ଗୋଷାଣୀନୂଆଗାଁ, ୨୮।୯ ଗୋଷାଣୀନୂଆଗାଁ ପୋଲିସ ଏକ ଲଜରେ ଚଢାଉ କରି ୩୦.୫୪ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୋରଡାର ନରେନ୍ଦ୍ର ନାୟକ, ମାଣତ୍ରୀ ନାୟକ, ହିମାଂଶୁ ନାୟକ ଏବଂ ପପୁ ନାୟକ।
ଦୁର୍ଗା ପୂଜା ପାଇଁ ଗୋଷାଣୀନୂଆଗାଁ ପୋଲିସ ସହରରେ ସନ୍ଧ୍ୟା ସମୟରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ଲଜର ଗୋଟିଏ ରୁମରେ ୪ ଜଣ ଗଞ୍ଜେଇ କାରବାର କରୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ସେମାନେ ଖୁବ୍ ଶୀଘ୍ର ଗେଷ୍ଟ ହାଉସରୁ ଗଞ୍ଜେଇ ନେଇ ଖସିଯିବାର ସମ୍ଭାବନା ଥିବାରୁ ତୁରନ୍ତ ଲଜର ୧୦୩ ନମ୍ବର କୋଠରୀରେ ଚଢାଉ କରିଥିଲା ପୁଲିସ।ସେଠାରୁ ୩୦.୫୪ କେଜି ଗଞ୍ଜେଇ ପୋଲିସ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି।