ଭଟଲି, ୨୧।୩ (ନରସିଂହ ଚରଣ ସାହୁ): ବରଗଡ଼ ଜିଲ୍ଲା ଭଟଲି ବନାଞ୍ଚଳରେ ପ୍ରାୟ ୩ ହଜାରରୁ ୩ ହଜାର ୫ ଶହ ହେକ୍ଟର ସଂରକ୍ଷିତ ଜଙ୍ଗଲ ରହିଛି । ମାତ୍ର ଜନସଚେତନତା ଓ ମନୀକରଣ ଯୋଗୁଁ ଏହାର ପରିସୀମା ବଢ଼ିବାରେ ଲାଗିଛି । ବିଗତ ୪-୫ ବର୍ଷ ମଧ୍ୟରେ ବିପୁଳ ପରିମାଣରେ ବୃକ୍ଷରୋପଣ ହେବା ଯୋଗୁଁ ଜଙ୍ଗଲର ଘନତା ତଥା ପରିସୀମା ବଢ଼ିବାରେ ଲାଗିଛି । ଫରେଷ୍ଟର ରାଜେନ୍ଦ୍ର ସିଂଙ୍କ ସୂଚନା ମତେ ଭଟଲି ପାଖାପାଖି ଅଞ୍ଚଳରେ ତିନୋଟି ସହରାଞ୍ଚଳରେ ବନୀକରଣ କରାଯାଇଛି । ବନୀକରଣ ଯୋଗୁଁ ସୃଷ୍ଟି କୃତ୍ରିମ ଜଙ୍ଗଲ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀଙ୍କୁ ଆକର୍ଷିତ କରୁଛି । ଛୋଟଛୋଟ ବନ୍ୟପ୍ରାଣୀ ଏଠାରେ ଦେଖିବାକୁ ମିଳୁଥିବା ଲୋକେ କହନ୍ତି । ସେହିପରି ବନ ବିଭାଗର କେତେକ ସାଧୁ କର୍ମଚାରୀ ଓ ସଚେତନ ନାଗରିକଙ୍କ ଉଦ୍ୟମରୁ ବନୀକରଣ ସମ୍ଭବ ହୋଇପାରିଛି । ଏହା ଜାରି ରହିଲେ ପରିବେଶ ସନ୍ତୁଳନ ଠିକ ରହିବ । ବିଶେଷ ଭାବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ ଓ ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି ଗରୁରି ବୋଲି ପରିବେଶପ୍ରେମୀ ତଥା ପ୍ରକୃତି ବନ୍ଧୁ ଗୌଡ଼ଗାଁ ହାଇସ୍କୁଲ ଶିକ୍ଷକ ତେଜରୁ ବାରିକ, ନୂଆଗଡ ହାଇସ୍କୁଲ ଶିକ୍ଷକ ଆନନ୍ଦ ସାହୁ, ଗୋପାଳପୁର ସ୍କୁଲ ଶିକ୍ଷକ ଉଚ୍ଛବ ଭୂଏ ଆଦି ମତ ରଖିଛନ୍ତି ।

ଏହା ବି ପଢ଼ନ୍ତୁ... ଜାପାନୀ ଶୈଳୀରେ ଘଞ୍ଚ ଜଙ୍ଗଲ, ୨ ହେକ୍ଟର ଜମିରେ ସୃଷ୍ଟି ହେଲା ବିଶାଳ ବନାନୀ

ବନ ସଂରକ୍ଷଣର ଆଉ ଏକ ଦିଗ ହେଲା ଅଞ୍ଚଳରେ ଥିବା ବିଭିନ୍ନ ବନ ସଂରକ୍ଷଣ ସମିତିର ବଳିଷ୍ଠ ଉଦ୍ୟମ । ବେଲବାହାଲି ବନ ସଂରରକ୍ଷ ସମିତିକୁ ଉଦାହରଣ ଭାବେ ନିଆଯାଇପାରେ । ନିଜ ଜଙ୍ଗଲ ପରିସୀମାରେ କିମ୍ବା ପରିସୀମା ବାହାରେ ଜଙ୍ଗଲରେ ନିଆଁ ନିଆଁ ଲାଗିଲେ ଭିଏସଏସ ସଭ୍ୟସଭ୍ୟା ପ୍ରଥମେ ନିଜସ୍ୱ ଉଦ୍ୟମରେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥାନ୍ତି । ସ୍ଥିତି ଅଣାୟତ୍ତ ହେଲେ ବନ ବିଭାଗ ଓ ଅଗ୍ନିଶମ ବିଭାଗ ସହିତ ଯୋଗାଯୋଗ କରନ୍ତି ବୋଲି ଭିଏସଏସ ସଭାପତି ଖତୁ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି । ସେହିପରି ବେଲବାହଲିର ପରିବେଶପ୍ରେମୀ ଉଚ୍ଛବ ଭୂଏ, ଚୁଡ଼ାମଣି ବିଶ୍ୱାଳ ସଭ୍ୟସଭ୍ୟାଙ୍କୁ ନେଇ ଆଗାମୀ ଦିନରେ ବିପୁଳ ପରିମାଣରେ ବୃକ୍ଷରୋପଣ କରିବାକୁ ମତ ରଖିଛନ୍ତି । ଜଙ୍ଗଲ ମଧ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନିଆଯାଇଥିବା ଯୋଗୁଁ ନିକଟବର୍ତ୍ତୀ ଗାଁ ଗୁଡିକରେ ଲୋକ ଉପକୃତ ହୋଇପାରୁଛନ୍ତି ।