ୟନଗର ସ୍ଥିତ କବିସୂର୍ଯ୍ୟ ବଳଦେବ ରଥ ଡିଗ୍ରୀ କଲେଜ ସହ ଆଉ କେତୋଟି କଲେଜରେ ୨୦୨୬-୨୭ ଶିକ୍ଷା ବର୍ଷରୁ ଆପ୍ରେଣ୍ଟିସିପ୍ ଯୁକ୍ତ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହୋଇଛି ।

ଉପରୋକ୍ତ କଲେଜଗୁଡ଼ିକୁ ସରକାର ସର୍ବାଧିକ ୯ଟି ଓ ସର୍ବନିମ୍ନ ଗୋଟିଏ ଆପ୍ରେଣ୍ଟିସିପ୍ ଯୁକ୍ତ ପାଠ୍ୟକ୍ରମ ପ୍ରଦାନ କରିଛନ୍ତି । ଯେଉଁଥିରେ କଳା ବିଭାଗରେ ଇକୋନୋମିକ୍ସ ଆଣ୍ଡ ଡାଟା ଆନାଲିସିସ୍, ଇଂରାଜୀ ଟ୍ରାନ୍ସଲେସନ୍ ଆଣ୍ଡ ଡିଜିଟାଲ୍ ହ୍ୟୁମାନିଟିଜ୍, ଫୁଡ୍ ସାଇନ୍ସ ଆଣ୍ଡ ହସ୍ପିଟାଲିଟି ଅପରେସନ୍, ହିଷ୍ଟ୍ରି ୱିଥ୍ ଟୁରିଜିମ୍ ଆଣ୍ଡ ହସ୍ପିଟାଲିଟି ଅପରେସନ୍ ଆଦି ନୂଆ ପାଠ୍ୟକ୍ରମ ଯୋଡ଼ି ହୋଇଛି । ସେହିଭଳି ବିଜ୍ଞାନ ବିଭାଗରେ ବଟାନି ୱିଥ୍ ଟିସୁ କଲଚର୍ ଆଣ୍ଡ ଭର୍ଟିକାଲ୍ ଗାର୍ଡେନିଂ, ଜୁଲୋଜି ଆଣ୍ଡ ଇଣ୍ଟିଗ୍ରେଟିଭ୍ ଭାୟୋସାଇନ୍ସ, କେମିଷ୍ଟ୍ରି ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ କେମିଷ୍ଟ୍ରି, ମ୍ୟାଥ୍ମେଟିକ୍ସ ଆଣ୍ଡ କମ୍ପ୍ୟୁଟିଂ ଏବଂ ବାଣିଜ୍ୟ ବିଭାଗରେ ଏଚ୍ଆର୍ ଅପରେସନ୍ ଆଣ୍ଡ କମର୍ସ ଭଳି ନୂଆ ଆପ୍ରେଣ୍ଟିସିପ୍ ଯୁକ୍ତ ପାଠ୍ୟକ୍ରମ ସାମିଲ ହୋଇଛି ।

ପ୍ରତ୍ୟେକ ପାଠ୍ୟକ୍ରମ ପାଇଁ ୧୬ଟି ଲେଖାଏଁ ସିଟ୍ ଅବାଣ୍ଟନ କରିଛନ୍ତି ରାଜ୍ୟ ସରକାର । ଆପ୍ରେଣ୍ଟିସିପ୍ ଯୁକ୍ତ ପାଠ୍ୟକ୍ରମ ପ୍ରଚଳନ ଦ୍ୱାରା ଶିକ୍ଷା ସମ୍ପୂର୍ଣ୍ଣ କରିବା ପରେ ଚାକିରି ପାଇଁ ଆଉ ସଂଘର୍ଷ କରିବାକୁ ପଡ଼ିବ ନାହିଁ । ବହିପଢ଼ା ଜ୍ଞାନରେ ସୀମିତ ନରହି ଛାତ୍ରଛାତ୍ରୀ ଏବେ ସିଧାସଳଖ କାର୍ଯ୍ୟକ୍ଷେତ୍ରରୁ ବାସ୍ତବ ଅଭିଜ୍ଞତା ହାସଲ କରିପାରିବେ । ଏହି ନୂତନ ବ୍ୟବସ୍ଥା ଅଧୀନରେ ଛାତ୍ରଛାତ୍ରୀ କଲେଜରେ ଦୁଇ ବର୍ଷ ଥିଓରୀ ପଢ଼ିବା ସାଙ୍ଗକୁ ବର୍ଷେ କାଳ ବିଭିନ୍ନ ପ୍ରସିଦ୍ଧ ଶିଳ୍ପାନୁଷ୍ଠାନ ଓ କମ୍ପାନୀରେ ପ୍ରଶିକ୍ଷଣ ପାଇପାରିବେ । ଏହି ପାଠ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି "ଉପାର୍ଜନ ସହ ଶିକ୍ଷା' । ପ୍ରଶିକ୍ଷଣ ଅବଧି ମଧ୍ୟରେ କମ୍ପାନୀଗୁଡ଼ିକ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ମାସିକ ଭତ୍ତା ପ୍ରଦାନ କରାଯିବା ପ୍ରାବଧାନ ରହିଛି । ଯାହା ସେମାନଙ୍କୁ ପାଠପଢ଼ା ସମୟରେ ହିଁ ଆର୍ଥିକ ସ୍ୱାବଲମ୍ବୀ କରିପାରିବ ବୋଲି ଶିକ୍ଷାବିତ୍ ତଥା ଏସ୍ବିଆର୍ କଲେଜ ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ଶତପଥୀ କହିଛନ୍ତି । ବିଭିନ୍ନ ଉଦ୍ଦୀୟମାନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଏବଂ ଶିଳ୍ପ ଆବଶ୍ୟକତାକୁ ଆଖିଆଗରେ ରଖି ଏହି ପାଠ୍ୟକ୍ରମଗୁଡ଼ିକ ପ୍ରସ୍ତୁତ କରାଯାଇଛି । ଆଗକୁ ଖୁଚୁରା ବ୍ୟବସାୟ, ଲଜିଷ୍ଟିକ୍ସ ଓ ସପ୍ଲାଇ ଚେନ୍, ତଥ୍ୟ ପ୍ରଯୁକ୍ତିବିଦ୍ୟା, ବ୍ୟାଙ୍କିଙ୍ଗ୍ ଓ ଆର୍ଥିକ ସେବା ଭଳି ଆପ୍ରେଣ୍ଟିସିପ୍ ଯୁକ୍ତ ପାଠ୍ୟକ୍ରମ ପ୍ରଚଳନ ହେବା ସୂଚନା ମିଳିଛି।

ଆହୁରି ପଢନ୍ତୁ- ଅଧିକ ପଢ଼ନ୍ତୁ- Vigilance raid : ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍, ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ