ଭାରତ ଏ’-ଇଂଲଣ୍ଡ ଲାୟନ୍ସ ତୃତୀୟ ଦିନିକିଆ, ୬୦ ରନ୍ରେ ଜିତିଲା ଭାରତ

ଥିରୁଭନନ୍ତପୁରମ, ୨୭ ।୧ (ଏଜେନ୍ସି): ଘରୋଇ ଭାରତ ଏ’ ଓ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଭାରତ ଏ’ ୬୦ ରନ୍ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଏ’ ୪୭.୧ ଓଭରରେ ମାତ୍ର ୧୭୨ ରନ୍ ସଂଗ୍ରହ କରିଥିଲା । ଜବାବରେ ଭ୍ରମଣକାରୀ ଦଳ ୩୦.୫ ଓଭର ବ୍ୟାଟିଂ କରି ୧୧୨ ରନ୍ରେ ସୀମିତ ରହିଥିଲା ।
ଟିଭି ଶୋ’ରେ ବିବାଦୀୟ ମନ୍ତବ୍ୟ ଦେଇ ବୋର୍ଡ ଦ୍ୱାରା ବାସନ୍ଦ ହୋଇଥିଲେ ଲୋକେଶ ରାହୁଲ । ଦୁଇ ସପ୍ତାହ ପରେ ତାଙ୍କ ଉପରୁ ବାସନ୍ଦାଦେଶ ପ୍ରତ୍ୟାହୃତ କରାଯାଇଥିଲା । ଏହାପରେ ସେ ଆଜି ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଖେଳିବାର ସୁଯୋଗ ପାଇଥିଲେ । ଭାରତ ଏ’ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଲୋକେଶ ରାହୁଲ ଇନିଂସ ଓପନ କରିଥିଲେ । ଉଭୟ ଓପନର ବିଫଳ ହୋଇଥିଲେ । ରାହାଣେ ଖାତା ଖୋଲି ପାରି ନଥିବାବେଳେ ରାହୁଲ ମାତ୍ର ୧୩ ରନ୍ କରି ଆଉଟ୍ ହୋଇଥିଲେ ।
ମଧ୍ୟଭାଗରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ସେଭଳି ଖାସ ପ୍ରଦର୍ଶନ କରି ପାରି ନଥିଲେ । ହନୁମା ବିହାରୀ ୧୬, ଶ୍ରେୟାସ ଆୟାର ୧୩, ଇଶାନ କିଷନ ୩୦, କୃନାଲ ପାଣ୍ଡ୍ୟା ୨୧ ଓ ଦୀପକ ଚହର ୩୯ ରନ୍ କରିଥିଲେ । ଫଳରେ ଦଳ ୧୭୨ ରନ୍ରେ ପହଞ୍ଚି ପାରିଥିଲା । ଜାମି ଓଭରଟନ ସର୍ବାଧିକ ୩ଟି ୱିକେଟ୍ ହାସଲ କରିଥିଲେ ।
ଜବାବରେ ଇଂଲଣ୍ଡ ଲାୟନ୍ସ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୧୨ ରନ୍ କରି ପାରିଥିଲା । ଦଳ ପକ୍ଷରୁ ବେନ ଡକେଟ୍ ସର୍ବାଧିକ ୩୯ ରନ୍ କରିଥିଲେ । କୃନାଲ ଘାତକ ବୋଲିଂ କରି ସର୍ବାଧିକ ୪ଟି ୱିକେଟ୍ ହାସଲ କରିଥିଲେ । ତେଣୁ ତାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା । ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ପ୍ରଥମ ୩ଟିରେ ବିଜୟୀ ହୋଇ ୩-୦ରେ ଅଗ୍ରଣୀ ହାସଲ କରିବା ସହ ସିରିଜ୍ କବ୍ଜା କରି ନେଇଛି ।