ନୂଆଦିଲ୍ଲୀ, ୩୦/୦୪ : କୁହନ୍ତି ସତକୁ କେବେ ଲୁଚାଇ ହେବନି। ସତକୁ ଯେତେ ଚାପିଲେ ବି ଦିନେ ନା ଦିନେ ବାହାରକୁ ଆସିବ। ଗୁଜରାଟର ଅହମ୍ମଦାବାଦରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଦୀର୍ଘ ୩୪ ବର୍ଷ ପୂର୍ବେ ଘଟିଥିବା ଏକ ହତ୍ୟାକାଣ୍ଡର ଅହମ୍ମଦାବାଦ କ୍ରାଇମବ୍ରାଞ୍ଚ ଖୁଲାସା କରିଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ମୃତକଙ୍କ ଭୂତ ଏହି ହତ୍ୟା ରହସ୍ୟର ଖୁଲାସା କରିବାରେ ସାହାଯ୍ୟ କରିଛି। ମୃତ ମହିଳାଙ୍କ କିଛି କଙ୍କାଳ ଉଦ୍ଧାର କରାଯାଇଛି। ବୁଧବାର କୁତୁବନଗରରେ ଦଶନ୍ଧି ପୁରୁଣା ଏହି ହତ୍ୟାକାଣ୍ଡର ଫାଇଲ୍ ପୁଣି ଥରେ ରିଓପନ୍ ହୋଇଛି। ପୀଡ଼ିତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି।
ସୂଚନାନୁଯାୟୀ, ୧୯୯୨ ମସିହାରେ ଫରଜାନା ଓରଫ ଶବନମ ମୁମ୍ଵାଇରେ ରହୁଥିଲେ। ୩୪ ବର୍ଷ ପୂର୍ବେ ସେ ତାଙ୍କ ପ୍ରେମିକ ସମଶୁଦ୍ଦିନକୁ ଦେଖା କରିବାକୁ ଅହମ୍ମଦାବାଦ ଆସିଥିଲେ। ହେଲେ ସନ୍ଦିଗ୍ଧ ଅବସ୍ଥାରେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ପୁଲିସର ତଦନ୍ତ ଅନୁଯାୟୀ, ପ୍ରେମିକର ଘର ଲୋକେ ତାଙ୍କୁ ଗ୍ରହଣ କରିନଥିଲେ। ତାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲେ। ଯେଉଁଥିପାଇଁ ତିନି ଦଶନ୍ଧି ଯାଏଁ ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡ଼ି ନଥିଲା। ଫରଜାନା ନିଖୋଜ ଥିବା ତାଙ୍କ ସମ୍ପର୍କୀୟ ଭାବୁଥିଲେ।
ହେଲେ ଶମଶୁଦ୍ଦିନଙ୍କ ପରିଜନଙ୍କୁ ଫରଜାନାର ଭୂତ ଦେଖା ଦେଉଥିଲା। ଘରେ କେହି ପ୍ରେତ ଆତ୍ମା ଥିବା ଆଶଙ୍କା କରି ଜାଦୁ ଟୋନା କରିଥିଲେ। ଏହି ସମୟରେ ଘର ଲୋକ କୂଅରେ ଶବ ପୋତିଥିବା ମାନିଥିଲେ। ତେବେ ଶମଶୁଦ୍ଦିନର ମୃତ୍ୟୁ ହୋଇ ସାରିଛି। ତାର ଭାଇ ରିଜୱାନ ଏବଂ ଅଭିଯୁକ୍ତଙ୍କୁ ପୁଲିସ ହେପାଜତକୁ ନେଇ ତଦନ୍ତ କରୁଛି। ଫରଜାନାର ଅବଶେଷକୁ ଫରେନସିକ୍ ଲ୍ୟାବକୁ ପଠାଯାଇଛି। ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି।
ଏହି ଖବରଟିକୁ ପଢନ୍ତୁ- Exit poll; ବଙ୍ଗରେ ୨୦୨୧ ଏକଜିଟ୍ ପୋଲ ବିଜେପି ସପକ୍ଷରେ ଥିଲା, ଫଳାଫଳ ଓଲଟା ହେଲା...କେତେ ସଠିକ୍ ଥିଲା ସର୍ଭେ ?