ନୂଆଦିଲ୍ଲୀ, ୩୦/୯ : ମିଆଁମାରରେ ଭୂକମ୍ପ ଝଟ୍କା। ମଙ୍ଗଳବାର ସକାଳୁ ସକାଳୁ ଥରିଲା ମାଟି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି। ମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଏହାର ଝଟ୍କା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ଭୂମିକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ମଙ୍ଗଳବାର ସକାଳ ପ୍ରାୟ ୬ଟା ୧୦ରେ ମିଆଁମାରରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଭୂମିକମ୍ପର ଗଭୀରତା ୧୫ କିଲୋମିଟର ଥିଲା। NCS ଅନୁଯାୟୀ, ଭୂମିକମ୍ପର ସଠିକ୍ ନିର୍ଦ୍ଦେଶାଙ୍କ ୨୪.୭୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୯୪.୬୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଥିଲା। ଏପର୍ଯ୍ୟନ୍ତ, କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ଆସିନାହିଁ।
ପ୍ରକାଶ ଥାଉକି, ସେପ୍ଟେମ୍ଵର ୨୭ରେ ଭାରତର ପଡୋଶୀ ଦେଶ ବାଂଲାଦେଶରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତିନି ଦିନ ପରେ ମିଆଁମାରରେ ଭୂକମ୍ପ ଝଟ୍କା ଲାଗିଛି। ଏହାର ଉତ୍ପତ୍ତି ସ୍ଥଳ ପଶ୍ଚିମବଙ୍ଗର ରାଜଧାନୀ କଲିକତା ଠାରୁ ମାତ୍ର ୮୯ କିମି ଦୂର ପୂର୍ବ-ଉତ୍ତର-ପୂର୍ବରେ ଥିଲା।