ଭୁବନେଶ୍ୱର,୦୫/୧୧: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ବଜେଟ୍ର ମୋଟ ୩୮ ପ୍ରତିଶତ ଖର୍ଚ୍ଚ ହୋଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷର ଏହି ସମୟ ମଧ୍ୟର ଖର୍ଚ୍ଚ ପରିମାଣରେ ୧୩ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ମୋଟ ରାଜସ୍ୱ ଆଦାୟ କ୍ଷେତ୍ରରେ ୨୦୨୪ ଅକ୍ଟୋବର ତୁଳନାରେ ଏ ବର୍ଷ ୭.୨ ପ୍ରତିଶତ ବୃଦ୍ଧି ପାଇଛି । ନିଜସ୍ୱ କର ଆଦାୟ, ନିଜସ୍ୱ ଅଣ କର ରାଜସ୍ୱ ଆଦାୟ, କେନ୍ଦ୍ରୀୟ କର ବାବଦକୁ ରାଜ୍ୟର ଅଂଶଧନ ଓ କେନ୍ଦ୍ରୀୟ ଅନୁଦାନକୁ ମିଶାଇ ମୋଟ ରାଜସ୍ୱ ୪୭.୬ ଧ ସଫଳତା ହାସଲ କରିଛି । ନଭେମ୍ୱରରୁ ୨୦୨୬ ମାର୍ଚ୍ଚ ସୁଦ୍ଧା ଅଧିକ ରାଜସ୍ୱ ଆଦାୟ ଲକ୍ଷ୍ୟ ରହିଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକରେ ଅର୍ଥ ବିଭାଗ ତରଫରୁ ୨୦୨୫-୨୬ ଆର୍ଥିକ ବର୍ଷର ବିତ୍ତୀୟ ପ୍ରଦର୍ଶନ ସମ୍ପର୍କରେ ଆଲୋଚନା ବେଳେ ଏହି ସୂଚନା ଦିଆଯାଇଛି ।
ମଙ୍ଗଳବାର ଲୋକସଭା ଭବନରେ ସଚିବସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ, କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକ ପାଇଁ କେନ୍ଦ୍ରର ଅଂଶଧନ ବାବଦକୁ ରାଜ୍ୟକୁ ସର୍ବାଧିକ ଆର୍ଥିକ ରାଶି ମିଳିବା ନେଇ ସମ୍ପୃକ୍ତ ମନ୍ତ୍ରଣାଳୟମାନଙ୍କୁ ନିୟମିତ ଯୋଗାଯୋଗ କରାଯାଉ । ବଜେଟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ଜଳ ସମ୍ପଦ, ପୂର୍ତ୍ତ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ୧୦ଟି ବିଭାଗ ସମେତ ଅନ୍ୟ ସମସ୍ତ ବିଭାଗର ୨୦୨୪-୨୫ ବର୍ଷ ଏବଂ ୨୦୨୫- ୨୬ ବର୍ଷରେ ଅକ୍ଟୋବର ମାସ ସୁଦ୍ଧା ଖର୍ଚ୍ଚ ପ୍ରତିଶତ ତୁଳନାତ୍ମକ ସମୀକ୍ଷା କରାଯାଇଥିଲା ।
ଅଧିକାଂଶ ବିଭାଗ ଗତବର୍ଷ ତୁଳନାରେ ଏ ବର୍ଷ ଭଲ ପ୍ରଦର୍ଶନ କରିଥିବା ବୈଠକରେ ସୂଚନା ଦିଆଯାଇଥିଲା । ସେହିପରି ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚମ ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ ନେଇ ଆଲୋଚନା ହୋଇଥିଲା । “ବିକଶିତ ଓଡ଼ିଶା ୨୦୩୬’ ଭିଜନ ଡକ୍ୟୁମେଣ୍ଟରେ ଥିବା ବିଷୟ ଆଧାରରେ ବିଭିନ୍ନ ବିଭାଗ ତରଫରୁ ପ୍ରମୁଖ ପ୍ରକଳ୍ପ ପ୍ରଦର୍ଶନ ସୂଚକାଙ୍କ(କେପିଆଇ) ଚୂଡ଼ାନ୍ତ ନିମନ୍ତେ ଚିଠା ପ୍ରକଳ୍ପ ଉପସ୍ଥାପନ କରାଯାଇଥିଲା । ଉନ୍ନୟନ କମିଶନର ଅନୁ ଗର୍ଗ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ଭିଜନ ଡକ୍ୟୁମେଣ୍ଟରେ ରହିଥିବା ଲକ୍ଷ୍ୟ ଓ କାର୍ଯ୍ୟସୂଚୀକୁ ଭଲଭାବେ ଅନୁଧ୍ୟାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଦେଓରଂଜନ କୁମାର ସିଂ, ସୁରେନ୍ଦ୍ର କୁମାର, ହେମନ୍ତ ଶର୍ମାଙ୍କ ସହିତ ଅନ୍ୟ ସମସ୍ତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ