ଭୁବନେଶ୍ୱର, ୨୬/୧୧: ଏପଟେ ଭୋକ ବିକଳରେ  ଆମ୍ବଟାକୁଆ ଖାଇ କନ୍ଧମାଳ  ଜିଲ୍ଲାରେ ୩ ଜୀବନ ଗଲା ।  ସେପଟେ ହିତାଧିକାରୀଙ୍କ ପାଇଁ  ଉଦ୍ଦିଷ୍ଟ ମାଣ୍ଡିଆକୁ ଖୋଲା ବଜାରରେ  ବିକି ୪ କୋଟି ଟଙ୍କା ବାଟମାରଣା ହୋଇଥିବା ସୁରାକ ମିଳିଛି ।  ପାଖାପାଖି ୧୦ ହଜାର କୁଇଣ୍ଟାଲ ମାଣ୍ଡିଆ ହେରଫେର ହୋଇଥିବା  ହିସାବ ମିଳୁଛି । ଏହି ଘୋଟାଲାକୁ  ନେଇ ଯୋଗାଣ ବିଭାଗରେ  ଆରମ୍ଭ ହୋଇଛି ତନାଘନା । 

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା  ସୂଚନାକୁ ବିଶ୍ୱାସ କରାଗଲେ, କନ୍ଧମାଳ ଜିଲ୍ଲାର ଚାଷୀଙ୍କଠାରୁ ସଂଗ୍ରହ ହୋଇଥିବା ମାଣ୍ଡିଆ  ଆଦିବାସୀ ଉନ୍ନୟନ ସମବାୟ ନିଗମ  ଲିମିଟେଡ (ଟିଡିସିସି) ଗୋଦାମରେ  ଗଚ୍ଛିତ ଥିଲା । ପରିମାଣ ଥିଲା ପ୍ରାୟ  ୨୧ ହଜାର ୮୬୫ କୁଇଣ୍ଟାଲ । ବାଲିଗୁଡ଼ା ଓ ଟିକାବାଲି ଗୋଦାମ  ଘରେ ଏହି ମାଣ୍ଡିଆ ଗଚ୍ଛିତ ଥିଲା ।  ଅଧିକ ଦିନ ରହିଥିଲେ ଏହା  ନଷ୍ଟ ହେବାର ଆଶଙ୍କା ରହିଲା । ଯୋଗାଣ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ  ନିଷ୍ପତ୍ତି ନେଲେ ଗଚ୍ଛିତ ମାଣ୍ଡିଆକୁ  ଜିଲ୍ଲାର ରାସନ କାର୍ଡଧାରୀଙ୍କୁ ବାଣ୍ଟି  ଦେବେ । ଦୁର୍ଗା ପୂଜା ସମୟରେ ଜିଲ୍ଲାର ୧ ଲକ୍ଷ ୬୯ ହଜାର ରାସନ  କାର୍ଡଧାରୀଙ୍କୁ ୧୩ କିଲୋ ଲେଖାଏଁ  ମାଣ୍ଡିଆ ଦେବାକୁ ସ୍ଥିର ହେଲା ।  

ଉପର ମହଲର ଏ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କଲା ବେଳେ ତଳିଆ  ଅଧିକାରୀ କାରସାଦି କରିଥିବା ପ୍ରାଥମିକ  ତନାଘନାରୁ ଜଣାପଡିଛି । ଗଚ୍ଛିତ ମାଣ୍ଡିଆରୁ କାହାକୁ ୫ କିଲୋ ତ କାହାକୁ ୨ କିଲୋ  ବାଣ୍ଟିଲେ । ବହୁ ରାସନ କାର୍ଡଧାରୀଙ୍କୁ ଦାନାଏ ବି ଦେଲେନି ।  ଏଭଳି ଭାବେ ୧୧ ହଜାର ୮୬୫ କୁଇଣ୍ଟାଲ ମାଣ୍ଡିଆ ବଣ୍ଟା  ହେଲା । ଅବଶିଷ୍ଟ ୧୦ ହଜାର କୁଇଣ୍ଟାଲ ମାଣ୍ଡିଆକୁ ସିଧା  ବାହାରେ ବେପାରୀଙ୍କୁ ବିକିଦେଲେ । ଖବର ଅନୁସାରେ ପ୍ରାୟ  ୪ କୋଟି ଟଙ୍କାରେ ଏହି କଳା କାରବାର ହୋଇଛି ।  ଏହାର ଅର୍ଥ ହେଉଛି ପାଖାପାଖି ୭୬ ହଜାର ହିତାଧିକାରୀଙ୍କୁ କିଛି ବି ମାଣ୍ଡିଆ ମିଳି ନାହିଁ ।  

ଆମ୍ବ ଟାକୁଆ ଅପବାଦ ସାମ୍ନାକୁ ଆସିବା ପରେ  ଭିତରେ ଆରମ୍ଭ ହେଲା ଖୋଳତାଡ଼ । କେଉଁ ପରିସ୍ଥିତିରେ  ରାସନକାର୍ଡଧାରୀ ଗରିବ ମହିଳା ଖାଦ୍ୟ ନ ପାଇ ଆମ୍ବ ଟାକୁଆ  ଖାଇଲେ, ତାହାର ଅନୁଧ୍ୟାନ ଚାଲିଲା । ଖୋଳତାଡ଼ରୁ ଏହି  ସାଂଘାତିକ କଳା କାରବାର ପଦାକୁ ଆସିଛି । ଯୋଗାଣ ବିଭାଗରେ  ଏହାପରେ କିଛି ଅଦଳବଦଳ ବି ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ମାଣ୍ଡିଆକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସୁଛନ୍ତି ।  ଏପରିକି ଲକ୍ଷ୍ମୀ ପୂଜାରେ ମାଣ୍ଡିଆ ଭୋଗ କରିବାକୁ ସେ  ନିବେଦନ କରିଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀଙ୍କ କଥାକୁ ଖାତିର ନ କରି ଯୋଗାଣ ବିଭାଗ ଅଧିକାରୀ ମାଣ୍ଡିଆ ହରିଲୁଟ୍‌ କରିଦେଲେ ।  ଏହି ଦୁର୍ନୀତିରେ ଖୋଳତାଡ଼ ହେବା ପରେ ବିଭାଗରେ ଏବେ  କୋକୁଆ ଭୟ ସୃଷ୍ଟି ହୋଇଛି।