ଅନ୍ତିମ ଦିନିକିଆ: ସିରିଜ ବରାବର ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଏମିତି ହୋଇପାରେ ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍

କ୍ରୀଷ୍ଟଚର୍ଚ୍ଚ ୨୯/ ୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରୀଷ୍ଟଚର୍ଚ୍ଚରେ ବୁଧବାର ଖେଳାଯିବ । ଭାରତୀୟ ସମୟ ଅନୁଯାୟୀ ସକାଳ ୭ଟା ରେ ମ୍ୟାଚ୍ ଆରମ୍ଭ ହେବ । ଘରୋଇ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ଥିବା ବେଳେ ଅନ୍ତିମ ଦିନିକିଆ ଜିତି ସିରିଜ୍ ମୂଳପୋଛ କରିବା ଲକ୍ଷ୍ୟରେ ରହିଛି । ସେହିଭଳି ଦ୍ବିତୀୟ ମ୍ୟାଚ୍ ବର୍ଷା ପାଇଁ ଅଧାରୁ ବାତିଲ ହୋଇଯିବା ପରେ ତୃତୀୟ ଦିନିକିଆ ଜିତି ସିରିଜ ୧-୧ରେ ବରାବର୍ କରିବାକୁ ଚାହିଁବ ଶିଖର ଧାଓ୍ବନଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ।
ଦ୍ବିତୀୟ ଦିନିକିଆ ବର୍ଷାରେ ଧୋଇଯିବା ପରେ ୩ୟ ଦିନିକିଆ କ୍ରିକେଟ ପ୍ରେମୀଙ୍କୁ ଆଶ୍ବସ୍ତ କରିଛି । କାରଣ ବର୍ଷା ହେବାର ସମ୍ଭାବନା କମ । ନ୍ୟୁଜିଲାଣ୍ଡର କ୍ରୀଷ୍ଟଚର୍ଚ୍ଚରେ ଅପରାହ୍ନ ୨ଟାରୁ ରାତି ୮ଟା ଯାଏଁ ବର୍ଷା ହେବାର ସମ୍ଭାବନା ନାହିଁ । ଯଦି ରାତି ୮ଟା ପରେ ବର୍ଷା ହୁଏ ତେବେ ଡିଏଲ୍ଏସ୍ ନିୟମ ଲାଗୁ ହେବ । ଦ୍ବିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଦଳ ପାଇଁ ଡିଏଲଏସ୍ ମେଥୋଡ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇପାରେ ।
ତୃତୀୟ ଦିନିକିଆରେ ଭାରତ ଚୂଡାନ୍ତ ଏକାଦଶରେ ଅଦଳବଦଳ କରିପାରେ । ପନ୍ତଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଖେଳାଯିବାର ସମ୍ଭାବନା ରହିଛି । କାରଣ ଦ୍ବିତୀୟ ଦିନିକିଆରେ ସାମସନଙ୍କୁ ସ୍ଥାନ ମିଳିନଥିଲା । ଯାହାକୁ ନେଇ କ୍ରିକେଟ୍ ପ୍ରଶଂସକ ମଧ୍ୟ କିଛି ବୁଝିପାରିନଥିଲେ ଯେ ସଞ୍ଜୁ ସାମସନଙ୍କୁ କାହିଁକି ବାଦ୍ ଦିଆଗଲା । ଅନ୍ୟପଟେ ବାରମ୍ବାର ଫ୍ଲଫ୍ ହେଉଥିବା ପନ୍ତଙ୍କୁ ସୁଯୋଗ ପରେ ସୁଯୋଗ ଦିଆଯିବାର କାରଣ ବି ଜଣାନାହିଁ ।
ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍:
ଶିଖର ଧାଓ୍ବନ (ଅଧିନାୟକ), ଶୁଭମାନ ଗିଲ, ଋଷଭ ପନ୍ତ/ ସଞ୍ଜୁ ସାମସନ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଓ୍ବାଶିଂଟନ ସୁନ୍ଦର, ଦୀପକ ଚହର, ଉମ୍ରାନ ମଲିକ, ଅର୍ଶଦୀପ ସିଂହ ଏବଂ ଯୁଜବେନ୍ଦ୍ର ଚହଲ