ଲାଞ୍ଚୁଆ କିରାଣୀଙ୍କୁ ୩ବର୍ଷ ଜେଲ

ବାଙ୍ଗିରିପୋଷି, ୩୧/୩:ମୟୂରଭଞ୍ଜ ଜିଲ୍ଲା ସତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ଏକ ଲାଞ୍ଚ ମାମଲାର ରାୟ ଶୁଣାଣି କରି ଅଭିଯୁକ୍ତ କିରାଣୀଙ୍କୁ ଦଣ୍ଡ ବିଧାନ କରିଛନ୍ତି । ସ୍ବତନ୍ତ୍ର ବିଚାରପତି ଡ଼ ପ୍ରସନ୍ନ କୁମାର ପଣ୍ଡା ଅଭିଯୁକ୍ତକୁ ୩ବର୍ଷର କାରାଦଣ୍ଡ ଆଦେଶ ସହିତ ୧୫ ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୫ମାସ କାରାଦଣ୍ଡ ଭୋଗିବାକୁ ରାୟରେ ଦର୍ଶାଇଛନ୍ତି । ଅଭିଯୁକ୍ତ ଜଣଙ୍କ ହେଲେ ବାଙ୍ଗିରିପୋଷି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ତତ୍କାଳୀନ କିରାଣୀ(ଆକାଉଣ୍ଟାଣ୍ଟ) ମନୋରଞ୍ଜନ ବେହେରା । ବାଙ୍ଗିରିପୋଷି ବ୍ଲକ ଅଧୀନ ହିଜିଳି ୟୁପି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ବିଶାଣ ମୁର୍ମୁଙ୍କ ଅଫିସ କାଗଜପତ୍ର କରିବା ପାଇଁ ଅଭିଯୁକ୍ତ ଶ୍ରୀ ବେହେରା କୁଆଡେ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶ୍ରୀ ମୁର୍ମୁ ଏଥିରେ ଅନିଚ୍ଛା ପ୍ରକାଶ କରି ଶେଷରେ ୧୫ହଜାର ଟଙ୍କାରେ ରାଜି କରାଇଥିଲେ । ଏନେଇ ଲକ୍ଷ୍ମଣ ବାରିପଦା ଭିଜିଲାନ୍ସ ବିଭାଗରେ ଅଭିଯୋଗ ଜଣାଇଥିଲେ । ଅଭିଯୋଗ ମୁତାବକ ଏକ ମାମଲା ରୁଜୁ ପରେ ୪/୧/୨୦୧୯ ରେ ପୂର୍ବ ଯୋଜନା ମୁତାବକ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶ୍ରୀ ବେହେରାଙ୍କୁ ଭିଜିଲାନ୍ସ ବିଭାଗ ତାଙ୍କ କାର୍ଯ୍ୟାଳୟରୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ । ମାମଲାକୁ ସରକାରୀ ଆଇନଜୀବୀ ଶାନ୍ତନୁ ଦାସ ପରିଚାଳନା କରୁଥିଲେ।