ପାରିବାରିକ କଳହ ଯୋଗୁଁ ଦୁଇ ପିଲାଙ୍କୁ ନେଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ଯ ଗୁରୁତର

ବଲାଙ୍ଗିର ୨୦/୨: ନିଆଁରେ ପୋଡିହୋଇ ପରିବାରର ୪ ଗୁରୁତର । ପାରିବାରିକ କଳହ ଯୋଗୁଁ ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୪ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣ ପୂର ଜିଲ୍ଲା ତର୍ଭା ଅଞ୍ଚଳରେ ।
ଜଣେ ମହିଳା ତାଙ୍କ ଦୁଇ ଶିଶୁଙ୍କ ସହ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ତେବେ ସେମାନଙ୍କୁ ବଞ୍ଚାଇବାକୁ ଯିବାବେଳେ ସ୍ଵାମୀ ମଧ୍ୟ ନିଆଁରେ ପୋଡିହୋଇଯାଇଥିଲେ । ଆଜି ସକାଳୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା ।
ପରିବାର ଲୋକଙ୍କ କହିବା ଅନୁସାରେ କୌଶଲ୍ୟା ସେଲ୍ମା (ମହିଳା) ସାମାନ୍ୟ କଥାରେ ଉକ୍ଷିପ୍ତ ହୋଇ ନିଜ ଦୁଇ ଶିଶୁଙ୍କୁ ନେଇ ନିଜ କୋଠରୀରେ ଭିତର ପଟୁ ବନ୍ଦ କରି ନିଜ ଓ ଦୁଇ ଶିଶୁଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ଵାମୀ ଟିକୁ ସେଲ୍ମା ମଧ୍ୟ ନିଆରେ ପୋଡ଼ି ଯାଇଥିଲେ । ତେବେ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତରଭା ଡାକ୍ତରଖାନା ଓ ପରେ ବଲାଙ୍ଗିର ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ କରିଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ତରଭା ପୋଲିସ ।