ବୌଦ୍ଧ,୧୮/୧୧: ଇଣ୍ଡିଗୋ କାର୍‌ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ବୌଦ୍ଧ ଅବକାରୀ ବିଭାଗ । ଜବତ ହେଲା ୩୧ କେଜି ଗଞ୍ଜେଇ ସହିତ କାର୍‌ । ଏହି ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଉକ୍ତ ଗଞ୍ଜେଇ ବୌଦ୍ଧରୁ ଜଗତସିଂହପୁର ଚାଲାଣ ହେଉଥିବା ସୂଚନା ମିଳିଛି । ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବୌଦ୍ଧ ଅଞ୍ଚଳରୁ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବୌଦ୍ଧ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ଖବର ପାଇ ବ୍ରିଜ ଛକ ନିକଟରେ ଜଗି ବସିଥିଲା । କାର୍‌ଟି ସେହି ରାସ୍ତା ଦେଇ ଯିବା ବେଳେ ଅବାକାରୀ ବିଭାଗର ଏକ ଟିମ୍‌ ଚଢାଉ କରିଥିଲା । ଏହି ଚଢାଉରେ ଉକ୍ତ କାର୍‌ରୁ ୩୧ କେଜି ଗଞ୍ଜେଇ ଜବତ ହୋଇଥିଲା ।  ଏହା ସହ କାର୍‌ଟିକୁ ଜବତ କରି ୪ ଜଣ ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ବୌଦ୍ଧରୁ ଜଗତସିଂହପୁରକୁ ଏହି ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଅବକାରୀ ବିଭାଗ ସୂଚନା ଦେଇଛି ।